ନୀଳଗିରି: ବାଲେଶ୍ବର ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳୀ ଅଛି। ଯେଉଁଠିକୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଅସୁଛନ୍ତି। ହେଲେ ପର୍ଯ୍ୟଟନସ୍ଥଳୀଗୁଡ଼ିକ ଅବହେଳିତ ହୋଇ ପଡ଼ିରହିଛି। ବିଡ଼ମ୍ବନାର କଥା; ବିକାଶମୂଳକ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ଆସୁଥିଲେ ବି ତାହା କାମରେ ନଲାଗି ଫେରିଯାଉଛି। ଯାହାର ଉଦାହରଣ ଦେଖିବାକୁ ମିଳିଛି ନୀଳଗିରି ପର୍ଯ୍ୟଟନ କ୍ଷେତ୍ରରେ।
ନୀଳଗିରି ପାହାଡ଼ ଓ ବଣଜଙ୍ଗଲରେ ଘେରା ଅଞ୍ଚଳ। ଏଠାରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି। ପଞ୍ଚଲିଙ୍ଗେଶ୍ବର ଶୈବପୀଠ ସହ ଶ୍ରୀଜଗନ୍ନାଥ ମନ୍ଦିର, ରାଜବାଟି, ଭୂଧାରଚଣ୍ଡୀ ମନ୍ଦିର, ପଦ୍ମତୋଳା ହ୍ରଦ, କୁଲଡ଼ିହା ଅଭୟାରଣ୍ୟ ସାଙ୍ଗକୁ ଖୁମକୁଟ, ଋଷିଆ ଓ ସାତଘାଟି ଭଳି ମନୋଲୋଭା ଡ୍ୟାମ୍ ରହିଛି। ଯେଉଁଠିକୁ ପ୍ରତିବର୍ଷ ଅନେକ ପର୍ଯ୍ୟଟକ ଆସନ୍ତି। ହେଲେ ଉକ୍ତ ପର୍ଯ୍ୟଟନସ୍ଥଳଗୁଡ଼ିକ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଦାବି ଅନୁସାରେ ବିକାଶମୂଳକ କାମ ପାଇଁ ସରକାରୀ ଟଙ୍କା ମଞ୍ଜୁର ହେଉଛି। ହେଲେ ଉକ୍ତ ଟଙ୍କା କାମରେ ଲାଗି ପାରୁନି। ଏମିତିକି କାମରେ ନଲାଗିପାରି ଟଙ୍କା ଫେରିଯାଉଥିବା ମଧ୍ୟ ଜଣାପଡ଼ିଛି। ୨୦୨୨-୨୩ ବର୍ଷରେ ପଞ୍ଚଲିଙ୍ଗେଶ୍ବର ମନ୍ଦିରର ଉନ୍ନତୀକରଣ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨ କୋଟି ୫୫ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା। ସେଥିରେ କାଫେ ଓ ପାର୍କିଂସ୍ଥଳ ନିର୍ମାଣ କରାଯାଇଥିବା ବେଳେ ଆଉ କିଛି କାମ ହୋଇ ନଥିଲା। ନିକଟରେ ରାଜ୍ୟ ସରକାର ପୁଣି ୧୫ କୋଟି ୫୮ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି। ହେଲେ ଟେଣ୍ଡର ପକ୍ରିୟା ସରୁ ନଥିବା ବେଳେ କୌଣସି କାମ ଏଯାଏ ଆରମ୍ଭ ହୋଇପାରିନି। ସେହିପିରି ଟାଙ୍ଗଣା ନଦୀଶଯ୍ୟାରେ ଥିବା ୫୩.୭୬ ବର୍ଗ କିଲୋମିଟରର ରିଷିଆ ବନ୍ଧର ଉନ୍ନତୀକରଣ ପାଇଁ ୩ କୋଟି ୯୯ ଲକ୍ଷ ଟଙ୍କା ଆସିଥିଲେ ମଧ୍ୟ ତାହା କାମରେ ନଲାଗି ସରକାରୀ ତହବିଲରେ ପଡ଼ିରହିଛି। ଖୁମକୁଟ ବନ୍ଧର ବିକାଶ ପାଇଁ ୨୦୨୧ ମସିହାରେ ୧୧ ଲକ୍ଷ ଟଙ୍କା ଆସିଥିଲା। ହେଲେ ତା’ର ଠିକ୍ ବିନିଯୋଗ ହୋଇ ପାରି ନଥିଲା। ଫଳରେ ଟଙ୍କାତକ ଫେରିଯାଇଛି। ତେବେ ଚଳିତ ବର୍ଷ ପୁଣି ୧.୫ କୋଟି ଟଙ୍କା ଆସିଥିଲେ ମଧ୍ୟ ଏଯାଏ କାମ ଆରମ୍ଭ ହୋଇନି। ଅନ୍ୟପଟେ ଶ୍ରୀଜଗନ୍ନାଥ ମନ୍ଦିର, ସାତଘାଟି ଡ୍ୟାମ୍, ପଦ୍ମତୋଳା ହ୍ରଦ, ଭୂଧାରଚଣ୍ଡୀ ମନ୍ଦିର ଓ କୁଲଡ଼ିହା ଅଭୟାରଣ୍ୟର ବିକାଶ କରାଯାଉନି। ଏପରି ସମୟରେ ନୀଳଗିରି ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ, ପ୍ରକୃତିପ୍ରେମୀ ରାଜେନ୍ଦ୍ର ଜେନା ଓ ବିଦୟ ପାତ୍ର ପ୍ରଶାସନିକ ଓ ବିଭାଗୀୟ ଅବହେଳାକୁ ଦାୟୀ କରିଛନ୍ତି। ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ତୁରନ୍ତ ସମସ୍ତ ପର୍ଯ୍ୟଟନସ୍ଥଳର ବିକାଶ କାମ କରିବା ପାଇଁ ଦାବି ହୋଇଛି। ଦାବି ପୂରଣ ନହେଲେ ଆନ୍ଦୋଳନ ହେବ ବୋଲି ଲୋକେ ଚେତାବନୀ ଦେଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp