ବସ୍ତା୨: ବସ୍ତା ସିଡିପିଓଙ୍କ ମନମୁଖୀ କାର୍ଯ୍ୟକୁ ନେଇ ସ୍ଵୟଂ ସହାୟକ ମହିଳା ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା। ଏଠାରେ କାର୍ଯ୍ୟରତ ସିଡିପିଓ ଦୀପ୍ତିରାଣୀ ସିଂ ବସ୍ତା ଅଞ୍ଚଳର ହୋଇଥିବା ବେଳେ ତାଙ୍କର କାର୍ଯ୍ୟାଳୟର ସମସ୍ତ ନିଷ୍ପତ୍ତି ତାଙ୍କର ସ୍ଵାମୀ ବେଆଇନ ଭାବେ ନେଉଥିବା ଅଭିଯୋଗ ହୋଇଥିଲା। ଏଥି ସହିତ ଅଙ୍ଗନୱାଡ଼ି କର୍ମୀ ଓ ପାଚିକା ଚୟନରେ ବ୍ୟାପକ ଅର୍ଥ କାରବାର କରି ବେଆଇନ ଚୟନ ହେଉଥିବା ପୂର୍ବରୁ ଅଭିଯୋଗ ହୋଇଥିବା ବେଳେ ଏହି ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ଯାଇଛି।

Advertisment

ବସ୍ତା ବ୍ଲକ୍ ସମସ୍ତ ପଞ୍ଚାୟତ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାକୁ ନେଇ ପଞ୍ଚାୟତସ୍ତରୀୟ ଏମବିକେ ଚୟନରେ ବ୍ୟାପକ ଅନିୟମିତତା, କାର୍ଯ୍ୟରତ ଏମବିକେଙ୍କୁ ମନମୁଖୀ ଭାବେ ବାହାର, ସ୍ଵୟଂ ସହାୟକ ମହିଳାମାନଙ୍କୁ ଦୁର୍ବ୍ୟବହାର ଆଦି ପ୍ରତିବାଦରେ ଆଜି ବସ୍ତା ବ୍ଲକ୍ ଅଧୀନ ସମସ୍ତ ସ୍ଵୟଂ ସହାୟକ ମହିଳାମାନେ ସିଡିପିଓଙ୍କ ଅଫିସରେ ତାଲାପକାଇ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସିଡିପିଓଙ୍କ ସମେତ ସମସ୍ତ କର୍ମଚାରୀ କାର୍ଯ୍ୟାଳୟ ଭିତରେ ଥିବା ବେଳେ ବାହାର ପଟୁ ଉତ୍ୟକ୍ତ ମହିଳା ତାଲା ପକାଇ ଥିଲେ।

ଖବର ପାଇ ବସ୍ତା ପୋଲିସ ସମେତ ପୂର୍ବତନ ବ୍ଲକ୍ ଅଧକ୍ଷ ଲକ୍ଷ୍ମୀଧର ଦାସ, ଜିଲ୍ଲାପରିଷଦ ସଭ୍ୟ ବିଷ୍ଣୁପ୍ରିୟା ବୁଗୁଡ଼ି,କୁଡିଆ ସମିତି ସଭ୍ୟ ପ୍ରକାଶ ବେହେରା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଧାରଣାରତ ମହିଳାଙ୍କୁ ବୁଝାଶୁଝା କରିଥିଲେ। ପରେ ବିକ୍ଷଭ କାରୀ ମହିଳା ମାନେ ସିଡ଼ିପୀଓ ଙ୍କ ବଦଳି ଜିଦରେ ଅଡି ବସିଥିଲେ। ପରେ ଆଗାମୀ ଏକ ସପ୍ତାହ ମଧ୍ୟରେ ବସ୍ତାରେ କାର୍ଯ୍ୟରତ ସିଡିପିଓ ଦୀପ୍ତିରାଣୀ ସିଂଙ୍କୁ ଅନ୍ୟତ୍ର ବଦଳି ନକଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଧମକ ଦେଇଥିଲେ ଉତ୍ୟକ୍ତ ମହିଳା। ଏନେଇ ସିଡିପିଓ ଦୀପ୍ତିରାଣି ସିଂଙ୍କୁ ପଚାରିବାରୁ ସେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ।

ପ୍ରକାଶ ଥାଉକି ରଘୁନାଥପୁର ବେଲି ଅଙ୍ଗନୱାଡ଼ି ପାଚିକା ଚୟନରେ ଉପସ୍ଥିତ ମହିଳାଙ୍କ ମତାମତକୁ ଅଣଦେଖା କରି ସିଡିପିଓ ନିଜ ଇଚ୍ଛା ମୁତାବକ ଚୟନ କରୁଥିବାରୁ ସେଠାରେ ଦୀର୍ଘ ସମୟ ମହିଳାଙ୍କ ଦ୍ବାରା ଅଟକ ଥିଲେ। ଏହି ମାମଲା ଶେଷରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ପର୍ଯ୍ୟନ୍ତ ଯାଇଥିଲା। ଏହି ବିକ୍ଷୋଭରେ ମିଶନ ଶକ୍ତି ମହିଳା ସବିତା ଦାସ,ସସ୍ମିତା ମହାପାତ୍ର, ଗୈାରୀ ଦାସ, ମନ୍ଦାକିନୀ ଜେନା,ସଞ୍ଜୁ ନାୟକ, ମାନସୀ ଦଣ୍ଡପାଟ, ସସ୍ମିତା ପାତ୍ର, ମମତାଜ ବିବି,ଗୀତାଞ୍ଜଳି ସାହୁ, ରଞ୍ଜିତ ଦଳାଇ, ବିଷ୍ଣୁପ୍ରିୟା ମହାନ୍ତି, ବିଜୟିନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।