କମର୍ଦ୍ଦା(ନରନାରାୟଣ ମିଶ୍ର): ଶ୍ରୀନିବାସ ଦେ ବଞ୍ଚିଛନ୍ତି, ନା ମୃତ; କେହି ଜାଣନ୍ତିନି। ୧୦ ବର୍ଷ ହେଲା ତାଙ୍କୁ ଖୋଜି ଖୋଜି ପରିବାର ଲୋକ ନୟାନ୍ତ। ତେବେ ଶେଷରେ ବ୍ରାହ୍ମଣଙ୍କ ପରାମର୍ଶ ନେଇ ହିନ୍ଦୁ ରୀତିନୀତି ଅନୁସାରେ ପରିବାର ଲୋକ ଶ୍ରୀନିବାସଙ୍କ ଅନ୍ତ୍ୟେଷ୍ଟିକ୍ରିୟା କରିଥିବା ଜଣାପଡ଼ିଛି। ଏହି ଘଟଣା ​ଯେତିକି ସମ୍ବେଦନଶୀଳ, ସେତିକି ଭାବବିହ୍ବଳ ମଧ୍ୟ।
ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଗବଗାଁ ପଞ୍ଚାୟତ ଅଧୀନ ଚିରକୁଲା ଗ୍ରାମବାସୀ ଶ୍ରୀନିବାସ ଜଣେ ଭଲ କବି ଭାବେ ଜଣାଶୁଣା। ୨୦ ବର୍ଷ ତଳେ ଯେତେବେଳେ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା, ବାପାଙ୍କ ପିଣ୍ଡଦାନ ପାଇଁ ବିହାରସ୍ଥିତ ଗୟାକୁ ଯାଇଥିଲେ। ହେଲେ ସେ ଆଉ ଘରକୁ ଫେରିଲେ ନାହିଁ। ପରିବାର ଲୋକ ଓ ଆତ୍ମୀୟସ୍ବଜନ ତାଙ୍କୁ ଅନେକ ଖୋଜିଥିଲେ। କିନ୍ତୁ ପାଇ ନଥିଲେ। ଏଇଭିତରେ ସ୍ବାମୀଙ୍କ ବାଟକୁ ଚାହିଁ ଚାହିଁ ପତ୍ନୀ ତିଳୋତ୍ତମା ୨୦୨୦ ମସିହାରେ ଆଖିବୁଜିଦେଲେ। ମଝିଆଁ ପୁଅ ମନ୍ମଥଙ୍କର ମଧ୍ୟ ପରଲୋକ ହୋଇଗଲା। ନିଖୋଜ ମଣିଷ ଯଦି ୨୦ ବର୍ଷ ପରେ ମଧ୍ୟ ଘରକୁ ନଫେରେ, ତେବେ ହିନ୍ଦୁ ରୀତିନୀତି ଅନୁସାରେ ତା’ର ଅନ୍ତ୍ୟେଷ୍ଟିକ୍ରିୟା କରାଯାଏ। ତେଣୁ ବ୍ରାହ୍ମଣଙ୍କ ପରାମର୍ଶକ୍ରମେ ପରିବାର ଲୋକ ଶ୍ରୀନିବାସଙ୍କ ଅନ୍ତ୍ୟେଷ୍ଟିକ୍ରିୟା କରିଛନ୍ତି। ଚଳିତ ମାସ ୪ ତାରିଖ ଦିନ ତାଙ୍କର କୁଶପୁତ୍ତଳିକା ଦାହ ହୋଇଥିଲା। ୫ ତାରିଖ ଦିନ ଦଶାହ କର୍ମ, ୬ ତାରିଖ ଦିନ ଏକାଦଶାହ କର୍ମ ଏବଂ ୭ ତାରିଖ ଦିନ ଦ୍ବାଦଶାହ କର୍ମ କରାଯାଇଥିଲା। ଏହା ସହିତ ମହାମହୋତ୍ସବ ଓ ଅନାଥଙ୍କୁ ଶୀତବସ୍ତ୍ର ମଧ୍ୟ ବଣ୍ଟାଯାଇଥିଲା।

Advertisment

publive-image

ସେହିପରି ତିଳୋତ୍ତମା ସ୍ମୃତି ପରିଷଦ ପକ୍ଷରୁ ଏକ ଶୋକସଭା ଆୟୋଜନ ହୋଇଯାଇଛି। ବାଲେଶ୍ୱର ଜିଲ୍ଲା ବ୍ରାହ୍ମଣ ମହାସଭାର ଉପସଭାପତି ଭୃଗୁରାମ କରଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୋକସଭାରେ ଅତିଥି ଭାବେ ଡ. କେଶବ ଚନ୍ଦ୍ର ମହାପାତ୍ର, ପ୍ରଫେସର ସୁଶାନ୍ତ ରାଜ, ଡ. ନିତ୍ୟାନନ୍ଦ ମିଶ୍ର, ଅଧ୍ୟାପକ ହେମନ୍ତ କୁମାର ମୁଦୁଲି, ଅଧ୍ୟାପକ ନିରଞ୍ଜନ ବେହେରା, ପ୍ରବୋଧ କୁମାର ଦେ, ଶିକ୍ଷକ କଳ୍ପତରୁ ପାତ୍ର, ଅଧ୍ୟାପକ ଅମରେନ୍ଦ୍ର ଦାସ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ‘ପିତୃ ମହିମା’ ସ୍ମରଣିକା ସହ ଗଗନ ଦେ’ଙ୍କ ଲିଖିତ ‘ଶ୍ରୀନିବାସ ପଦ୍ମାବଳୀ’ ଗ୍ରନ୍ଥ ଉନ୍ମୋଚିତ ହୋଇଥିଲା। ପ୍ରଫେସର ମନୋରଞ୍ଜନ ଦାସ ବେଦପାଠ, ଶ୍ରୀନିବାସଙ୍କ ବଡ଼ପୁଅ ଗଗନ ଦେ ଅତିଥି ପରିଚୟ ପ୍ରଦାନ, ଅଧ୍ୟାପକ ପରମେଶ୍ବର ଦେ କାର୍ଯ୍ୟକ୍ରମ ସଞ୍ଚାଳନ, ଅଧ୍ୟାପକ ପ୍ରିୟବ୍ରତ ବେହେରା ଧନ୍ୟବାଦ ଅର୍ପଣ ଏବଂ ପୁଅ ଗଗନ ଦେ, ସାମନ୍ତ ଶେଖର ଦେ ତଥା ପରିବାରର ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ବାସ୍ତବରେ ଏହି ଘଟଣା ​ଯେତିକି ସମ୍ବେଦନଶୀଳ, ସେତିକି ଭାବବିହ୍ବଳ ମଧ୍ୟ। ଏହି ଅବସରରେ ଗ୍ରାମବାସୀ ତଥା ଅନେକ ବିଶିଷ୍ଟ ବ୍ୟକ୍ତି ଶ୍ରୀନିବାସଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ଏବଂ ସୁଖମୟ ଜୀବନ କାମନା କରିଛନ୍ତି।