ବାଲେଶ୍ବର: ବାଲେଶ୍ବର ସହରରେ ଗତ କିଛିଦିନ ଧରି ଡକାୟତି, ଲୁଟ୍ ଓ ଛିନ୍ତାଇ ଘଟଣା ବଢ଼ିଚାଲିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ସହଦେବଖୁଣ୍ଟା ମଡେଲ ଥାନା ପୁଲିସ୍ ଏକ ଡକାୟତ ଗ୍ୟାଙ୍ଗ୍କୁ ଧରିବାରେ ସଫଳ ହୋଇଥିଲା। ଆଜି ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଗିରଫମାନେ ହେଲେ ଚୁଡ଼ାକୁଟାସାହିର ପପୁଲୁ ଓରଫ୍ ମହେଶ୍ବର ବଗାଳ(୩୦), ମିଥୁନ୍ ବଗାଳ(୨୦), ଶୋଭାରାମପୁର ଅଞ୍ଚଳର ଟୁଟୁ ଓରଫ୍ ସତ୍ୟରଂଜନ ଦାସ(୨୩), ମୟୁରଭଂଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ କାଳିଆପଦା ଅଞ୍ଚଳର ମଧୁ ସିଂ(୪୫) ଓ ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଅନ୍ତର୍ଗତ ଘଣ୍ଟେଶ୍ବର ଅଞ୍ଚଳର ସୁଶାନ୍ତ ସେଠୀ(୨୪)। ଏହି ଘଟଣା ପୂର୍ବରୁ ମହେଶ୍ବର ବଗାଳ, ସତ୍ୟରଂଜନ ଦାସ ଓ ସୁଶାନ୍ତ ସେଠୀ ବାଲେଶ୍ବର ସହଦେବଖୁଣ୍ଟା ଥାନା, ଶିଳ୍ପାଞ୍ଚଳ ଥାନା ଓ ଜିଆରପି ଥାନା ଅଞ୍ଚଳରେ ଡକାୟତି, ଲୁଟ୍, ଆକ୍ରମଣ, ବେଆଇନ୍ ଅସ୍ତ୍ରଶସ୍ତ୍ରର ବ୍ୟବହାର ଓ ହତ୍ୟା ଉଦ୍ୟମ ଭଳି ମାମଲାରେ ସମ୍ପୃକ୍ତ ଅଛନ୍ତି। ତେବେ ମହେଶ୍ବର ସର୍ବାଧିକ ୧୧ଟି ମାମଲାରେ ସମ୍ପୃକ୍ତ ଥିବାବେଳେ ସତ୍ୟରଂଜନ ୩ ଟି ଓ ସୁଶାନ୍ତ ସେଠୀ ୨ଟି ମାମଲାରେ ସମ୍ପୃକ୍ତ ଥିବା ଜଣାଯାଇଛି। ଗତକାଲି ସହରର ଶୋଭାରାମପୁର ଚୁଡ଼ାକୁଟାସାହିର ଏକ ପଡ଼ିଆରେ ଏହି ଗ୍ୟାଙ୍ଗ୍ ଏକତ୍ର ହୋଇ ଡକାୟତି ଯୋଜନା କରୁଥିବା ବେଳେ ପୁଲିସ୍ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସଦଳବଳେ ସେଠାରେ ପହଞ୍ଚି ଚଢ଼ଉ କରିଥିଲା। ଏନେଇ ୩୫୪/୧୮ରେ ଏକ ମାମଲା(ଦଫା ୩୯୯/୪୦୨ ଆଇପିସି/ସେକ୍ସନ ୨୫ ଅାର୍ମସ ଆକ୍ଟ) ରୁଜୁ ହୋଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସହଦେବଖୁଣ୍ଟା ମଡେଲ ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ସୂଚନା ଦେଇଛନ୍ତି। ତେବେ ବାଲେଶ୍ବର ସହରରେ ହେଉଥିବା ବିଭିନ୍ନ ସମୟରେ ଚାଲିଥିବା ଚୋରି, ଡକାୟତି ଓ ଛିନ୍ତାଇରେ ଏମାନଙ୍କର ସମ୍ପୃକ୍ତି ଥିଲା। ଏଥିରେ ଆହୁରି ଅନେକ ଅପରାଧୀ ସମ୍ପୃକ୍ତି ଅଛନ୍ତି। ପର୍ଯ୍ୟାୟକ୍ରମେ ସେମାନଙ୍କୁ ଧରିବା ପାଇଁ ପୁଲିସ୍ ଆକ୍ସନପ୍ଲାନ୍ ପ୍ରସ୍ତୁତ କରୁଥିବା ଶ୍ରୀ ନାୟକ କହିଥିଲେ।
