ବାଲେଶ୍ବର/ରେମୁଣା: ଗତ ୧୫ ତାରିଖ ରବିବାର ଦିନ ବାଲେଶ୍ବରର ପ୍ରସିଦ୍ଧ ପର୍ଯ୍ୟଟନ ପୀଠ ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଥିଲା ଅଭାବନୀୟ ପରିସ୍ଥିତି। ମେଡିକାଲରେ ଡାକ୍ତରଙ୍କଠାରୁ ଆରମ୍ଭ କରି କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଅଘୋଷିତ ଛୁଟିରେ ଥିବାବେଳେ ରୋଗୀ ପଞ୍ଜୀକରଣ କାଉଣ୍ଟର ଓ ନିରାମୟ ଔଷଧ ବିତରଣ କେନ୍ଦ୍ର ମଧ୍ୟ ବନ୍ଦ ରହିଥିଲା। ଏଭଳି ଅବ୍ୟବସ୍ଥା ମଧ୍ୟରେ ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳର ବସନ୍ତ ପାଣିଗ୍ରାହୀ (୨୬) ବିଷ ପିଇ ଡାକ୍ତରଖାନାକୁ ଆସିଥିଲେ। ହେଲେ ଚିକିତ୍ସା ପାଇବା ବଦଳରେ ସେ ଡାକ୍ତରଖାନା ବାରଣ୍ଡାରେ ବହୁ ସମୟ ଧରି ଅଚେତ ଅବସ୍ଥାରେ ପଡ଼ି ରହିଥିଲେ। ପରେ ତାଙ୍କୁ ମେଡିକାଲର ଡ୍ରେସର୍‌ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିବା ବେଳେ ସଂଧ୍ୟାରେ ଘଟିଥିଲା ପୁଣି ଏକ ଅଘଟଣ। ସ୍ଥାନୀୟ ଅଞ୍ଚଳର ଶିକ୍ଷକ ପ୍ରଭାତ କୁମାର ପଣ୍ଡା ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ରେମୁଣା ଡାକ୍ତରଖାନାକୁ ଆଣିଥିଲେ। ହେଲେ କେହି ଡାକ୍ତର ନଥିବାରୁ ତାଙ୍କୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯିବା ବେଳେ ବାଟ‌ରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ରେମୁଣାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲେ ହୁଏତ ତାଙ୍କ ଜୀବନ ବଞ୍ଚିଯାଇ ପାରିଥାନ୍ତା ବୋଲି ପରିବାର ଲୋକ କହିଛନ୍ତି।

Advertisment

କେବଳ ଶ୍ରୀ ପଣ୍ଡା ନୁହନ୍ତି, ରେମୁଣା ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଯୋଗୁଁ ଅନେକ ସମୟରେ ଲୋକଙ୍କ ଜୀବନ ଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ରେମୁଣା ଡାକ୍ତରଖାନା ଉପରେ ରେମୁଣା ବ୍ଳକ୍‌ ଓ ଏନ୍‌ଏସି ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ନିର୍ଭର କରନ୍ତି। ହେଲେ ରବିବାର କିମ୍ବା ଛୁଟି ଦିନରେ ଡାକ୍ତରଖାନା ଅଧିକାରୀ ଓ କର୍ମଚାରୀ ତାଲା ପକାଇ ଚାଲିଯାଉଥିବା ଦେଖିବାକୁ ମିଳୁଛି। ବର୍ଷକ ବାରମାସ ଦିନରାତି ସେବା ଯୋଗାଇବାର ନିୟମ ଥିଲେ ସୁଦ୍ଧା ରେମୁଣା ଡାକ୍ତରଖାନାରେ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।