ବାଲି ଓ ପଥର ଚୋରା ଚାଲାଣ:୩ ହାଇୱା ଜବତ, ଜରିମାନା ଆଦାୟ

ଦେଓଗାଁ: ପ୍ରତି ଦିନ ସୋନଗଡ଼ ନଦୀରୁ ବାଲି ଓ ବିଭିନ୍ନ ପାହାଡ଼ରୁ ବେଆଇନ ଭାବେ ପଥର ଚୋରା ଚାଲାଣ ହେଉଛି। ମଙ୍ଗଳବାର ସକାଳ ସାଢ଼େ ୮ଟାରେ ଦେଓଗାଁ ପଟରୁ ବଡ଼ବାହାଲ ପଞ୍ଚାୟତର କେନ୍ଦୁଘାଟକୁ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ହାଇୱା (ଓଡି ୦୪ଜି-୦୩୩୬)କୁ କୁତୁର୍ଲା ଆରଆଇ ଓ ସହକର୍ମୀ ଅଟକ ରଖିଥିଲେ। ରାସ୍ତା କଡ଼ରେ ପଥର ବୋଝେଇ ଗାଡ଼ି ଛିଡ଼ା ହେବା ଓ ନିଛାଟିଆ ସ୍ଥାନରେ ଆରଆଇ ଓ ସହକର୍ମୀ ରହିବା ନେଇ ସନ୍ଦେହ ହୋଇଥିଲା। ଫୋନ ଯୋଗେ ପଚାରିବାରୁ ସରକାରୀ କାମରେ ଏସବିଆଇ ଶାଖାରେ ଅଛି ବୋଲି ଆର୍‌ଆଇ କହିଥିଲେ। ପରେ ଏ ନେଇ ‌ତହସିଲଦାରଙ୍କ ଦୃଷ୍ଟିକୁ ଆଣି ଦେଓଗାଁ ଫାଣ୍ଡିରେ ଗାଡ଼ିକୁ ରଖାଯାଇଥିଲା। ସେହିପରି କିଛି ସମୟ ପରେ ବେଆଇନ ଭାବେ ଜାତୀୟ ରାଜପଥରେ ଯାଉଥିବା ପଥର ବୋଝେଇ ଗାଡ଼ି (ଓଡି ୦୩ଇ-୧୨୯୯) ଓ (ଓଡି ୦୩ଇ-୦୮୯୯)କୁ ଅଟକ ରଖି କାଗଜ ପତ୍ର ଯାଞ୍ଚ କରା ଯାଇଥିଲା। ଯାଞ୍ଚ ବେଳେ ଡ୍ରାଇଭର ଆବଶ୍ୟକ କାଗଜପତ୍ର ଦାଖଲ କରି ନପାରି ଗାଡ଼ି ଦୁଇଟିକୁ ଦେଓଗାଁ ପୁଲିସ ଫାଣ୍ଡିକୁ ନିଅଯାଇଥିଲା। ଏହା ପରେ ସୋନଗଡ଼ ନଦୀର ହାତୀସରା ବାଲିଘାଟରୁ ବାଲି ବୋଝେଇ କରି ନାଇକେନଶିରା ପଟକୁ ଯାଉଥିବା ଏକ ଟ୍ରାକ୍ଟର ବି ଧରା ପଡ଼ିଥିଲା। ଯାଞ୍ଚ ବେଳେ ଡ୍ରାଇଭର ଗାଈବାହାଲ ଘାଟରୁ ବାଲି ବୋଝେଇ କରି ନେଉଥିବା ଏକ ସ୍ଲିପ ଦେଖାଯିବାରୁ ଟ୍ରାକ୍ଟରକୁ ଛାଡ଼ି ଦିଆଯାଇଥିଲା। ତେବେ ସେହି ସ୍ଲିପକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଦେଓଗାଁ ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ଚୌଧୁରୀଙ୍କୁ ପଚାରିବାରୁ, ବାଲି ଗାଡ଼ିକୁ ଯାଞ୍ଚ ପରେ ଛାଡ଼ି ଦିଆଯାଇଛି। ହାଇୱା ଗାଡ଼ିଗୁଡ଼ିକରୁ ଜରିମାନା ଆଦାୟ ହୋଇଥିବା କହିଥିଲେ। ପ୍ରତିଦିନ ଟ୍ରିପ ଟ୍ରିପ ପଥର ଓ ବାଲି ଚୋରା ଚାଲାଣ ହେଉଥିବା ବେଳେ ପ୍ରଶାସନ ଚୁପ ରହିବା ନେଇ ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର