ବାଲେଶ୍ୱର: ରଙ୍ଗଭରା ଜୀବନ। କେତେବେଳେ ସଫେଦ୍‌ କାନ୍‌ଭାସ୍‌ ପରି। ଯେଉଁଠି ମଣିଷ ଆଙ୍କିପାରେ ଖୁସିର ସମୁଦ୍ର, ସଫଳତାର ଆକାଶ। ଆଉ କେତେବେ‌ଳେ ତା' ଚାରିପାଖରେ ଥାଏ କେବଳ ଅନ୍ଧାର ଆଉ ଅନ୍ଧାର। ଯିଏ ସେଇ ଅନ୍ଧାରକୁ ଭେଦ କରି ଜିଇଁବାର ବାଟ ଖୋଜିପାଏ, ସିଏ ପାଲଟିଯାଏ ଜୀବନ ଯୁଦ୍ଧର ସଫଳ ଯୋଦ୍ଧା। ସେହିପରି ଜଣେ ଯୋଦ୍ଧା ହେଉଛନ୍ତି ବାଲେଶ୍ବର ସହରର ୨୨ ବର୍ଷୀୟା ସୋନାଲିସା ଦାସ। ଯିଏ ପରିବାର ପାଇଁ ନିଜକୁ ସମର୍ପି ଦେଇଛନ୍ତି। କଞ୍ଚା ବୟସରେ ବ୍ୟବସାୟ କରି ଚାରିପ୍ରାଣୀଙ୍କ ପେଟ ପୋଷୁଛନ୍ତି।
ବାଲେଶ୍ବର ସହର ମଠସାହିରେ ସୋନାଲିସାଙ୍କ ଘର। ବାପା ତାଡ଼େଶ୍ବର ସାହୁ ଏବଂ ମାଆ ହରପ୍ରିୟା ସାହୁ। ବାପାମାଆଙ୍କୁ ଛାଡ଼ି ପରିବାରରେ ଅଛନ୍ତି ଜଣେ ସାନ ଭାଇ ଓ ଜଣେ ସାନ ଭଉଣୀ। ଯୁକ୍ତଦୁଇ କଳା ଦ୍ବିତୀୟ ବର୍ଷର ଛାତ୍ର ‌ହେଉଛନ୍ତି ଭାଇ ଦେବେନ୍ଦ୍ର। ଭଉଣୀ ସ୍ତୁତି ଦଶମ ଶ୍ରେଣୀରେ ପଢ଼ନ୍ତି। ସେହିପରି ନିଜେ ସୋନାଲିସା ଯୁକ୍ତତିନି ଶେଷ ବର୍ଷର କଳା ଛାତ୍ରୀ। ବାପା ତାଡ଼େଶ୍ବରଙ୍କ ପରିବା ବ୍ୟବସାୟ ଥିଲା। ହେଲେ ଅସୁସ୍ଥତା ଏବଂ କରୋନା ମାଡ଼ରେ ତାଙ୍କର ବ୍ୟବସାୟ ସଂପୂର୍ଣ୍ଣ ଠପ୍ ହୋଇଗଲା। ପରିବାର ଚଳିବା ପାଇଁ ସମସ୍ୟା ଦେଖାଦେଲା। ସାନ ଭାଇଭଉଣୀଙ୍କ ପାଠପଢ଼ା ବି ବ୍ୟାଘାତ ହେଲା।

Advertisment

ଏପରି ସମୟରେ ଘରର ବଡ଼ଝିଅ ଭାବେ ସୋନାଲିସାଙ୍କୁ ତାଙ୍କର ଦାୟିତ୍ବବୋଧ ଆନ୍ଦୋଳିତ କଲା। ଭାବିଲେ ଚାକିରି କରିବେ। ହେଲେ କମ୍‌ ଦରମାରେ ସବୁ ଆବଶ୍ୟକତା ଯେ ପୂରା ହୋଇ ପାରିବ ନାହିଁ, ତାହା ସେ ଜାଣିଥିଲେ। ସେଥିପାଇଁ ତାଙ୍କୁ ଅଲଗା ବାଟର ପଥିକ ହେବାକୁ ପଡ଼ିବ ବୋଲି ବିଚାର କଲେ। ନିଷ୍ପତ୍ତି ନେଲେ, ବ୍ୟବସାୟ କରିବେ। ବାସ୍ ତା' ପରେ ସୋନାଲିସା ଆଉ ପଛକୁ ଚାହିଁ ନାହାନ୍ତି। ସାଇକେଲ୍‌ରେ ଛକରୁ ଛକ ବୁଲି ଦହିବରା ଆଳୁଦମ୍‌ ବିକ୍ରି କରୁଛନ୍ତି। ତା' ଭିତରେ ସେ ନିଜେ ପାଠ ପଢ଼ିବ‌ା ସହ ଘର କାମ ତୁଲାଉଛନ୍ତି। ବଡ଼ ଭଉଣୀଙ୍କ ସଂଘର୍ଷରେ ଦେବେନ୍ଦ୍ର ବିଭିନ୍ନ ସମୟରେ ସାମିଲ ହୁଅନ୍ତି। ତେବେ ଯେତିକି ରୋଜଗାର ହେଉଛି, କଷ୍ଟରେ ଘର ଚଳୁଛି। ତିନି ଭାଇଭଉଣୀଙ୍କ ପାଠପଢ଼ା ଖର୍ଚ୍ଚ ତୁଲାଇବା କାଠିକର ପାଠ ହେଉଛି। ସୋନାଲିସାଙ୍କ ପରିବାର ଏବେ ଢୋକେ ପିଇ ଦଣ୍ଡେ ଜିଇବା ସ୍ଥିତି ଦେଇ ଗତି କରୁଛି।
ବ୍ୟବସାୟ କରି ଆତ୍ମନିର୍ଭରଶୀଳ ହୋଇଥିବା ସୋନାଲିସା ଚାକିରି ପଛରେ ଗୋଡ଼ାଉଥିବା ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ତାଙ୍କର ପରିଶ୍ରମ ଏବଂ ଘରର ଦୁରବସ୍ଥା ଯିଏ ଆଖିରେ ନଦେଖିଛି, ସିଏ ଜୀବନରେ ସଂଘର୍ଷ କ'ଣ, ବୁଝିପାରିବନି। ଏବେ ବି ସୋନାଲିସାଙ୍କୁ ଅନେକ ବାଟ ଚାଲିବାକୁ ବାକି ଅଛି। ଭାଇକୁ ହାକିମ ଓ ଭଉଣୀକୁ ଅଧ୍ୟାପିକା କରିବାର ତାଙ୍କ ଇଚ୍ଛା ସ୍ବପ୍ନରେ ପରିଣତ ହୋଇଗଲାଣି। ତେବେ ପ୍ରଶାସନ ଚାହିଁଲେ ସେଇ ସ୍ବପ୍ନରେ ଡେଣା ଲାଗିପାରିବ। ସୋନାଲିସାଙ୍କ ପରିବାରକୁ କିପରି ସରକାରୀ ସହାୟତା ମିଳିବ ଏବଂ ତିନି ଭାଇଭଉଣୀ କେମିତି ଉଚ୍ଚଶିକ୍ଷା ପାଇବେ, ସେନେଇ ସହଯୋଗର ହାତ ବଢ଼ିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

-ସନ୍ତୋଷୀ ପୃଷ୍ଟି