ଜଳେଶ୍ଵର: ୫ ବର୍ଷ ତଳେ ହଠାତ ହୃଦଘାତରେ ଆରପାରିକୁ ଚାଲିଯାଇଥିଲା ପୁଅ। ଆଉ କର୍କଟ ରୋଗରେ ପୀଡ଼ିତ ଥିବା ବୋହୂ ବି ଗତ ୩ ତାରିଖରେ ମୃତ୍ୟୁବରଣ କରିଛି। ଡକାଡକି ହୋଇ ଆରପାରିକୁ ପୁଅବୋହୂ ଚାଲିଯିବା ପରେ ବେସାହାରା ହୋଇ ଯାଇଛନ୍ତି ରୋଗଗ୍ରସ୍ତ ୮୦ ବର୍ଷର ଜେଜେମା ଓ ୧୬ ବର୍ଷର ନାବାଳକ ନାତି। ଜଳେଶ୍ଵର ବ୍ଲକ ଶିଖରପୁର ପଞ୍ଚାୟତ ମଥୁରାନାଥ ଗ୍ରାମର ଜେଜେମା ନାତିଙ୍କ ଦୁର୍ବିସହ ଜୀବନ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ମଥୁରାନାଥ ଗ୍ରାମର ସରସ୍ଵତୀ ଗିରିଙ୍କ ପୁଅ ବୋହୂ ହେଉଛନ୍ତି ମଧୁସୂଦନ ଓ ନିରୁପମା। ପାଞ୍ଚବର୍ଷ ତଳେ ହୃଦଘାତରେ ପୁଅ ଓ ଏବେ କର୍କଟ ରୋଗରେ ବୋହୂର ଜୀବନ ଚାଲି ଯାଇଛି। ବାର୍ଦ୍ଧକ୍ୟଜନିତ ବ୍ୟାଧିରେ ପୀଡ଼ିତ ଥିବା ଅଣ୍ଟା ସଳଖି ଛିଡ଼ା ହୋଇ ପାରୁନଥିବା ବେଳେ ବହୁ କଷ୍ଟରେ ନଇଁନଇଁ ଚାଲିଥାନ୍ତି। ଏପରି ଅବସ୍ଥାରେ ବଡ଼ ନାତୁଣୀକୁ ଧାରଉଧାର କରି ବୋହୂ ନିରୁପମା ବିବାହ କରାଇଥିଲା। ଆଉ ଏକମାତ୍ର ପୁଅ ଦେବାଶିଷ(୧୬)କୁ ବି ରାଇବଣିଆ ସ୍ଥିତ ସାଧୁଚରଣ କଲେଜରେ ଯୁକ୍ତ ଦୁଇରେ ନାମ ଲେଖାଇଥିଲା। ମଧୁସୁଦନଙ୍କ ମୃତ୍ୟୁ ପରେ ନିରୁପମା କର୍କଟ ରୋଗରେ ପୀଡ଼ିତ ହେବା ଖବର ଶୁଣିବା ପରେ ଏହି ପରିବାର ଉପରେ ସତେ ଯେମିତି ଆକାଶ ଛିଡ଼ିପଡ଼ିଥିଲା।

Advertisment

publive-image
ଭଉଣୀ ବିବାହ ଜନିତ ଧାର ଓ ମା'ଙ୍କ କର୍କଟ ରୋଗର ଚିକିତ୍ସା ପାଇଁ କରାଯାଇଥିବା ଋଣ ଶୁଝିବାକୁ ଗତ କିଛି ସପ୍ତାହ ହେଲା ଦେବାଶିଷ ଜଳେଶ୍ଵରର ଏକ ଗ୍ୟାରେଜ ରେ ମଧ୍ୟ କାମ କରୁଥିଲା। ହେଲେ ମା'ଙ୍କ ମୃତ୍ୟୁ ସବୁକିଛି ବିଗାଡ଼ି ଦେଇଛି। ବାପାମା'ଙ୍କ ଆଗରେ ଅଳି ଅର୍ଦ୍ଦଳି କରିବା, ଅବୁଝା ଅଝଟ ହୋଇ ମା'ର ପଣତ କାନିରେ ମୁହଁ ଲୁଚାଇବା ବୟସରେ ଦେବାଶିଷ ଏବେ ବାପାମା ଛେଉଣ୍ଡ। ସବୁଠାରୁ ବଡ଼କଥା ହେଉଛି ଗତ ୩୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ପୁଅ ବୋହୂଙ୍କ ସହାୟତାରେ ଜୀବନ ଜିଇଁଥିବା ରୋଗଗ୍ରସ୍ତ ସରସ୍ଵତୀଙ୍କ ଆଖି ସାମ୍ନାରେ ହାତ ଧରାଧରି ହୋଇ ପୁଅ ବୋହୂ ଏମିତି ଚାଲିଯିବା ଘଟଣାରେ ୪ ଦିନ ହେଲା ତାଙ୍କ ପେଟକୁ ଦାନା ମୁଠାଏ ଯାଇନାହିଁ। ପରିବାରର କୌଣସି ଆୟ ମଧ୍ୟ ନଥିବା ବେଳେ ସମ୍ପତ୍ତି କହିଲେ ଅଳ୍ପ କିଛି ଘରବାଡ଼ି। ଏବେ ପରିବାରର ଭରଣପୋଷଣ, ମା'ଙ୍କ କ୍ରିୟାକାମ, ନିଜର ପାଠପଢ଼ା, ଜେଜେମାଙ୍କ ସେବା ଶୁଶ୍ରୁଷା ପାଇଁ କିଛି ବୁଦ୍ଧି ଦିଶୁନି ବୋଲି କହିଛି ଦେବାଶିଷ। ଏହି ପରିବାରକୁ ସହାୟତାର ହାତ ବଢାଇବାକୁ ଦାବି ହୋଇଛି।