ଜଳେଶ୍ୱର(ସତ୍ୟବ୍ରତ ପ୍ରଧାନ): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ର ତାଳସାରୀଠାରୁ ଭୁଷଣ୍ଡେଶ୍ବର ଯାଏ; ୧୪ କିମି ସମୁଦ୍ର ବେଳାଭୂମି ଅଞ୍ଚଳରେ ସମୁଦ୍ର କରାଳ ରୂପ ଧାରଣ କରୁଥିବାରୁ ଏହାର ସୁରକ୍ଷା ଜରୁରୀ ହୋଇ ପଡ଼ିଛି। ଜଳସମ୍ପଦ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ବିଭିନ୍ନ ସ୍ଥାନରେ ହେବାକୁ ଥିବା ସମୁଦ୍ର ତଟ ସୁରକ୍ଷା ପ୍ରକଳ୍ପ (ପଥରବନ୍ଧ ଓ ରାସ୍ତା)ଗୁଡ଼ିକୁ ଦେଢ଼ବର୍ଷ ତଳେ ରାଜ୍ୟ ବୈଷୟିକ ପରାମର୍ଶଦାତା କମିଟି ଅନୁମୋଦନ ଦେଇଥିଲା। ହେଲେ ସିଆର୍‌ଜେଡ୍‌ (କୋଷ୍ଟାଲ୍‌ ରେଗୁଲେସନ୍‌ ଜୋନ୍‌) ଆଇନର କଟକଣା ପାଇଁ କାମ ଆରମ୍ଭ ହୋଇପାରୁନି। ପଥର ବନ୍ଧ ବଦଳରେ ଜିଆର୍‌ଡବ୍ଲ୍ୟୁ (ଜିଓ ରେନ୍‌ଫୋର୍ସଡ ୱାଲ୍‌) ନିର୍ମାଣ ପାଇଁ ଓସେନ୍‌ ଟେକ୍ନୋଲୋଜି ବିଭାଗର ବିଶେଷଜ୍ଞମାନେ ମତ ଦେଇଥିବାରୁ ପୁଣିଥରେ ନୂଆ ଯୋଜନା ପ୍ରସ୍ତୁତ ହେବ ଏବଂ ଟିଏସି (ଟାଇପ୍‌ ଆପ୍ରୁଭାଲ୍‌ ସାର୍ଟିଫିକେସନ୍‌) ଅନୁମୋଦନ ପାଇଁ ଯିବ ବୋଲି ସୂଚନା ମିଳିଛି।
ତେବେ ତଟ ସୁରକ୍ଷା କାମ ବିଳମ୍ବ ହେଉଥିବା​ ଯୋଗୁଁ ତାଳସାରୀଠାରୁ ଭୁଷଣ୍ଡେଶ୍ବର ସମୁଦ୍ର ତଟରେ ଥିବା ସାହାବାଜିପୁର, ହୁଗୁଳି, ଗୋଚ୍ଛିଦାତେଘରୀ, ବିଚିତ୍ରପୁର, ଏନ୍‌ଏମ୍‌ ପଡ଼ିଆ, କୁମ୍ଭୀରଗଡ଼ ଆଦି ପଞ୍ଚାୟତ ଅଧୀନ ବିନ୍ଧାପଦ୍ମପୁର, ଖଡ଼ିବିଲ, କନ୍ୟାନଗରୀ, ବିଚିତ୍ରପୁର, ବଡ଼ପାହି, ଏନ୍‌ଏମ୍‌ ପଡ଼ିଆ, ଚନ୍ଦ୍ରାବାଲି, କୀର୍ତ୍ତନିଆ ସମେତ ପାଖାପାଖି ୧୪ଟି ଗାଁ’ର ଅଧିବାସୀ ଭୟଭୀତ ଅବସ୍ଥାରେ ରହୁଛନ୍ତି। କାରଣ ସମୁଦ୍ର ଜୁଆର ବିଭିନ୍ନ ସମୟରେ କୂଳ ଲଂଘୁଛି ଏବଂ ଜନବସତିକୁ ମାଡ଼ିଯାଇ ନାନା କ୍ଷୟକ୍ଷତି କରୁଛି।

