ଜଳେଶ୍ୱର: ଅମୃତଭଣ୍ଡା ଚାଷରୁ ମାସକୁ ୩୦ ହଜାର ଟଙ୍କା ରୋଜଗାର କରୁଛନ୍ତି। କେବଳ ଏତିକି ନୁହେଁ, ମାଛ ଚାଷ ସହିତ ପନିପରିବା ଚାଷ ବି କରୁଛନ୍ତି। ଏପରି ସଫଳ ଚାଷୀ ହେଉଛନ୍ତି ଜଳେଶ୍ୱର ବ୍ଲକ୍‌ ସୁଗୋ ଗ୍ରାମର ସଞ୍ଜିତ କୁମାର ପ୍ରଧାନ। ଫଳରେ ଲିମିକା ବୁକ୍ ଅଫ୍ ୱାର୍ଲଡ ରେକର୍ଡସ୍ ଓ ଇଣ୍ଡିଆ ବୁକ୍ ଅଫ୍‌ ରେକର୍ଡରେ ନିଜର ନାମ ସ୍ଥାନୀତ କରିବାକୁ ଶ୍ରୀ ପ୍ରଧାନ ଆବେଦନ କରିଛନ୍ତି।
୫ ବର୍ଷ ଧରି ସୁଗୋ ଗ୍ରାମରେ ୫.୧୦ ଏକର ଜମିକୁ ଲିଜ୍‌ ନେଇ ସଞ୍ଜିତ ସମନ୍ବିତ ଚାଷ କରୁଛନ୍ତି। ମାତ୍ର ଗତ ବର୍ଷ ସେ ଅମୃତଭଣ୍ଡା ଚାଷ ପାଇଁ ମନ ବଳାଇଥିଲେ। ସେଥିପାଇଁ ସେ ଉଦ୍ୟାନ ବିଭାଗ ସହ ଯୋଗାଯୋଗ କରିଥିଲେ। ଆଉ ଉଦ୍ୟାନ ବିଭାଗ ଗୋଟିଏ ଅମୃତଭଣ୍ଡା ଗଛକୁ ୨୦ ଟଙ୍କା ଦରରେ ମୋଟ ୨ ଶହ ଅମୃତଭଣ୍ଡା ଚାରା ଯୋଗାଇଥିଲା। ୬ ମାସ ତଳେ ନିଜର ମାଛ ଜାଆଁଳା ଉତ୍ପାଦନ ପାଇଁ ଉଦ୍ଦିଷ୍ଟ ପୋଖରୀ ହୁଡାରେ ସଞ୍ଜିତ ଉକ୍ତ ଅମୃତଭଣ୍ଡା ଗଛ ଲଗାଇଥିଲେ। ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଏହି ଚାଷ ପାଇଁ ମାତ୍ର ସେ ୧୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ଚାରାରୋପଣର ୪ ମାସ ପରେ ଗଛରୁ ଉତ୍ପାଦନ ଆରମ୍ଭ ହେଲା। ପାଚିଲା ଅମୃତଭଣ୍ଡାକୁ ସେ କିଲୋ ପିଛା ୪୦ରୁ ୫୦ ଟଙ୍କା ଦରରେ ବିକ୍ରି କରୁଛନ୍ତି। ଏବେ ସେ ଦୁଇ ଶହ ଗଛରୁ ପ୍ରତିଦିନ ୩୦ରୁ ୩୫ କିଲୋ ପାଚିଲା ଅମୃତଭଣ୍ଡା ଅମଳ କରୁଛନ୍ତି। ଯେଉଁଥିରୁ ମାସିକ ୩୦ ହଜାର ଟଙ୍କା ରୋଜଗାର ହେଉଛି।

Advertisment

ବଡ଼କଥା ହେଲା; ତାଙ୍କ ବାଡିରୁ ଉତ୍ପାଦିତ ଗୋଟିଏ ଗୋଟିଏ ଅମୃତଭଣ୍ଡାର ଓଜନ ୩ କିଗ୍ରାରୁ ଅଧିକ ହେଉଛି। ଫଳରେ ଏତେ ବଡ଼ ଅମୃତଭଣ୍ଡା ଉତ୍ପାଦନ ପାଇଁ ଲିମ୍‌କା ବୁକ୍ ଅଫ୍ ୱାର୍ଲଡ ରେକର୍ଡସ୍ ଓ ଇଣ୍ଡିଆ ବୁକ୍ ଅଫ୍‌ ରେକର୍ଡରେ ନିଜ ନାମ ଲିପିବଦ୍ଧ ନିମନ୍ତେ ସଞ୍ଜିତ ଆବେଦନ କରିଛନ୍ତି। କେବଳ ଅମୃତଭଣ୍ଡା ନୁହେଁ, ସେ ତାଙ୍କ ପୋଖରୀ ହୁଡାରେ ପୋଇ ଶାଗ, କଖାରୁ, କଞ୍ଚା ଲଙ୍କା, କଲରା, ବାଇଗଣ ଆଦି ମଧ୍ୟ ଚାଷ କରିଛନ୍ତି। ସଞ୍ଜିତଙ୍କ ଜାଆଁଳା ଉତ୍ପାଦନ କେନ୍ଦ୍ରକୁ ବାଲେଶ୍ୱର ଜିଲ୍ଲାପାଳଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ପରିଦର୍ଶନରେ ଆସି ପ୍ରଶଂସା କରିଛନ୍ତି।