ସୋର: ବାଲେଶ୍ବର ଜିଲ୍ଲାର ସୋର ରେଳ ଷ୍ଟେସନରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ରେଳରୋକ କରାଯାଇଥିବାର ଖବର ମିଳିଛି। ଆଜି ସକାଳୁ ବହୁ ବରିଷ୍ଠ ନାଗରିକ ଓ ଯୁବକ, ଯୁବତୀ ସୋର ଷ୍ଟେସନର ରେଳଧାରଣା ଉପରେ ଠିଆ ହୋଇ ରେଳରୋକ କରିଛନ୍ତି। ସୋର ରେଳ ଷ୍ଟେସନର ବିଭିନ୍ନ ସମସ୍ୟା ନେଇ ଦକ୍ଷିଣ ରେଳବାଇର ଅବହେଳା ଅଭିଯୋଗ ପ୍ରତିବାଦରେ ରେଳରୋକ କରାଯାଇଛି।
ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସୋରରେ ଜଗନ୍ନାଥ ଏକ୍ସପ୍ରେସ୍ ଓ ଉତ୍କଳ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଲାଗି ଦାବି ହୋଇଆସୁଛି। ହେଲେ ଏଥିପ୍ରତି ରେଳବାଇ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନଥିବା ହେତୁ ରେଳରୋକ କରାଯାଇଛି।
ଆଗରୁ ସୋର ରେଳ ଷ୍ଟେସନ୍ ନିକଟ ଉଡ଼ନ୍ତା ପୋଲଠାରେ ଜଗନ୍ନାଥ ଏକ୍ସପ୍ରେସ୍ ଓ ଉତ୍କଳ ଏକ୍ସପ୍ରେସ୍ ଅଟକୁଥିଲା । ଏହାଫଳରେ ସୋର ଏବଂ ଆଖପାଖ ଅଞ୍ଚଳର ବହୁ ଯାତ୍ରୀ ଏଦୁଇ ଟ୍ରେନ୍ ଯୋଗେ ବିଭିନ୍ନ ସ୍ଥାନକୁ ସହଜରେ ଯାତ୍ରା କରିପାରୁଥିଲେ। ଦୀର୍ଘଦିନ ଧରି ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପରିଲକ୍ଷିତ ହୋଇଛି। ଏବେ କିନ୍ତୁ ଦୁଇ ଟ୍ରେନ୍ ରହୁ ନ ଥିବାରୁ ଅଞ୍ଚଳବାସୀଙ୍କ ପକ୍ଷରୁ ପୁନଃ ରହଣି ଦାବି ହୋଇଆସୁଛି।