ଅଙ୍ଗାରଗଡ଼ିଆର ଏକ ଘରୁ କଳାକନା ବୁଲାଇଥାନ୍ତେ
ଧରାପଡ଼ିଥିବା ୫ ଜଣ ଡକାୟତଙ୍କୁ ପୁଲିସ୍ର ତନାଘନା ପରେ ଏକ ବଡ଼ଧରଣର ଡକାୟତ ଯୋଜନା ପଣ୍ଡ ହୋଇଥିବା ଜଣାପଡ଼ିଛି। ସେମାନେ ଅଙ୍ଗାରଗଡ଼ିଆ ସ୍ଥିତ ଟ୍ରେନ୍ଲାଇନ୍ ପାଖରେ ଥିବା ଏକ ଘରକୁ ଟାର୍ଗେଟ କରି ଏହି ଯୋଜନା କରିଥିଲେ ବୋଲି ପୁଲିସ୍ ସାମ୍ନାରେ ମାନିଛନ୍ତି।
ନକ୍ସା ପ୍ରସ୍ତୁତ କରି କରୁଥିଲେ ଯୋଜନା
ଡକାୟତି କରିବା ପାଇଁ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ ହୋଇଥିଲା। ଅଙ୍ଗାରଗଡ଼ିଆର ଟାର୍ଗେଟ୍ ଥିବା ସମ୍ପୃକ୍ତ ଘରେ କିପରି ପ୍ରବେଶ କରାଯିବ, ଘରର କେଉଁ ସ୍ଥାନରେ କ’ଣ କ’ଣ ରହିଛି, କେଉଁ ସ୍ଥାନରୁ ଲୁଟ୍ କରାଯିବ, ଲୁଟ୍ ପରେ କେଉଁବାଟ ଦେଇ ଫେରାଯିବ ଓ କିଛି ଅସୁବିଧା ଯଦି ଉପୁଜେ ତାହେଲେ ତାକୁ କିପରି ସାମ୍ନା କରାଯିବ ଆଦି ନେଇ ଏକ ନକ୍ସା ପ୍ରସ୍ତୁତ କରି ଧରାପଡ଼ିଥିବା ସମ୍ପୃକ୍ତ ଡକାୟତମାନେ ଚୁଡ଼ାକୁଟାସାହି ପଡ଼ିଆରେ ଗତକାଲି ଯୋଜନା କରୁଥିଲେ। ସେମାନଙ୍କୁ ଧରିବା ବେଳେ ମାରଣାସ୍ତ୍ର ଓ ନିଶାଦ୍ରବ୍ୟ ସହିତ ଉକ୍ତ ନକ୍ସାକୁ ପୁଲିସ ଜବତ କରି ତଦନ୍ତ ଚଳାଇଥିବା ଆଇଆଇସି ଶ୍ରୀ ନାୟକ କହିଛନ୍ତି।
ଡକାୟତି ଉଦ୍ୟମ ପାଇଁ ଜବତ ହୋଇଥିବା ସାମଗ୍ରୀ
ଡକାୟତି ପାଇଁ ପୁଲିସ ଜବତ କରିଥିବା ମାରଣାସ୍ତ୍ର ମଧ୍ୟରେ ଗୋଟିଏ ତେଲେଙ୍ଗା କଟୁରି, ଗୋଟିଏ ଷ୍ଟିଲ ଗୁପ୍ତି, ତାଲା ଭଙ୍ଗା ପାଇଁ ବ୍ୟବହାର କରାଯାଉଥିବା ଗୋଟିଏ ବଟାଳି, ବାଇକ୍ ସକ୍ଅପ୍ଚରରେ ବ୍ୟବହାର ହେଉଥିବା ୩ଟି ଷ୍ଟିଲ ପାଇପ୍, ୧୨ଫୁଟ୍ ଲମ୍ବର ଏକ ଦଉଡ଼ି, ସମ୍ପୃକ୍ତ ଘରର ବିଭିନ୍ନ ପଜିସନ୍ ଥିବା ଏକ ନକ୍ସା, ୪ଟି ବାଉଁଶ ବାଡ଼ି ସହ ମଦବୋତଲ, ସିଗାରେଟ୍, ଗଞ୍ଜେଇ, ଚିଲମ, ଦିଆସିଲି, ପ୍ଲାଷ୍ଟିକକ୍ଲାସ ଓ ପାଣିପାଉଚ୍ ଆଦି ରହିଛି।
ସହଦେବଖୁଣ୍ଟା ଥାନା ପୁଲିସ୍କୁ ସଫଳତା:ବଡ଼ ଧରଣର ଡକାୟତି ପାଇଁ କରିଥିଲେ ଯୋଜନା
୫ ଡକାୟତ ଜେଲ୍ ଗଲେ; ମାରଣାସ୍ତ୍ର, ନିଶାଦ୍ରବ୍ୟ ଓ ନକ୍ସା ଜବତ
/sambad/media/post_attachments/wp-content/uploads/2018/12/Jail-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)