ବସ୍ତା-୨: ତହସିଲ କାର୍ଯ୍ୟାଳୟ ଅଛି। ଆର୍‌ଆଇ କାର୍ଯ୍ୟାଳୟ ବି ରହିଛି। ସବୁ କାମ ଠିକ୍‌ଠାକ୍‌ ହୋଇଯିବା କଥା। ହେଲେ ସେପରି କିଛି ହେଉନି। ଏଆର୍‌ଙ୍କଠାରୁ ପିଅନ ଓ ଅନ୍ୟ ପଦଗୁଡ଼ିକ ଖାଲି ପଡ଼ିଛି। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏପରି ସ୍ଥିତି ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବସ୍ତାରେ।
ବସ୍ତା ତହସିଲ ଅଧୀନରେ ବସ୍ତା ନିର୍ବାଚନ ମଣ୍ଡଳୀର ୧୯ଟି ପଞ୍ଚାୟତ ସହ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ୧୨ଟି ପଞ୍ଚାୟତର ମୋଟ ୨୮୧ଟି ଗାଁ ରହିଛି। ହେଲେ କାର୍ଯ୍ୟାଳୟଗୁଡ଼ିକରେ ଏବେ ଅଧାରୁ ଅଧିକ କର୍ମଚାରୀ ପଦ ଖାଲି ପଡ଼ିଛି। ତହସିଲଦାରଙ୍କ ସହ ୪୬ ଜଣ ଅଧିକାରୀ ଓ କର୍ମଚାରୀ ରହିବା କଥା। ଅଛନ୍ତି ମାତ୍ର ୧୯ ଜଣ। ଫଳରେ ତହସିଲକୁ ବିଭିନ୍ନ କାମରେ ଦୈନିକ ଆସୁଥିବା ହଜାର ହଜାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆବଶ୍ୟକ ଅମିନ ଓ ଚେନ୍‌ମ୍ୟାନ୍‌ ନଥିବାରୁ ଜମି ନିରୂପଣ କାମ ହୋଇ ନପାରି ପଡ଼ିରହୁଛି। ସେହିପରି ବିଭିନ୍ନ ଅଦାଲତି ମାମଲାର ମଧ୍ୟ ଫଇସଲା ହୋଇପାରୁନାହିଁ। ଏମିତିକି ଛାତ୍ରଛାତ୍ରୀମାନେ ଆବଶ୍ୟକ କରୁଥିବା ବିଭିନ୍ନ ପ୍ରମାଣପତ୍ର ମିଳିବାରେ ଅହେତୁକ ବିଳମ୍ବ ହେଉଛି। ୪୬ ଜଣଙ୍କ କାମକୁ ୧୯ ଜଣ କରୁଥିବା ବେଳେ ଆସନ୍ତା ମାସରେ ପୁଣି ୪ ଜଣ କର୍ମଚାରୀ ଅବସର ନେବେ ବୋଲି ଜଣାପଡ଼ିଛି। ଏପରିସ୍ଥଳେ ତହସିଲର କାମ କିପରି ହେବ, ତାକୁ ନେଇ ସାଧାରଣରେ ଚିନ୍ତା ବଢ଼ିବା ସହ ଅସନ୍ତୋଷ ଦେଖାଦେଇଛି।
ଏ ନେଇ ଆଇନଜୀବୀ ଜୀବନ ପ୍ରଧାନ କହିଛନ୍ତି, ସରକାର ପ୍ରତି ୩ଟି ପଞ୍ଚାୟତ ପାଇଁ ଜଣେ ଆର୍‌ଆଇଙ୍କୁ ନିଯୁକ୍ତ କରନ୍ତି। ମାତ୍ର ଏଠାରେ ଦୁଇଟି ଆର୍‌ଆଇ କାର୍ଯ୍ୟାଳୟରେ ଆର୍‌ଆଇଙ୍କ ସହ ପିଅନ ଥିବା ବେଳେ ଅନ୍ୟ ୮ଟି ଆର୍‌ କାର୍ଯ୍ୟାଳୟରେ ଆର୍‌ଆଇଙ୍କୁ ଛାଡ଼ି ଦେଲେ ସମସ୍ତ ଏଆର୍‌ଆଇ ଓ ପିଅନ୍‌ ପଦ ଖାଲିପଡ଼ିଛି। ପୂର୍ବତନ ସମିତିସଭ୍ୟ ରବୀନ୍ଦ୍ର ଦାସଙ୍କ କହିବା କଥା ହେଲା, ସରକାର ଯୋଜନା ପରେ ଯୋଜନା କରୁଛନ୍ତି। କିନ୍ତୁ ତହସିଲ କାର୍ଯ୍ୟାଳୟରେ ନୂଆ ନିଯୁକ୍ତି ଦେଉ ନଥିବା ଯୋଗୁଁ ସାଧାରଣ ଲୋକ ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହେଉଛନ୍ତି। ସେହିପରି ସରକାର ନିଜ ଦଳର ପ୍ରଚାରପ୍ରସାର ପାଇଁ ଯୋଜନା ପରେ ଯୋଜନା ଘୋଷଣା କରୁଛନ୍ତି। କିନ୍ତୁ ଯୋଜନାର କାର୍ଯ୍ୟକାରିତା ନେଇ ଦୃଷ୍ଟି ଦେଉ ନାହାନ୍ତି। ନୂଆ ନିଯୁକ୍ତି ନହେଲେ କିଛି ବର୍ଷ ମଧ୍ୟରେ କେବଳ ରାଜସ୍ବ ବିଭାଗ ନୁହେଁ, ଅନ୍ୟ ବିଭାଗରେ ମଧ୍ୟ କାମ କରିବା ପାଇଁ କର୍ମଚାରୀ ନଥିବେ ବୋଲି କହିଛନ୍ତି ବରିଷ୍ଠ ନାଗରିକ କୁମୁଦ ରଞ୍ଜନ ଗିରି।
ତେବେ ସମସ୍ୟା ସଂପର୍କରେ ବସ୍ତା ତହସିଲଦାର ରାଧାରଞ୍ଜନ ଦାସଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି, ବସ୍ତା ତହସିଲରେ କର୍ମଚାରୀ ସମସ୍ୟା ରହିଛି। ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଅନେକଥର ଅବଗତ କରାଯାଇଛି। ହେଲେ କର୍ମଚାରୀ ନିଯୁକ୍ତ ହେଉନାହାନ୍ତି। ଏଥିରେ ମୁଁ କିଛି କରିପାରିବିନି।