ରାଜବରହମପୁର: ବାପାମା’ ଛେଉଣ୍ଡ ହୋଇଯିବା ପରେ ଜଣେ ୧୦ ବର୍ଷର ବାଳକ ମୁଣ୍ଡ ଗୁଞ୍ଜିବା ପାଇଁ ଏଘର ସେଘର ହେଉଛି। କେଉଁଠି ବି ଶାନ୍ତିରେ ରହିପାରୁନି ଏହି କୁନି ବାଳକ। ଗୋଟିଏ ପଟେ ଦାରିଦ୍ର୍ୟ ତା’ ପାଇଁ ପ୍ରତିବନ୍ଧକ ସାଜିଥିବା ବେଳେ ତାକୁ ସରକାରୀ ସହାୟତା ଲୋଡ଼ା ପଡ଼ିଛି।

Advertisment

ବାଳକଟିର ନାଁ ହେଉଛି ଆନା। ଘର ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଳକ୍ ପଦ୍ମପୋଖରୀ ଗାଁରେ। ବାପାମା’ ଆରପାରିକୁ ଚାଲିଯିବା ତାକୁ ଭରସା ହୋଇଥିଲେ ନୀଳଗିରି ବ୍ଳକ୍ ପିଠାହତା ପଞ୍ଚାୟତ ଜାମୁନା ଗ୍ରାମର ନୀଳ ବିନ୍ଧାଣୀ। ‘ଆନା’କୁ ପୌଷ୍ୟପୁତ୍ର ଭାବରେ ଗ୍ରହଣ କରି ନୀଳ ତା’ର ଲାଳନପାଳନ ଦାୟିତ୍ୱ ନେଇଥିଲେ। ନୀଳଙ୍କ ପରିବାର କହିଲେ ୩ ଝିଅ, ବାପାମା’ ଓ ଧର୍ମପତ୍ନୀ ଚମ୍ପା। ମାତ୍ର କିଛି ଦିନ ପରେ ବିଦ୍ୟୁତ୍‌ ଆଘାତରେ ନୀଳଙ୍କ ଜୀବନ ଚାଲିଗଲା। କିଛି ବର୍ଷ ପରେ ନୀଳଙ୍କ ବାପାମା’ଙ୍କର ବି ଦେହାନ୍ତ ହୋଇଗଲା। ଏହାମଧ୍ୟରେ ୩ ଝିଅଙ୍କର ବିବାହ ହୋଇସାରିଛି। ଫଳରେ ‘ଆନା’କୁ ଲାଳନପାଳନ କରିବାକୁ ଏକାକୀ ଚମ୍ପା ସକ୍ଷମ ହୋଇ ପାରୁନାହାନ୍ତି। ତଥାପି ଦାରିଦ୍ର୍ୟ ମଧ୍ୟରେ ‘ଆନା’ ପିଠାହତା ପଞ୍ଚାୟତ ହାତୀକୁଟ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପଢୁଛି। ମାତ୍ର ଚମ୍ପା ଏବେ ତାକୁ ମାରଧର କରୁଛନ୍ତି। ଫଳରେ ସେଠାରେ ରହିବାକୁ ଉଚିତ୍‌ ମଣିଲାନି ‘ଆନା’।

ଦିନେ ଜାମୁନା ହାଟରେ କେସିପୁର ପଞ୍ଚାୟତ କେଳାମରା ଗ୍ରାମର ସୋରେନ୍ ମୁର୍ମୁଙ୍କୁ ଦେଖି ତାଙ୍କ ସହ ଯିବ ବୋଲି ଜିଦ୍‌ ଧରିଲା। ସୋରେନ ମଧ୍ୟ ତାକୁ ନିଜ ଘରକୁ ନେଇଗଲେ। ହେଲେ ଦାରିଦ୍ର୍ୟ କଷାଘାତରେ ଥିବା ସୋରେନ୍ ବି ‘ଆନା’କୁ ଲାଳନପାଳନ କରିବାକୁ ଅକ୍ଷମ ବୋଲି ପ୍ରକାଶ କରିଛନ୍ତି। ଏଭଳି ପରିସ୍ଥିତିରେ ‘ଆନା’କୁ ଥଇଥାନ ପାଇଁ ସୋରେନ୍‌ ସରକାରୀ ସହାୟତା ଲୋଡ଼ିଛନ୍ତି। ତାକୁ ଅନାଥାଶ୍ରମରେ ରଖାଗଲେ ଦିଅକ୍ଷର ପାଠ ପଢ଼ି ପାରନ୍ତା ବୋଲି କହିଛନ୍ତି ସୋରେନ୍।