ସୋର(ଅଭୟ ପତ୍ରୀ): ​ଜଣେ କଳାର ଅଧିକାରୀ ହେବା ସୌଭାଗ୍ୟର କଥା। ଏଥିପାଇଁ ଅଧ୍ୟବସାୟ ଓ କଠିନ ପରିଶ୍ରମ ଦରକାର। ତେବେ କର୍ମଜୀବୀ ମହିଳା ବିବିଧ କଳାର ଅଧିକାରିଣୀ ହେବା ଅସାଧାରଣ କଥା। ହେଲେ ଅସାଧାରଣକୁ ସାଧାରଣ କରି ଦେଖାଇଛନ୍ତି ବାଲେଶ୍ବର ଜିଲ୍ଲା ସୋରର ଜଣେ ଶିକ୍ଷୟିତ୍ରୀ। ଯିଏ ମୁରୁଜ କଳା​ରେ ସିଦ୍ଧହସ୍ତା ହୋଇଥିବା ବେଳେ ଲେଖିକା, କଣ୍ଠଶିଳ୍ପୀ ଓ ନୃତ୍ୟଶିଳ୍ପୀ ଭାବେ ମଧ୍ୟ ବେଶ୍‌ ପରିଚିତ।
ସୋର ପୌରାଞ୍ଚଳ ଅଧୀନ କଲେଜ ଛକରେ ରହନ୍ତି ସୁଶ୍ରୀ ସଂଗୀତା ଦାସ। ବୟସ ତାଙ୍କର ୫୦ ବର୍ଷ ହେବ। ସ୍ବାମୀ ରାଜକିଶୋର ନାୟକ। ପିଲାଛୁଆ କହିଲେ ଜଣେ ପୁଅ। ୧୯୭୩ ମସିହାରେ ଭଦ୍ରକ ଜିଲ୍ଲା ଗେଲପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ସଂଗୀତା ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବେଳେ ମୁରୁଜ କଳା ପ୍ରତି ତାଙ୍କର ଆକର୍ଷଣ ଆସିଥିଲା। ସେ ବିଭିନ୍ନ ପର୍ବପର୍ବାଣିରେ ମୁରୁଜ ଦ୍ବାରା ରଙ୍ଗୋଲି କରୁଥିଲେ। ସେହିପରି ଆୟୋଜିତ ବିଭିନ୍ନ ରଙ୍ଗୋଲି ପ୍ରତିଯୋଗିତାରେ ଭାଗ ନେଇ କୃତକାର୍ଯ୍ୟ ହେଉଥିଲେ। ଯେଉଁଥିପାଇଁ ସଂଗୀତା ନିଜ ଅଞ୍ଚଳରେ ବେଶ୍‌ ପରିଚିତ ଥିଲେ। ୨୦୦୨ ମସିହାରେ ସୋର ବ୍ଲକ୍‌ ଗୁଡ଼ ଗ୍ରାମର ରାଜକିଶୋରଙ୍କ ସହ ତାଙ୍କର ବିବାହ ହେଲା। ପତିପତ୍ନୀ ଶିକ୍ଷକତା କରନ୍ତି।

Advertisment

ସଂଗୀତା ଏବେ ସିମୁଳିଆ ବ୍ଲକ୍ ରାଧାବଲ୍ଲଭପୁର ୟୁଜିୟୁପି ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ତେବେ ବିଦ୍ୟାଳୟ ଦାୟିତ୍ବ ଏବଂ ପାରିବାରିକ ବ୍ୟସ୍ତତା ଯୋଗୁଁ ଦିନେ ସଂଗୀତା ରଙ୍ଗୋଲିଠାରୁ ଦୂ​ରେଇ ଯାଇଥିଲେ। ହେଲେ ୨୦୧୦ ମସିହା ବେଳକୁ ସେ କିଛି ଅବସର ସମୟ ପାଇବାରୁ ପୁଣି ମୁରୁଜରେ ର​ଙ୍ଗୋଲି କରିବା ଆରମ୍ଭ କଲେ। ଯାହା ଆଜିଯାଏ ଚାଲିଛି। ସଂଗୀତା ପ୍ରସ୍ତୁତ କରୁଥିବା ରଙ୍ଗୋଲିକୁ ଯିଏ ଦେଖୁଛି, ସିଏ ପ୍ରଶଂସା ନକରି ରହିପାରୁନି। ସେ ଫୁଲ, ଫଳ, ଦେବାଦେବୀ, ଚକୋଲେଟ୍‌ ପରି ବିଭିନ୍ନ ପ୍ରକାରର ରଙ୍ଗୋଲି କରୁଛନ୍ତି। ସେ ପ୍ରସ୍ତୁତ କରୁଥିବା ରଙ୍ଗୋଲିକୁ ଦେଖିଲେ ସହସା ଲାଗିବ, ସେଗୁଡ଼ିକ ଯେମିତି ସତସତିକା। ତେବେ ସଂଗୀତା କେବଳ ଜଣେ ଦକ୍ଷ ମୁରୁଜ ଶିଳ୍ପୀ ନୁହନ୍ତି, ଜଣେ ଲେଖିବା, କଣ୍ଠଶିଳ୍ପୀ ଓ ନୃତ୍ୟଶିଳ୍ପୀ ଭାବେ ମଧ୍ୟ ବେଶ୍‌ ପରିଚିତ। ତାଙ୍କ ଦ୍ୱାରା ଲିଖିତ ଗଳ୍ପ ଓ କବିତା ଅତ୍ୟନ୍ତ ହୃଦୟସ୍ପର୍ଶୀ। ସେ ଗୀତ ଗାଇଲେ ଯେ କେହି ବି ଆକର୍ଷିତ ହୋଇଯିବ। ବୟସ ବଢ଼ିଥିଲେ ବି ତାଙ୍କ ପାଦରେ ଏକ ଅଦ୍ଭୁତ ଶକ୍ତି ରହିଛି। ସେ ନୃତ୍ୟ କରନ୍ତି। ତାଙ୍କ ନୃତ୍ୟ ଦେଖିଲେ ଦର୍ଶକ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଏନେଇ ସଂଗିତାଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ କଠିନ ପରିଶ୍ରମ ଯୋଗୁଁ ସବୁ ସଫଳତା ପାଇଥିବା କହିଛନ୍ତି। ତେବେ ସଂଗୀତା​ ଯାହା କରନ୍ତି; କିଛି ପାଇବା ପାଇଁ ନୁହେଁ, ବରଂ ଆତ୍ମସନ୍ତୋଷ ପାଇଁ କରନ୍ତି ବୋଲି ‘ସମ୍ବାଦ’କୁ କହିଛନ୍ତି।
ସତରେ, ସଂଗୀତା କର୍ମଜୀବୀ ମହିଳାଙ୍କ ପାଇଁ ଜଣେ ପ୍ରେରଣା ଓ ଉଦାହରଣ ପାଲଟିଛନ୍ତି। କିଛି କରିବାର ଜିଦ୍ ନେଇ ଲକ୍ଷ୍ୟ ସ୍ଥିର କଲେ କେହି ବି ଯେ ସଫଳତା ହାସଲ କରିପାରିବ, ସେଥିରେ କୌଣସି ସନ୍ଦେହ ନାହିଁ। ସଂଗୀତା ତାଙ୍କ ଯାତ୍ରା ପଥରେ ଆହୁରି ପ୍ରଶଂସା ଓ ସଫଳତା ସାଉଁଟନ୍ତୁ।