ସମୁଦ୍ର ବାଲିରେ ଫସି ଯାଇଥିବା ଯୁବକଙ୍କୁ ଉଦ୍ଧାର:ମୃତ୍ୟୁ ମୁହଁରୁ ଛଡ଼ାଇ ଆଣିଲେ ୮ ଯୁବକ

ଜୁଆର ବଢ଼ିଯିବାରୁ ସମସ୍ତଙ୍କୁ ଏନ୍‌ଡିଆରଏଫ୍ ଟିମ କୂଳକୁ ଅାଣିଲା

ବାଲେଶ୍ୱର/ଚାନ୍ଦିପୁର: ଚାନ୍ଦିପୁର ବେଳାଭୂମିରେ ଗତକାଲି ରାତିରୁ ନିଖୋଜ ଥିବା ଜଣେ ଯୁବକଙ୍କୁ ଆଜି ସମୁଦ୍ର ବାଲିରେ ଫସି ଗୁରୁତର ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଗୁରୁତର ଯୁବକ ଜଣକ ଚାନ୍ଦିପୁର ଥାନା ସୁନାପୁର ଛକର ଗଣେଶ ରୋମ୍‌ଙ୍କ ପୁଅ ଅଶୋକ(୪୦) ବୋଲି ଜଣାପଡ଼ିଛି। ଅଶୋକ ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ବେଳାଭୂମିରୁ ପ୍ରାୟ ଦେଢ଼ କିଲୋମିଟର ଭିତରେ ବାଲିରେ ଫସି ହାତଟେକି ଡାକୁଥିବା ବେଳେ ସେଠାରେ ଗାଧୋଉଥିବା ୮ ଜଣ ସାହସୀ ଯୁବକ ପାଣି ଭିତରେ ପଶି ତାଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ବେଳାଭୂମି ନିକଟରେ ଥିବା ଏନଡିଆରଏଫ ଟିମ୍‌ ତୁରନ୍ତ ଘଟଣାସ୍ଥଳକୁ ଯାଇ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଗୁରୁତର ଅଶୋକଙ୍କୁ ବାଲେଶ୍ବର ଜିଲ୍ଲା ହସ୍ପିଟାଲକୁ ପଠାଯାଇଥିଲା।
ସୂଚନାଯୋଗ୍ୟ, ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚାନ୍ଦିପୁର ବେଳାଭୂମିରେ ହଜାର ହଜାର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ତେବେ ବାଲେଶ୍ବର ସହଦେବଖୁଣ୍ଟା ଅଞ୍ଚଳରୁ ରାଜେଶ ସିଂ, ଗଣେଶ ବେହେରା, ଜଗନ ପାତ୍ର, ଆଲୋକ ପାତ୍ର, ରଂଜନ ପାତ୍ର, କାର୍ତ୍ତିକ ବେହେରା, କିଶାନ ପାତ୍ର ଓ ସଂଜୟ ବେହେରା ପ୍ରମୁଖ ସେଠାକୁ ଗାଧୋଇବାକୁ ଯାଇଥିଲେ। ସକାଳେ ଜୁଆର ଛାଡ଼ି ଯାଇଥିବାରୁ ସେମାନେ ବେଳାଭୂମିର ଭିତରକୁ ଯାଇଥିଲେ। ପ୍ରାୟ ଦେଢ଼ରୁ ୨ କିମି ବାଟ ଭିତରକୁ ଯିବାପରେ ସେଠାରୁ କିଛି ଦୂରରେ ବେଳାଭୂମିରୁ କେହି ହାତ ଉପରକୁ ‌ଉଠାଉଥିବା ଦେଖିବାକୁ ପାଇଲେ। ତେବେ ୮ ଜଣ ସାଙ୍ଗ ସେଠାକୁ ଯାଇ ପହଞ୍ଚିବା ପରେ ଜଣେ ଯୁବକଙ୍କ ଶରୀର ବାଲିରେ ସମ୍ପୂର୍ଣ୍ଣ ପୋତି ହୋଇଯାଇଥିବା ଦେଖିଥିଲେ। ତୁରନ୍ତ ତାଙ୍କୁ ବାଲିରୁ ବାହାର କରି ସଫା କରିଦେବା ପରେ ସେ ଚେତାଶୂନ୍ୟ ଅବସ୍ଥାରେ ଥିଲେ। ଠିକ୍‌ ଏତିକି ବେଳେ ସମୁଦ୍ରରେ ଜୁଆର ଧୀରେ ଧୀରେ ବଢ଼ିବାରେ ଲାଗିଥିଲା। ସମସ୍ତେ ସେଠାରେ ଏକ ପ୍ରକାର ଫିସଯିବାରୁ କୂଳକୁ ହାତଟେକି ଲୋକମାନଙ୍କୁ ସାହାଯ୍ୟ ମାଗିଥିଲେ। ଏନେଇ ଖବରପାଇବା ପରେ ଏନ୍‌ଡିଆରଏଫ୍‌ ଓ ଓଡ୍ରାଫ୍‌ ଟିମ୍‌ ତୁରନ୍ତ ସେଠାକୁ ପାୱାର ବୋଟ୍‌ ନେଇ ପହଞ୍ଚିବା ସହିତ ସମସ୍ତଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ଏହାପରେ ଗୁରୁତର ଅଶୋକଙ୍କୁ ଏନ୍‌ଡିଆର୍‌ଏଫ୍‌ ଗାଡ଼ିରେ ବାଲେଶ୍ବର ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଚିକିତ୍ସା କରିବା ହେବା ଚେତା ଫେରିଥିଲା। ଅନ୍ୟପକ୍ଷରେ ଗତକାଲିରୁ ଅଶୋକ ନିଖୋଜ ଥିବାରୁ ତାଙ୍କୁ ବିଭିନ୍ନ ଆଡ଼େ ଘର ଲୋକେ ଖୋଜାଖୋଜି କରୁଥିଲେ। ସମୁଦ୍ରରୁ ତାଙ୍କୁ ଉଦ୍ଧାର କରାଯାଇଥିବା ଖବର ପାଇ ସେମାନେ ହସ୍ପିଟାଲରେ ପହଞ୍ଚିଥିଲେ। ତେବେ ଅଶୋକଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କରିଥିବା ବାଲେଶ୍ବର ସହରର ସମ୍ପୃକ୍ତ ଯୁବକଙ୍କ ସାହସିକତାକୁ ସାଧାରଣରେ ଖୁବ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର