ଭୋଗରାଇ: ସୁବର୍ଣ୍ଣରେଖା ନଦୀ ସଂସ୍କାର ଯୋଜନା ବାଟହୁଡ଼ିଛି। ନଦୀବନ୍ଧର ଦୀର୍ଘ ୨୦ କିଲୋମିଟର ଆଡ଼ି ଏବେ ମୁକୁଳା ପଡ଼ିଥିବା ବେଳେ ନଦୀକୂଳ ଖାଇ ତଟବର୍ତ୍ତୀ ଭୋଗରାଇ ବ୍ଲକ୍‌ର ୪ଟି ଗାଁ ନଦୀରେ ଲୀନ ହେବାକୁ ବସିଲାଣି। ଭୋଗରାଇର ପୂର୍ବ ଓ ଦକ୍ଷିଣ ସୀମାକୁ ପଶ୍ଚିମବଙ୍ଗ ଓ ବଙ୍ଗୋପସାଗର ଲାଗିରହିଥିବା ବେଳେ ପଶ୍ଚିମରେ ସୁବର୍ଣ୍ଣରେଖା ନଦୀ ଭୋଗରାଇରୁ ବାଲିଆପାଳ ଏବଂ ବସ୍ତା ବ୍ଲକ୍‌କୁ ଅଲଗା କରିଛି। ୩୮୪ ବର୍ଗ କିଲୋମିଟର ଆୟତନ ବିଶିଷ୍ଟ ଭୋଗରାଇ ବ୍ଲକ୍‌କୁ ଭୁଆବନ୍ଧ ପ୍ରାୟ ସମାନ ଦୁଇଭାଗରେ ବିଭକ୍ତ କରିଛି।

Advertisment

publive-image

ସୁବର୍ଣ୍ଣରେଖା ନଦୀ ଭୋଗରାଇ ବ୍ଲକ୍‌ର ୫୦ଟି ପଞ୍ଚାୟତର ସାଢ଼େ ୩ ଲକ୍ଷ ଲୋକଙ୍କର ଜୀବନରେଖା ପାଲଟିଥିବା ବେଳେ ପ୍ରତ୍ୟେକ ବର୍ଷ ବର୍ଷାଦିନେ ବନ୍ୟା ହୋଇ ନଦୀର ଗତିପଥ ପରିବର୍ତ୍ତନ ହୋଇଥାଏ। ବନ୍ୟା ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ମଧ୍ୟ ବଢ଼ିଥାଏ। ବିଶେଷ କରି ସୁବର୍ଣ୍ଣରେଖା ନଦୀକୂଳରେ ଥିବା ଚନ୍ଦ୍ରାବାଲି, କୀର୍ତ୍ତନିଆ, କୁମ୍ଭୀରଗଡ଼ି, କାଠକଟା, ବାଉଁଶଖଣା, ପନ୍ତେଇ, ଖଳାବାଡ଼ିଆ, କୁହ୍ଲା, ମନୁନଗର, ହରିଣକୁଲି, ଖରିଦପିପଳ, ଦହମୁଣ୍ଡା, ଉଲୁଡ଼ା, ଆରୁହାବୃତ୍ତି, ରସଲପୁର ଆଦି ଗାଁ ନଦୀକୂଳକୁ ଲାଗିଥିବା ବେଳେ ଅତଡ଼ା ଖସି ଏବେ ସମ୍ପୃକ୍ତ ଅଞ୍ଚଳ ପାଇଁ ବିପଦ ସୃଷ୍ଟି ହୋଇଛି। ବନ୍ୟା ଆସିଲେ ଉତ୍ତର ଭୋଗରାଇ ଅଞ୍ଚଳର ୧୫ରୁ ଅଧିକ ପଞ୍ଚାୟତ ଜଳମଗ୍ନ ହୋଇ ବିଭିନ୍ନ ଚାଷ ବ୍ୟାପକ ଭାବେ ପ୍ରଭାବିତ ହୋଇଥାଏ। ଦକ୍ଷିଣ ଭୋଗରାଇ ଅଞ୍ଚଳର ମଧ୍ୟ ୧୦ରୁ ଅଧିକ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଥାଏ। ବିଶେଷ କରି କୁମ୍ଭୀରଗଡ଼ି, ପନ୍ତେଇ, ବାଉଁଶଖଣା, ମନୁନଗର ଆଦି ଗାଁ ଏବେ ସୁବର୍ଣ୍ଣରେଖା ନଦୀଗର୍ଭରେ ଲୀନ ହେବାକୁ ବସିଲାଣି। ବର୍ଷା ଓ ବନ୍ୟା ସମୟରେ ଏହିସବୁ ଗାଁ’ର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏଥିପାଇଁ ସୁବର୍ଣ୍ଣରେଖା ନଦୀ ସଂସ୍କାର ଯୋଜନା ଏବେ କାର୍ଯ୍ୟକାରୀ ହେବାକୁ ଦାବି ହୋଇଛି।

ଜଳସମ୍ପଦ ବିଭାଗ ପକ୍ଷରୁ ସୁବର୍ଣ୍ଣରେଖା ନଦୀର ଭୋଗରାଇ ପଟେ ୧୦ କିମି ପଥରବନ୍ଧ ଓ ୪୦ଟି ସ୍ପର୍‌ ନିର୍ମାଣ ହୋଇଥିଲେ ମଧ୍ୟ ଆହୁରି ୨୦ କିମି ନଦୀଶଯ୍ୟା ଏବେ ମୁକୁଳା ପଡ଼ିଛି। ଯେଉଁଥିରେ କି ପଥରବନ୍ଧ ସହିତ ଆହୁରି  ୫୦ରୁ ଅଧିକ ସ୍ପର୍‌ ନିର୍ମାଣର ଆବଶ୍ୟକତା ରହିଛି। ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ମୁକୁଳା ନଦୀବନ୍ଧରେ ପଥରବନ୍ଧ ଓ ସ୍ପର୍‌ ନିର୍ମାଣ କରିବାକୁ ସାଧାରଣରେ ଦାବି ହୋଇଛି।