ବାଲେଶ୍ବର: ରିକ୍ସା ଚଳାଇ ଯିଏ ଦିନେ ନିଜ ପରିବାର ପ୍ରତିପୋଷଣ କରୁଥିଲା, ସିଏ ଏବେ ବ୍ରାଉନ୍ସୁଗାର ଭଳି ଧଳାଜହର କାରବାରକୁ ଆପଣେଇଛି। ଏହା ଅପରାଧିକ କାରବାର ହୋଇଥିଲେ ବି ରିକ୍ସା ଟାଣିବା ଠାରୁ ଏଥିରେ ଖୁବ୍ ସହଜରେ ଅଧିକ ରୋଜଗାର କରିହେଉଛି ବୋଲି ଆଜି ସଦର ଅବକାରୀ ବିଭାଗର ମୋବାଇଲ ଟିମ୍ ଦ୍ବାରା ଗିରଫ ହୋଇଥିବା ଅଭିଯୁକ୍ତ ଜଣକ କହିଛି। ଗିରଫ ଅଭିଯୁକ୍ତ ଜଣକ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅଧୀନ ହଳଦୀପଦା ପଞ୍ଚାୟତ ସିଙ୍ଗାରପୁର ଗ୍ରାମ ସେଖ୍ ଜଲ୍ଲାଲ୍ଉଦ୍ଦିନ(୬୦)। ତା’ ଠାରୁ ୩୦ ଗ୍ରାମର ବ୍ରାଉନ୍ ସୁଗାର ସହ ୪୪୮୦ ଟଙ୍କା ଜବତ କରାଯାଇଛି। ଏନେଇ ୧୩୬/୧୯ରେ ମାମଲା ରୁଜୁ ହୋଇ ଜଲ୍ଲାଲକୁ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି।
ସୂଚନାନୁସାରେ, ସେଖ୍ ଜୁଲ୍ଲାଲ ବାଲେଶ୍ବର ସହରରେ ରିକ୍ସା ଚଳାଉ ଥିଲା। ତେବେ ରିକ୍ସାର ଚାହିଦା କମିଯିବା ପରେ ସେ ବିପଳ୍ପ ରୋଜଗାରର ପନ୍ଥା ହିସାବରେ ବ୍ରାଉନସୁଗାର ବେପାରକୁ ଅାପଣାଇଥିଲା। ତିନିବର୍ଷ ତଳେ ସେ ରିକ୍ସା ଚଳାଇବା ଛାଡ଼ି ବ୍ରାଉନ୍ସୁଗାର ବ୍ୟବସାୟରେ ସାମିଲ ହୋଇଥିଲା। ତେବେ ସେ ନିଜେ କେଉଁଠି ବ୍ରାଉନସୁଗାର ବିକ୍ରି ନ କରି ବ୍ରାଉନ୍ସୁଗାର ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ସେ ମଧ୍ୟସ୍ଥି କାମ କରୁଥିଲା। ଜଳେଶ୍ବର ଅଞ୍ଚଳର ଜଣେ ମହିଳା ବ୍ରାଉନ୍ସୁଗାର ବେପାରର କିଙ୍ଗ୍ପିନ୍ ହୋଇଥିବା ବେଳେ ବିଭିନ୍ନ ସମୟରେ ସେ ବ୍ରାଉନ୍ସୁଗାର ଆଣି ଜୁଲ୍ଲାଲ ଘରେ ଦେବା ସହ ତାହା କେଉଁ ସ୍ଥାନରେ ଦିଆଯିବ ଠିକଣା ଦେଇଥାଏ। ସେହି ଅନୁସାରେ ଜୁଲ୍ଲାଲ ସେ ପୁଡ଼ିଆ ନେଇ ସମ୍ପୃକ୍ତ ଗ୍ରାହକ ନିକଟରେ ପହଞ୍ଚାଇଥାଏ। ଏ ବାବଦରେ ପ୍ରତିଥର ତାକୁ ୧୦ ହଜାର ଟଙ୍କା ମିଳିଥାଏ। ପ୍ରତ୍ୟେକ ମାସରେ ସେ ଦୁଇରୁ ତିନିଥର ବ୍ରାଉନ୍ସୁଗାର ନେଇ ଏହିପରି ବିଭିନ୍ନ ସ୍ଥାନକୁ ଯାଇଥାଏ। ତେବେ ଜୁଲ୍ଲାଲ ସବୁଠୁ ଅଧିକ ଥର ବ୍ରାଉନ୍ସୁଗାର ନେଇ କଷାଫଳ ମୁହାଣର କିଛି ମତ୍ସ୍ୟଜୀବୀ ଓ ମାଛ ବେପାରୀଙ୍କୁ ଦେଉଥିବା କହିଛି। ଟ୍ରଲର ମାଲିକମାନେ ଜଳେଶ୍ବର ଅଞ୍ଚଳରୁ ବ୍ରାଉନ୍ସୁଗାର ଅର୍ଡର କରୁଥିବା ଜୁଲ୍ଲାଲଠାରୁ ଜାଣିବାକୁ ମିଳିଛି। ତେବେ ସେ ନିର୍ଦ୍ଦିଷ୍ଟ ଭାବେ କାହାର ନାଁ କହିପାରୁନାହିଁ।
ଆଜି ବିଶେଷ ସୂତ୍ରରୁ ସୂଚନା ପାଇ ଅବକାରୀ ବିଭାଗର ମୋବାଇଲ ଟିମ୍ ଇନ୍ସପେକ୍ଟର ଉଦୟଲାଲ ନାୟକଙ୍କ ନେତୃତ୍ବରେ ଯାଇ ଜୁଲ୍ଲାଲକୁ ତା’ ଘରୁ ଗିରଫ କରିଥିଲେ। ଜବତ ହୋଇଥିବା ୩୦ ଗ୍ରାମ ବ୍ରାଉନ୍ସୁଗାରର ମୂଲ୍ୟ ପ୍ରାୟ ୩ ଟଙ୍କାର ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଦୁଇ ଦିନ ତଳେ ଜଳେଶ୍ବରର ଜଣେ ବ୍ୟକ୍ତି ନିକଟରୁ ମଧ୍ୟ ୩ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ ହୋଇଥିଲା। ବାଲେଶ୍ବର ଜିଲ୍ଲାରେ ବିଭିନ୍ନ ସମୟରେ ଅବକାରୀ ବିଭାଗ ଏମିତି ବ୍ରାଉନ୍ସୁଗାର ବେପାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରୁଛି। ହେଲେ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଲମ୍ବିଥିବା ଏହି ଧଳାଜହରର ଚେର ବା ବେପାରର କିଙ୍ଗ୍ପିନ୍କୁ ଅବକାରୀ ବିଭାଗ କାହିଁକି ଧରିପାରୁନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ରିକ୍ସାଚାଳକରୁ ଧଳାଜହର ବେପାରୀ:୩୦ ଗ୍ରାମ ବ୍ରାଉନ୍ସୁଗାର ସହ ଧରାପଡ଼ିଲା
କଷାଫଳ ମୁହାଣରେ ପହଞ୍ଚାଇଲେ ମିଳୁଥିଲା ୧୦ ହଜାର:ଜଳେଶ୍ବରର ମହିଳା ରୢାକେଟ୍ର କିଙ୍ଗପିନ୍
/sambad/media/post_attachments/wp-content/uploads/2019/01/bls25.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)