ଆଡ୍ଡା ଉପରେ ଚଢ଼ଉ:ଧରାପଡ଼ିଲେ ୨ ଡକାୟତ, ବନ୍ଧୁକ, ଅଫୁଟା ଗୁଳି ଜବତ

ବାସୁଦେବପୁର,(ଇମିସ): ବାସୁଦବପୁର ଥାନା ଅଧୀନ ଆର୍ତ୍ତୁ˚ ଗାଁରେ ମଙ୍ଗଳବାର ରାତିରେ ପୁଲିସ ଦ୍ବାରା ଏକ ଡକାୟତ ଗ୍ୟାଙ୍ଗର ଆଡ୍ଡା ଉପରେ ଅଚାନକ ଚଢ଼ଉ କରି ୨ ଡକାୟତଙ୍କୁ କାବୁ କରାଯାଇଛି। ଏଥିସହ ଏକ ବଡ଼ଧରଣର ଅପରାଧୀକ ଷଡ଼ଯନ୍ତ୍ରକୁ ପଣ୍ଡ କରବା ସହ ଦେଶୀ ବନ୍ଧୁକ ଓ ଅଫୁଟା ଗୁଳି ଜବତ୍‌ କରିଛି ପୁଲିସ। ତେବେ ପୁଲିସକୁ ବନ୍ଧୁକ ଦେଖାଇ ୪ରୁ ଉର୍ଧ୍ବ କୁଖ୍ୟାତ ଅପରାଧୀ ଫେରାର ହେବାରେ ସଫଳ ହୋଇଛନ୍ତି। ପୁଲିସ ଗିରଫ ଦୁଇ ଆପରାଧୀଙ୍କ ନାମ ଗୋପନ ରଖି ଅନ୍ୟ ଅପରାଧୀଙ୍କୁ ଧରିବାକୁ ଛାନ୍‌ଭିନ୍‌ ଚଳାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।
ଖବର ଅନୁଯାୟୀ, ଏହି ଥାନା ଅଧୀନ ଆର୍ତ୍ତୁ˚ ଗ୍ରାମରେ ଏକ ନିଛାଟିଆ ଭଡ଼ାଘରେ ଏହି ଦୁର୍ବୃତ୍ତ କିଛିଦିନ ଧରି ରହି ଆସୁଥିଲେ। ଏହି ଗ୍ୟାଙ୍ଗ ରାଜ୍ୟର ବିଭିନ୍ନ ସ୍ଥାନରେ ଅପରାଧ ଘଟଣା ଘଟାଇ ଏଠାରେ ଆତ୍ମଗୋପନ କରୁଥିଲା। ଏ ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇ ମଙ୍ଗଳବାର ରାତିରେ ପୁଲିସ ଆଡ୍ଡା ଉପରେ ଚଢ଼ଉ ପାଇଁ ନକ୍ସା ପ୍ରସ୍ତୁତ କରିଥିଲା। ଘଟଣାସ୍ଥଳରେ ପହଞ୍ଚି ଅପରାଧୀମାନଙ୍କୁ କାବୁ କରିବା ପାଇଁ ଛପି ରହିଥିଲା ପୁଲିସ। ଏହି ଗ୍ୟାଙ୍ଗ ପାଇଁ ଖାଦ୍ୟ ନେଇ ଆସୁଥିବା ସେମାନଙ୍କ ଜଣେ ସହଯୋଗୀ(ସ୍ଥାନୀୟ ଗ୍ରାମର ଯୁବକକୁ ପୁଲିସ କାବୁ କରି ନେଇଥିଲା। ପରେ ଚତୁରତା ସହ ଆଡ୍ଡା ଉପରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଅପରାଧୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଦୁଇ ଅପରାଧୀଙ୍କୁ ପୁଲିସ କାବୁ କରିନେଇଥିବା ବେଳେ, ୪ରୁ ଉର୍ଧ୍ବ ଅପରାଧୀ ଚମ୍ପଟ ମାରିଥିଲେ। ଘଟଣାସ୍ଥଳରୁ ପୁଲିସ ତିନିଟି ଦେଶୀ ବନ୍ଧୁକ ସହ ଅନେକ ଅଫୁଟା ଗୁଳି ଜବତ କରିଛି।

ସମ୍ବନ୍ଧିତ ଖବର