ନୀଳଗିରି: ରାଖି ପୂର୍ଣ୍ଣିମା ଅବସରରେ ଛାତ୍ରଛାତ୍ରୀଙ୍କୁ ଭାଇଭଉଣୀଙ୍କ ନିବିଡ଼ ସଂପର୍କ ବିଷୟରେ ସଚେତନ କରିବା ଏବଂ ସେମାନଙ୍କ ମଧ୍ୟରେ ବିପଦ ବେଳେ ଅନ୍ୟକୁ ସାହାଯ୍ୟ କରିବାର ମାନସିକତା ଜନ୍ମାଇବା ପାଇଁ ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌ ଜାମୁଡ଼ିହାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବିଦ୍ୟାଳୟର ସମୟ ସାରଣୀ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସପ୍ତାହର ଗୋଟିଏ ଦିନ ସ୍ବତନ୍ତ୍ର ନିର୍ଘଣ୍ଟ ସ୍ଥିର ହୋଇଥିଲା। ଯେତେବେଳେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷକଶିକ୍ଷୟିତ୍ରୀମାନେ ରାଖି ପ୍ରସ୍ତୁତ କଳା ଶିଖାଇଥିଲେ। ଛାତ୍ରଛାତ୍ରୀମାନେ କାଗଜ, ସୂତା, ଅଠା, ଷ୍ଟୋନ୍‌, ରଙ୍ଗ ଆଦି ବ୍ୟବହାର କରି ବିଭିନ୍ନ ପ୍ରକାର ରାଖି ପ୍ରସ୍ତୁତ କରିଥିଲେ।

Advertisment

publive-image

ଏଇଭିତରେ ଉକ୍ତ କର୍ମଶାଳା ଶେଷ ହେବା ସହ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିଥିବା ରାଖି ଶିକ୍ଷକଶିକ୍ଷୟିତ୍ରୀଙ୍କ ହାତରେ ବାନ୍ଧିବା ସହ ପରସ୍ପରକୁ ମଧ୍ୟ ବାନ୍ଧିଛନ୍ତି। ଏହି ସମୟରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା। ଯେଉଁ ଛାତ୍ରୀମାନଙ୍କର ଭାଇ ନାହାନ୍ତି ଏବଂ ଯେଉଁ ଛାତ୍ରମାନଙ୍କ ଭଉଣୀ ନାହାନ୍ତି, କାର୍ଯ୍ୟକ୍ରମଟି ସେମାନଙ୍କ ପାଇଁ ଅଭୁଲା ହୋଇ ରହିବ ବୋଲି କହିଛନ୍ତି। ଏନେଇ ବିଦ୍ୟାଳୟର ଅଧ୍ୟକ୍ଷ କରୁଣାକର ପଣ୍ଡାଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ ରାଖି ପ୍ରସ୍ତୁତ କର୍ମଶାଳା ଓ ରାଖି ବନ୍ଧା କାର୍ଯ୍ୟକ୍ରମ ଖୁବ୍‌ ସୁନ୍ଦର ଥିଲା। ପିଲାମାନେ ଏହାକୁ ନେଇ ବେଶ୍‌ ଉତ୍ସାହିତ। ବିଦ୍ୟାଳୟରେ କେବଳ ପାଠପଢ଼ା ନୁହେଁ, ଭାବଗତ ସଂପର୍କ ବିଷୟରେ ମଧ୍ୟ ପିଲାମାନଙ୍କୁ ଅବଗତ କରାଯିବା ଉଚିତ ବୋଲି କହିଛନ୍ତି।