Advertisment

ଉଲ୍ଲେଖ ଥାଉକି ୨୦୨୧ ୟାସ୍‌ ବାତ୍ୟା ପରଠାରୁ ଜୁଆର ଯୋଗୁଁ ତାଳସାରୀଠାରୁ ଭୁଷଣ୍ଡେଶ୍ବର ଯାଏ ଅଞ୍ଚଳର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଫଳରେ ତଟ ସୁରକ୍ଷା ପାଇଁ ୨୦୨୧ ମସିହାରେ ଜଳସମ୍ପଦ ବିଭାଗ ପକ୍ଷରୁ କୋଷ୍ଟାଲ୍‌ ପ୍ରୋଟେକ୍‌ସନ ଓ ସର୍ଭିସ୍‌ ରୋଡ୍‌ ନିର୍ମାଣ ପାଇଁ ସର୍ଭେ କରାଯାଇଥିଲା ଏବଂ ଭିନ୍ନ ଭିନ୍ନ ୯ଟି ପ୍ରକଳ୍ପ ପ୍ରସ୍ତୁତ ହୋଇଥିଲା। ପ୍ରସ୍ତାବ ଥିଲା ପଥର ବନ୍ଧ ସହ ରାସ୍ତା ନିର୍ମାଣ ହେବ। ଏଥିପାଇଁ ମୋଟ ୨ କୋଟି ୧୫ ଲକ୍ଷ ୩୦ ହଜାର ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା। ରାଜ୍ୟ ବୈଷୟିକ ପରାମର୍ଶଦାତା କମିଟି ୨୦୨୨ ମସିହା ମେ ୭ ତାରିଖ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ଦେଇଥିଲା। ତେବେ ଅନୁମୋଦନକୁ ଦେଢ଼ବର୍ଷ ବିତିଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇପାରୁନି। କାରଣରେ ଓସେନ୍‌ ଟେକ୍ନୋଲୋଜି ବିଭାଗର ବିଶେଷଜ୍ଞମାନେ ଦର୍ଶାଇଛନ୍ତି ଯେ ପଥର ବନ୍ଧ ନିର୍ମାଣ ହେଲେ ଜୁଆର ବେଳେ ମାଛ ତଥା ଅନ୍ୟ ସାମୁଦ୍ରିକ ଜୀବମାନେ ପଥରରେ ପିଟି ହୋଇ ମୃତ୍ୟୁବରଣ କରିବା ଆଶଙ୍କା ରହିଛି। ଏପରି ସମୟରେ ସରକାରଙ୍କ ଆଭିମୁଖ୍ୟ ବଦଳିଛି। ପଥରବନ୍ଧ ବଦଳରେ ଜିଆର୍‌ଡବ୍ଲ୍ୟୁ ବା ଜିଓ ରେନ୍‌ଫୋର୍ସଡ ୱାଲ୍‌ ନିର୍ମାଣ ହେବ ବୋଲି ବିଭାଗୀୟ ବାଲେଶ୍ବର ଏସ୍‌ଇ ପ୍ରଭାସ କୁମାର ପ୍ରଧାନ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।

ତେବେ ସମୁଦ୍ର ତଟବାସୀ ସରକାରୀ ନିଷ୍ପତ୍ତିକୁ ଆଉ ଅପେକ୍ଷା କରିପାରିବେନି ବୋଲି କହିଛନ୍ତି। ​ଯେତେ ଶୀଘ୍ର ସମ୍ଭବ ପଥର ବନ୍ଧ କିମ୍ବା ଜିଓ ରେନ୍‌ଫୋର୍ସଡ ୱାଲ୍‌ ନିର୍ମାଣ କରିବାକୁ ଜନସାଧାରଣରେ ଦାବି ହୋଇଛି। ଦାବି ପୂରଣ ନହେଲେ ଜନଆନ୍ଦୋଳନ ହେବ ବୋଲି ଅନୀଲ ମହାନ୍ତି, ରାଜୀବ ପ୍ରଧାନ, ଗୋପାଳ ସ, ଘନଶ୍ୟାମ ନାୟକ, ବନମାଳି ସୁର, ରାମେଶ୍ବର ଦେ, ଚନ୍ଦନ ପାତ୍ର ପ୍ରମୁଖ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।