ସୋର: ପଥରରେ ଜୀବନ୍ତ ମୂର୍ତ୍ତି ଗଢ଼ି ପ୍ରଶଂସା ସାଉଁଟିବା ସହ ପରିବାର ପ୍ରତିପୋଷଣ କରୁଥିବା ଜଣେ କାରିଗର ଆଜି ମାରାତ୍ମକ ସିଲିକସିସ୍‌ ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣା ଭୋଗୁଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ସୋର ବ୍ଲକ୍‌ ମାଣତ୍ରୀ ପଞ୍ଚାୟତ ମାଣତ୍ରୀ ଗ୍ରାମରେ। ଗ୍ରାମର ଶ୍ରୀକାନ୍ତ ମହାନ୍ତି ମୂର୍ତ୍ତି କାରିଗର। ବାହାର ରାଜ୍ୟରେ ମୂର୍ତ୍ତି କାମ କରି ନାମ କମାଇବା ସହ ପରିବାର ପ୍ରତିପୋଷଣ କରୁଥିଲେ।

Advertisment

publive-image

୨୦୧୮ ମସିହାରେ ତାଙ୍କ ଦେହ ଅସୁସ୍ଥ ହେବାରୁ ଡାକ୍ତରଙ୍କ ସହ ପରାମର୍ଶ କଲେ। ସେ ପଥରଗୁଣ୍ଡ ଯୋଗୁଁ ମାରାତ୍ମକ ସିଲିକସିସ୍‌ ରୋଗରେ ଆକ୍ରାନ୍ତ ଥିବା ଜାଣିବାକୁ ପାଇଥିଲେ। ଶ୍ବାସକ୍ରିୟାରେ ଅସୁବିଧା କାରଣରୁ ଏବେ ଶ୍ରୀକାନ୍ତ ପ୍ରତ୍ୟେକ ଦିନ ଚାରିଥରରୁ ଅଧିକ ଅକ୍ସିଜେନ୍‌ ନେଉଥିବା ବେଳେ ଚିକିତ୍ସା ପାଇଁ ମାସକୁ ୨୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଶଯ୍ୟାଶାୟୀ ଥିବାରୁ ଦୁଇ ପିଲା ଓ ପତ୍ନୀ ଜୟନ୍ତୀ ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି। ପତ୍ନୀ ସ୍ୱାମୀଙ୍କ ଚିକିତ୍ସା ପାଇଁ ଏକ ଛୋଟିଆ ଦୋକାନ କରିଥିଲେ ମଧ୍ୟ ​ସେଥିରୁ ଖର୍ଚ୍ଚ ତୁଲାଇବା ସମ୍ଭବ ହେଉନି। ଏନେଇ ସୋରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦର ସଦସ୍ୟମାନେ ଜାଣିବା ପରେ ଶ୍ରୀକାନ୍ତଙ୍କ ଘରେ ପହଂଚି ତାଙ୍କ ଚିକିତ୍ସା ପାଇଁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ନୂଆ ଲୁଗା ଏବଂ ଏକ ମାସର ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି। ଶ୍ରୀକାନ୍ତଙ୍କ ଚିକିତ୍ସା ପାଇଁ ବେସରକାରୀ ଅନୁ​ଷ୍ଠାନ, ସହୃଦୟ ବ୍ୟକ୍ତି ଓ ସରକାର ସହାୟତା ଦିଅନ୍ତୁ ବୋଲି ପରିଷଦ ପକ୍ଷରୁ ନିବେଦନ କରାଯାଇଛି।