ବାଲେଶ୍ବର: ଫକୀରମୋହନ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଚେନ୍ନାଇର ଟେକ୍‌ମେଡ ହେଲ୍‌ଥ କେୟାର ନାମକ ଏକ ସଂସ୍ଥା ଅଧୀନରେ ଚାଲିଥିବା କେନ୍ଦ୍ରୀୟ ‌ରୋଗ ନିରୂପଣ ଓ ଗବେଷଣା କେନ୍ଦ୍ରର ଦୁଇଟି ଗୃହରେ ଜିଲ୍ଲ‌ାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଫକୀରମୋହନ ‌ମେଡିକାଲ କଲେଜ ଓ ହସ୍‌ପିଟାଲର ପ୍ରଶାସନିକ ଅଧିକାରୀ ମନୋରମା ଭୂୟାଁ ଆଜି ତାଲା ପକାଇଛନ୍ତି।

Advertisment

ସୂଚନା ଅନୁସାରେ, ଏହି ସଂସ୍ଥା ଅଧୀନରେ ଉକ୍ତ କେନ୍ଦ୍ରରେ ୨୦ ପ୍ରକାର ରୋଗର ପରୀକ୍ଷା କରାଯାଉଥିବା ବେଳେ କାଳକ୍ରମେ ଗୋଟିଏ ରୋଗ(ଥାଇରଏଡ୍‌) ପରୀକ୍ଷା କରାଯାଉଥିଲା। ହେଲେ ଫକୀରମୋହନ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଏହି ପରୀକ୍ଷା ଆରମ୍ଭ ହେବାରୁ ଉକ୍ତ କେନ୍ଦ୍ରରେ ଆଉ ପରୀକ୍ଷା ହେଲା ନାହିଁ। ସେହିପରି ଉକ୍ତ ସଂସ୍ଥାର ଟେଣ୍ଡର ଅବଧି ମଧ୍ୟ ଶେଷ ହୋଇଯାଇଛି। ତେବେ ଏହି କେନ୍ଦ୍ରରେ କାମ କରୁଥିବା ୧୦ରୁ ଅଧିକ କର୍ମଚାରୀ ୭ ମାସ ହେଲା ଦରମା ନପାଇ ଉକ୍ତ ସଂସ୍ଥାକୁ ବାରମ୍ବାର ଜଣାଇ ଆସିଥିବା ବେ​ଳେ ଆଜି ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ, ଶ୍ରୀମତୀ ଭୂୟାଁ ଆଜି ଏହି କେନ୍ଦ୍ରରେ ଥିବା ଟେକ୍‌ମେଡ୍‌ର ଦୁଇଟି ଗୃହକୁ ତାଲା ପକାଇଛନ୍ତି। ଯେଉଁଥିରେ ସଂସ୍ଥାର ସମସ୍ତ ପରୀକ୍ଷା ମେସିନ୍‌ ରହିଛି। ଯେପର୍ଯ୍ୟନ୍ତ କର୍ମଚାରୀଙ୍କୁ ଦରମା ମିଳିନାହିଁ, ମେସିନ୍‌ଗୁଡ଼ିକ ଉକ୍ତ ସଂସ୍ଥାକୁ ଦିଆଯିବ ନାହିଁ ବୋଲି ଶ୍ରୀମତୀ ଭୂୟାଁ କହିଛନ୍ତି।