ଜଳେଶ୍ୱର: ସୁବର୍ଣ୍ଣରେଖା ନଦୀତଟ ସୁରକ୍ଷା ପାଇଁ ୨୧ କୋଟି ଟଙ୍କାର ୩ଟି ଯୋଜନା ଦୀର୍ଘଦିନ ହେବ ପଡ଼ିରହିଛି। କାର୍ଯ୍ୟକାରୀ ହେଉ ନଥିବାରୁ ତଟକୂଳବାସୀ ଏବେ ଆତଙ୍କିତ ଅବସ୍ଥାରେ ଦିନ‌ କାଟୁଛନ୍ତି। ଜଳେଶ୍ୱର ବ୍ଲକ୍‌ର କୁଆଁରପୁର ଓ ଜମାଳପୁର ନିକଟରେ ନଦୀବନ୍ଧ ଦିନକୁ ଦିନ ଧସିବାରେ ଲାଗିଛି। ଫଳରେ ନଦୀବନ୍ଧଠାରୁ ଢେର ଦୂରରେ ଥିବା ପ୍ରଧାନମନ୍ତ୍ରୀ ସଡ଼କ ଏବେ ନଦୀରେ ମିଶିବାକୁ ବସିଲାଣି। ଗତ ୧୦ ବର୍ଷ ମଧ୍ୟରେ ନଦୀ କୂଳ ଖାଇବା ଫଳରେ ଜମାଳପୁର ଗାଁ’କୁ ଦିନକୁ ଦିନ ବିପଦ ସୃଷ୍ଟି ହେଉଛି। ସୁବର୍ଣ୍ଣପୁର ନଦୀତଟ ସୁରକ୍ଷା ପାଇଁ ୨୦୧୬ରୁ ବିଭିନ୍ନ ସମୟରେ ପାଖାପାଖି ୨୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମଞ୍ଜୁର ହୋଇଛି। ଜମାଳପୁରଠାରେ ୬. ୬୬ କୋଟି ବ୍ୟୟରେ ବନ୍ଧର ୭୦୦ ମିଟର ପର୍ଯ୍ୟନ୍ତ ପଥର ପ୍ୟାକିଂ ସହ ୩ଟି ଉଚ୍ଚ ସ୍ପର ନିର୍ମାଣ ହେବାକୁ ମଧ୍ୟ ସ୍ଥିର ହୋଇଥିଲା। ଏପରିକି ଯୋଜନାକୁ ବୈଷୟିକ ପରାମର୍ଶଦାତା କମିଟି ଅନୁମୋଦନ ମଧ୍ୟ ଦେଇଥିଲା। ହେଲେ ଏହା ମଧ୍ୟରେ ୫ ବର୍ଷ ବିତିଯାଇଥିଲେ ମଧ୍ୟ ଶୀତଳଭଣ୍ଡାରରେ ପଡ଼ିରହିଛି ଯୋଜନା।

Advertisment

ମାଟି ଅତଡ଼ା ଖସି ନଦୀକୂଳ ଦିନକୁ ଦିନ କ୍ଷୟ ହେବାକୁ ବସିଛି। ଯୋଜନା କେବେ କାର୍ଯ୍ୟକାରୀ ହେବ ତା’ର ମଧ୍ୟ ଉତ୍ତର କାହା ପାଖରେ ନାହିଁ। ସେହିପରି ଜଳେଶ୍ବର ବ୍ଲକ୍‌ର କୋଟସାହି-ଗୋବର୍ଦ୍ଧନପୁର ନିକଟରେ ମଧ୍ୟ ନଦୀ ବନ୍ଧ ଖାଇବାରେ ଲାଗିଛି। ଫଳରେ ତଟ ସୁରକ୍ଷା ଯୋଜନାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ସୁବର୍ଣ୍ଣରେଖାର ତଟରେ ଥିବା କୁଆଁରପୁର ଗ୍ରାମ ଏବେ ଅଧିକ ବିପଦସଂକୁଳ ଅବସ୍ଥାରେ ରହିଛି। ଗ୍ରାମ ନିକଟରେ ପାଖାପାଖି ୪ ଶହ ମିଟର ଅତଡ଼ା ଖାଇଛି। କିଛି ବର୍ଷ ତଳେ ଏହି ସ୍ଥାନରେ ନିର୍ମିତ ହୋଇଥିବା ପଥରବନ୍ଧ ନଦୀ ଭିତରେ ଏକପ୍ରକାରର ନିଶ୍ଚିହ୍ନ ହେବାକୁ ବସିଛି। ତେଣୁ ତୁରନ୍ତ ତଟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରି ପଥର ପ୍ୟାକିଂ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।