ଜଳେଶ୍ୱର: ୧୯୭୦ ମସିହାରେ ପ୍ରତିଷ୍ଠା ହୋଇଥିବା ସୁଗୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ରହିଛି। ଏହି ବିଦ୍ୟାଳୟକୁ ୫-ଟିରେ ଅନ୍ତର୍ଭୁକ୍ତ କରାଯାଇ ରୂପାନ୍ତର କାମ ହୋଇଛି। ହେଲେ ଏଠାରେ ଅସ୍ୱାସ୍ଥ୍ୟକର ପରିବେଶ ଦେଖିବାକୁ ମିଳିଛି। ସାମାନ୍ୟ ବର୍ଷା ହେଲେ ବିଦ୍ୟାଳୟ ହତା ଭିତରେ ପାଣି ଜମି ରହୁଛି। ଛାତ୍ରଛାତ୍ରୀଙ୍କ ଖେଳ ଓ ବ୍ୟାୟାମ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ଲାଗିଥିବା ବିଭିନ୍ନ ସାମଗ୍ରୀ ଅନାବନା ଗଛରେ ଲୁଚିଯିବାକୁ ବସିଛି। ଏପରିକି ଅନାବନା ଗଛ ଭିତରେ ଅନେକ ସମୟରେ ବିଷଧର ସାପ ଚଳପ୍ରଚଳ କରୁଥିବା ଛାତ୍ରଛାତ୍ରୀମାନେ ଦେଖୁଥିବା ପ୍ରକାଶ କରିଛନ୍ତି।

Advertisment

publive-image

ସବୁଠାରୁ ବଡ଼କଥା ହେଉଛି; ବିଦ୍ୟାଳୟରେ ଗତ ୬ ମାସ ଧରି ପିଇବା ପାଣି ସମସ୍ୟା ଲାଗି ରହିଛି। ଛାତ୍ରଛାତ୍ରୀମାନେ ପାଣି ଆଣିବା ପାଇଁ ବିଦ୍ୟାଳୟ ବାହାରକୁ ଯାଉଛନ୍ତି। ସେହିପରି ୨୦୨୧ ମସିହାରୁ ଏଠାରେ ହିନ୍ଦୀ ଶିକ୍ଷକ ପଦ ଖାଲି ପଡ଼ିଛି। ଅନ୍ୟପକ୍ଷରେ ରୂପାନ୍ତର କାମ କିଛି ବାକି ଥିବା ବେଳେ ଠିକାଦାର କାମ ଛାଡ଼ି ପଳାଇଥିବା ଅଭିଯୋଗ ହୋଇଛି। ଏହି ସବୁ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଅଭିଭାବକ ମହଲରେ ଦାବି ହୋଇଛି। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଗୌରୀବାଳା ମହାନ୍ତିଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କହିଥିଲେ, ବିଦ୍ୟାଳୟ ହତା ଖାଲୁଆ ଥିବାରୁ ସେଠାରେ ପାଣି ଜମି ରହୁଛି। ମାଟି ପକାଇ ଉଚ୍ଚ କରିବା ସହ ଜଳ ନିଷ୍କାସନ ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି।