ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ନେହୁରା ହେଉଛି ୯ ବର୍ଷର ପୁଅ

ସୋର: ଘରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ। ଯାହାଙ୍କ ଝାଳବୁହା ଟଙ୍କାରେ ଘର ଚଳୁଥିଲା, ସେ ଆରପାରିକୁ ଚାଲିଗଲେ। ଫଳରେ ଦୁଇପୁଅ ଓ ପତ୍ନୀ ବେସାହାରା ହୋଇ ଯାଇଛନ୍ତି। ପାଖରେ ଟଙ୍କାଟିଏ ନଥିବାରୁ ଦୁନିଆ କ’ଣ ବୁଝି ନଥିବା ନାବାଳକ ବଡ଼ପୁଅ ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଘର ଘର ବୁଲି ସାହାଯ୍ୟ ମାଗୁଛନ୍ତି। ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ସାଜନପୁର ପଞ୍ଚାୟତ ବରହମପୁର ଗ୍ରାମରେ।
ଗ୍ରାମର ଉମେଶ ଜେନା ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଇଥିଲେ। ସେଠାରେ ସେ କ୍ୟାନ୍‌ସରରେ ଆକ୍ରାନ୍ତ ହୋଇଥିଲେ। ଫଳରେ ଉମେଶ ଘରକୁ ପଳାଇ ଆସିଥିଲେ। କଟକ ବଡ଼ଡାକ୍ତରଖାନାରେ ଚିକିତ୍ସା ହେବା ପରେ ମଧ୍ୟ କିଛି ଲାଭ ମିଳିନଥିଲା। ଅର୍ଥ ନଥିବାରୁ ଅଧିକ ଚିକିତ୍ସା ସମ୍ଭବ ନଥିଲା।

ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଗତ ମଙ୍ଗଳବାର ଦିନ ଉମେଶଙ୍କ ମୃତ୍ୟୁ ହୋଇ ଯାଇଥିଲା। ପରିବାରର ଦୁରବସ୍ଥା ଦେଖି ସୋର ଆଦର୍ଶ ଯୁବ ପରିଷଦର ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଅର୍ଥ ଖର୍ଚ୍ଚ କରି ଶବ ଘରକୁ ଆଣିଲେ ଏବଂ ଶେଷକୃତ୍ୟ ମଧ୍ୟ କରିଥିଲେ। ତେବେ ଶୁଦ୍ଧିକ୍ରିୟା କେମିତି ହେବ, ସେ ନେଇ ମୃତ ଉମେଶଙ୍କ ପରିବାର ଲୋକ ଚିନ୍ତାରେ ଥିଲେ। ଏପରି ସମୟରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ୯ ବର୍ଷର ବଡ଼ପୁଅ ଚନ୍ଦ୍ରକାନ୍ତ ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କ ସହାୟତାରେ ଘର ଘର ବୁଲି ସାହାଯ୍ୟ ମାଗୁଛନ୍ତି। ଲୋକମାନେ ମଧ୍ୟ ଅସହାୟତାକୁ ବୁଝି ଯାହା ପାରୁଛନ୍ତି ସାହାଯ୍ୟ କରୁଛନ୍ତି। ତେବେ ଉମେଶଙ୍କ ବିଧବା ପତ୍ନୀ ଆଗକୁ କେମିତି ଘର ଚଳାଇବେ, ସେ ଚିନ୍ତାରେ ଥିବା ବେଳେ ସରକାରୀ ସହାୟତା କିମ୍ବା ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ଗୋଟିଏ ଦୋକାନ କରିଦେଲେ ଗୁଜୁରାଣ ଚଳାଇ ପାରିବେ ବୋଲି ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ କହିଛନ୍ତି।

ସମ୍ବନ୍ଧିତ ଖବର