ମେଳାରୁ ଟେକିନେଇ ମହିଳାଙ୍କୁ ଦୁଷ୍କର୍ମ!

ଧାର ଟଙ୍କା ବଦଳରେ ଉଜ୍ଜତ ନେଲା ମହାଜନ

ଭୋଗରାଇ : ଆଜି ବି ଗାଁରେ ମହାଜନ ପ୍ରଥା ବଂଚିଛି! ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଆହୁରି ମଧ୍ୟ ମହାଜନ ପ୍ରଥା ଖାଲି ଅର୍ଥ ନେଣଦେଣ ଭିତରେ ସୀମିତ ହୋଇ ରହିନାହିଁ। ଏହା ନିର୍ଯାତନା ଓ ଦୁଷ୍କର୍ମ ଭଳି ଘୃଣ୍ୟ ପରମ୍ପରା ଭିତରେ କେଉଁଠି ନା କେଉଁଠି ଓ କେମିତି ନା କେମିତି ଯେ ବଂଚିଛି, ତା’ର ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ କାଳାହୀ ଗ୍ରାମରେ। ମହାଜନ ପାଖରୁ ସ୍ୱାମୀ ଟଙ୍କା ଧାର ନେଇଥିଲେ। ଦୀର୍ଘଦିନ ହେବ ସୁଝି ନ ପାରିବାରୁ ପତ୍ନୀକୁ ତା’ର ଉଜ୍ଜତ ହରାଇବାକୁ ପଡ଼ିଛି। ମହିଳା ଜଣକ ମହାଜନର ଦୁଷ୍କର୍ମର ଶିକାର ହୋଇଛନ୍ତି।

ଭୋଗରାଇ ବ୍ଲକ୍‌ ଦେହୁର୍ଦ୍ଦା ପଞ୍ଚାୟତ ସାନତେଘରୀ ଗ୍ରାମର ଗରିବ ପ୍ରଶାନ୍ତ (ଛଦ୍ମନାମ) ମନ୍ଦାରସାହି ପଞ୍ଚାୟତ କାଳାହୀ ଗ୍ରାମର ରବି ଦାସଙ୍କଠାରୁ ୨୦୧୪ ମସିହାରେ ୩୫ ହଜାର ଟଙ୍କା ସୁଧରେ ନେଇଥିଲେ। ଚୁକ୍ତି ମୁତାବକ ପ୍ରଶାନ୍ତ ମାସକୁ ମାସ, ୨ ବର୍ଷ ଯାଏ ନେଇଥିବା ଧାର ଟଙ୍କା ଉପରେ ସୁଧ ଦେଇଚାଲିଥିଲେ। ତେବେ ଦିନକୁ ଦିନ ସୁଧ ପରିମାଣ ବଢ଼ିବାରୁ ୨୦୧୬ ମସିହାରେ ପ୍ରଶାନ୍ତ ଅଧିକ ରୋଜଗାର ପାଇଁ ବାଧ୍ୟହୋଇ ବାହାର ରାଜ୍ୟକୁ କାମ କରିବାକୁ ପଳାଇଯାଇଥିଲେ। ଏପରି ସମୟରେ ରବି ଟଙ୍କା ମାଗିବାକୁ ପ୍ରଶାନ୍ତଙ୍କ ଘରକୁ ବାରମ୍ବାର ଯାଉଥିଲେ। ଏମିତି କି ପ୍ରଶାନ୍ତଙ୍କ ପତ୍ନୀ ସୁନିତା (ଛଦ୍ମନାମ)ଙ୍କଠାରୁ ଟଙ୍କା ସୁଝିବା ବାବଦରେ ଏକ ସାଧା କାଗଜରେ ଦସ୍ତଖତ କରାଇନେଇଥିଲେ।

ତେବେ ଗତ ମଙ୍ଗଳବାର ଦିନ ସୁନିତା ତାଙ୍କ ବାପ ଘର କାଳାହୀକୁ ଯାଇଥିଲେ। ସେଠାରୁ ସେ ସ୍ଥାନୀୟ ଦୁର୍ଗାପୂଜା ମେଳା ଦେଖିବାକୁ ବାହାରିଥିଲେ। ମେଳାରେ ସୁନିତାଙ୍କୁ ଦେଖି ରବି ଦାସ ଓ ଭାଇ କଟିଛୁଆ ସେଠାରୁ ଟେକି ନେଇଥିଲେ। ପରେ ତାଙ୍କୁ ନିଜ ଘର ଏକ କୋଠରୀରେ ୮ ଘଣ୍ଟା ବନ୍ଦ କରିଦେଇଥିଲେ। ସେମାନେ ସୁନିତାଙ୍କ ପ୍ରତି ଦୁଷ୍କର୍ମ କରିବା ସହ ସେ ପିନ୍ଧିଥିବା ସୁନା ଗହଣା ସବୁ ଛଡ଼ାଇ ନେଇଥିଲେ। ତେବେ ରବି ଓ କଟିଛୁଆ କବଳରୁ ମୁକୁଳିବା ପରେ ମହିଳା ଜଣକ ଭୋଗରାଇ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ୧୩୮/୧୭ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର