ଉଦୟପୁର(ହରିପଦ ସାହୁ) : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ପାଣିଶଣ୍ଡା ପଞ୍ଚାୟତ ଅନ୍ତର୍ଗତ ସୁଖଶଣ୍ଡା ଗ୍ରାମର ପ୍ରଦୀପ ବାଣୁଆ (୬୨)ଙ୍କ ଜୀବନ ଅନେକ ଝଡ଼ଝଞ୍ଜା ଦେଇ ଗତି କରିଛି। ଦିନେ ସେ ଯାତ୍ରା ପାର୍ଟି ମାଲିକ ଥିଲେ। ହେଲେ ଆଜି ଜଣେ ମୂର୍ତ୍ତି କାରିଗର। ସେହିପରି ତାଙ୍କ ପୁଅ ଦେବାଶିଷ ମଧ୍ୟ ଯାତ୍ରା ପାର୍ଟି ଗଢ଼ି କ୍ଷତି ସହିଛନ୍ତି। ଫଳରେ ତାଙ୍କୁ ଜିଇଁବା ପାଇଁ ବେସରକାରୀ ଚାକିରିରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।
ପ୍ରଦୀପ ଜଣେ କଳାପ୍ରେମୀ। ସେଥିପାଇଁ ସେ ୧୯୯୯ ମସିହାରେ ସୁଭଦ୍ରା ଗଣନାଟ୍ୟ ଗଢ଼ିଥିଲେ। ଯାତ୍ରା ଜଗତରେ ତାଙ୍କର ନାମ ଥିଲା। ତାଙ୍କ ଯାତ୍ରା ପାର୍ଟି କେବଳ ଓଡ଼ିଶା ନୁହେଁ; ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଆଦି ରାଜ୍ୟରେ ଯାତ୍ରା ପ୍ରଦର୍ଶନ କରି ଅନେକ ପ୍ରଶଂସା ସାଉଁଟୁଥିଲା। ଭଲ ଦି’ପଇସା ରୋଜଗାର ହେଉଥିଲା। ଯାତ୍ରା ପାର୍ଟିର ମୁଖ୍ୟ ପରିଚାଳକ ଭାବେ ପ୍ରଦୀପଙ୍କ ନିଜ ଭାଇ ଅରୁଣ ବାଣୁଆ ଏବଂ ସାଧାରଣ ପରିଚାଳକ ଭାବେ ସୁବଳ ନାୟକ ରହିଥିଲେ। ହେଲେ ଆଧୁନିକତା ଓ ଜ୍ଞାନକୌଶଳର ବିକାଶ ଫଳରେ ତାଙ୍କର ଯାତ୍ରା ପାର୍ଟି କ୍ଷତି ସହିଲା। ଯାତ୍ରା ପାର୍ଟିକୁ ବଞ୍ଚାଇ ରଖିବା ପାଇଁ ପ୍ରଦୀପ ପୈତୃକ ସମ୍ପତ୍ତି ବିକିବାକୁ ମଧ୍ୟ ଲାଗିଲେ। ଶେଷରେ ୨୦୨୦ ବେଳକୁ ତାଙ୍କ ଯାତ୍ରା ପାର୍ଟି ବନ୍ଦ ହୋଇଗଲା। ସେହିପରି ପ୍ରଦୀପଙ୍କ ପୁଅ ଦେବାଶିଷ ବାଣୁଆ ମଧ୍ୟ ୨୦୧୪ରେ ରାଜଲକ୍ଷ୍ମୀ ଅପେରା ନାମକ ଏକ ଯାତ୍ରା ପାର୍ଟି ଗଢ଼ିଥିଲେ। ଆଧୁନିକତା ଓ ଜ୍ଞାନକୌଶଳ ପ୍ରଭାବରେ ତାଙ୍କର ଯାତ୍ରା ପାର୍ଟି ମଧ୍ୟ ବନ୍ଦ ହୋଇଯାଇଛି। ଫଳରେ ​ସେ କିଛି ଉପାୟ ନପାଇ ଏବେ ଏକ ବେସରକାରୀ କମ୍ପାନିରେ ସ୍ବଳ୍ପ ବେତନ ପାଇ ଚାକିରି କରୁଛନ୍ତି।
ଏବେ ପ୍ରଦୀପଙ୍କ ପାଖରେ ଘର ଖଣ୍ଡକୁ ଛାଡ଼ି ଆଉ କିଛି ନାହିଁ। ତେବେ ପରିବାର ତ ଚଳାଇବାକୁ ପଡ଼ିବ। ତେଣୁ କିଛି ଉପାୟ ନପାଇ ମୂର୍ତ୍ତି ଗଢ଼ୁଛନ୍ତି। ଯାହା ରୋଜଗାର ହେଉଛି, ସେଥିରେ ଗୁରୁରାଣ ମେଣ୍ଟୁଛି। ଦିନେ ଯାତ୍ରା ପାର୍ଟି ଚଳାଉଥିବା ପ୍ରଦୀପଙ୍କୁ ଆଜି ପରିବାର ଚଳାଇବା ବି କଷ୍ଟକର ହେଉଛି ବୋଲି କୋହଭରା କଣ୍ଠରେ କହନ୍ତି। ସେହିପରି ଦେବାଶିଷ ନିଜ ପରିବାର ଚଳାଇବା ସହ ଘର କଥା ବୁଝିବା​ ପାଇଁ ରିତିମତ ସଂଘର୍ଷ କରୁଛନ୍ତି।
ତେବେ କଳାକୁ ଭଲପାଉଥିବା ବାପାପୁଅଙ୍କ ପରିସ୍ଥିତି ଦେଖିଲେ ଯିଏ କେହି ବି ଭାବବିହ୍ବଳ ହୋଇପଡ଼ିବ। ଯେଉଁମାନେ ଦର୍ଶକଙ୍କୁ ବର୍ଷ ବର୍ଷ ଧରି ମନୋରଂଜନ ଯୋଗାଉଥିଲେ, ସେମାନେ ଆଜି ମନଦୁଃଖରେ କାଳାତିପାତ କରୁଛନ୍ତି। ଏପରି ସମୟରେ ସେମାନଙ୍କ ପ୍ରତି ସରକାର ନୈତିକ କର୍ତ୍ତବ୍ୟ ପାଳନ କରିବା ଦରକାର। ଏହି କଳାକାର ପରିବାରକୁ ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ଉଚିତ ବୋଲି ଅନେକ ବୁଦ୍ଧିଜୀବୀ ଦାବି କରିଛନ୍ତି।