ରାଜବରହମପୁର: ସରକାର ରାଜ୍ୟବାସୀଙ୍କୁ ସୁନେଲି ସ୍ବପ୍ନ ଦେଖାଉଛନ୍ତି। ବିଭିନ୍ନ ଗଣମାଧ୍ୟମରେ ନିଜ ଗୁଣ ନିଜେ ଗାଇ ବାହାବା ​ନେଉଛନ୍ତି। ଗ୍ରାମାଞ୍ଚଳରେ ରହୁଥିବା ଗରିବ, ଅସହାୟ ଲୋକଙ୍କ ପାଇଁ ନାନା ଯୋଜନା କରାଯାଉଥି​ଲେ ବି ସେଗୁଡ଼ିକର ଲାଭ ସେମାନେ ପାଉ ନାହାନ୍ତି। କେନ୍ଦ୍ର ସରକାରଙ୍କ ଯୋଜନା ବି ଠିକ୍‌ ଭାବେ କାର୍ଯ୍ୟକାରୀ କରୁନାହାନ୍ତି। ଯାହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌ ବଣସୀମା ଅଧୀନ ପିଠାହତା ପଞ୍ଚାୟତ ଦରଖୋଳି ଗ୍ରାମରେ। ଏଠାରେ ଜଣେ ଅସହାୟ ମହିଳାଙ୍କୁ ଆବାସ ଘର ମିଳୁନି। ଫଳରେ ସେ ଦିନେ ନୁହେଁ କି ଦୁଇଦିନ ନୁହେଁ; ଦୀର୍ଘ ୭ ବର୍ଷ ହେବ ଏକ ପାଇଖାନାରେ ମୁଣ୍ଡ ଗୁଞ୍ଜିଛନ୍ତି।

Advertisment

ସତ୍ୟଭାମା ନାୟକ। ବୟସ ତାଙ୍କର ୪୫ ଡେଇଁବଣି। ସେ ଅତ୍ୟନ୍ତ ଗରିବ। ବିବାହ କରିନାହାନ୍ତି। ଦିନ ଥିଲା; ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍‌ ଜନକପୁରସ୍ଥିତ ଭଉଣୀ ଘରେ ରହୁଥିଲେ। ହେଲେ ପରେ ଦରଖୋଳି ଗ୍ରାମ​ସ୍ଥ ନିଜ ଘରକୁ ପଳାଇଆସିଥିଲେ। ବାପା ଥିବା ବେଳେ ମୂଲମଜୁରି କରି ଯାହା ରୋଜଗାର କରୁଥିଲେ, ସେଥିରେ ଦୁହେଁ ଚଳିଯାଉଥିଲେ। ହେଲେ ହଠାତ୍‌ ବାପା ଆଖି ବୁଜିଦେଲେ। ଫଳରେ ସତ୍ୟଭାମା ବେସାହାରା ହୋଇଗଲେ। ଦୁଇଓଳି ଭଲକରି ଗଣ୍ଡେ ଖାଇବାକୁ ପାଇଲେ ନାହିଁ। କାମ କରି ଯାହା ରୋଜଗାର ହେଲା ଆଉ ମାଗିଯାଚି ଯାହା ଆଣିଲେ; ସେଥିରେ ଜୀବନ ବଞ୍ଚାଇଲେ। ଏପରି ସମୟରେ ତାଙ୍କ କଚ୍ଚାଘରଟି ଭୁଶୁଡ଼ିପଡ଼ିଲା। ମରାମତି କରିବାକୁ ସମ୍ବଳ ନଥିବାରୁ ସେ ବାଧ୍ୟ ହୋଇ ସ୍ବଚ୍ଛଭାରତ ଯୋଜନାରେ ସରକାରଙ୍କ ପକ୍ଷରୁ ମିଳିଥିବା ପାଇଖାନାରେ ରହିଲେ। ଆଜିକୁ ୭ ବର୍ଷ ହେଲା, ସେହି ପାଇଖାନା ତାଙ୍କର ଘର। ପୂର୍ବରୁ ବିଜୁ ପକ୍କାଘର ସହ ଏବେ ପ୍ରଧାନମନ୍ତ୍ରୀ ଆବାସ ଖଣ୍ଡେ ପାଇଁ ସତ୍ୟଭାମା ବାରମ୍ବାର ସରପଞ୍ଚ ଓ ବିଡିଓଙ୍କଠାରେ ଗୁହାରି କରୁଛନ୍ତି। ହେଲେ ତାଙ୍କ କଥା କେହି ଶୁଣି ନାହାନ୍ତି। ସରକାରୀ ସହାୟତା କହିଲେ, ମାତ୍ର ୫ କିଲୋ ଚାଉଳ ଯାହା ତାଙ୍କୁ ମିଳୁଛି।
ତେବେ ଏହା ଗୋଟିଏ ଘଟଣା ନୁହେଁ। ଗ୍ରାମାଞ୍ଚଳରେ ଏମିତି ଅନେକ ସତ୍ୟଭାମା ଅଛନ୍ତି। ଯେଉଁମାନେ ଘରଖଣ୍ଡେ ପାଇଁ ଶୀତକାକର, ଖରାବର୍ଷା ସହ ରିତିମତ୍‌ ସଂଘର୍ଷ କରୁଛନ୍ତି। ରାଜ୍ୟ ସରକାର ପ୍ରକୃତ ହିତାଧିକାରୀଙ୍କୁ ବିଜୁ ପକ୍କାଘର ଦେଲେନି। ସେହିପରି କେନ୍ଦ୍ର ସରକାରଙ୍କ ଆବାସ ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ କରୁ ନାହାନ୍ତି। ଫଳରେ ସେହି ଗରିବ ଓ ଅସହାୟଙ୍କ ମୁଣ୍ଡ ଉପରେ ଛପର ଖଣ୍ଡେ ନାହିଁ। ତେବେ ସତ୍ୟଭାମାଙ୍କୁ କିପରି ଶୀଘ୍ର ଆବାସ ମିଳିବ, ସେନେଇ ପଞ୍ଚାୟତ ଓ ବ୍ଲକ୍‌ ପ୍ରଶାସନ ପଦକ୍ଷେପ ନେଉ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।