ଜଳେଶ୍ୱର(ସତ୍ୟବ୍ରତ ପ୍ରଧାନ): ପରିବେଶ ସନ୍ତୁଳନ ରକ୍ଷା ଦିଗରେ ପଶୁପକ୍ଷୀଙ୍କ ପ୍ରମୁଖ ଭୂମିକା ରହିଛି। ଛୋଟ ପଶୁପକ୍ଷୀଙ୍କଠାରୁ ଆରମ୍ଭ କରି ବଡ଼ ପଶୁପକ୍ଷୀ; ଏ ଦିଗରେ ସମସ୍ତଙ୍କ ସମାନ ଅବଦାନ ଅଛି। ହେଲେ ଏବେ ଦେଖାଯାଉଛି; ପ୍ରତିକୂଳ କାରଣଗୁଡ଼ିକ ପାଇଁ ବାଇଚଢ଼େଇ ଲୋପ ପାଇବାକୁ ବସିଛନ୍ତି। ଏପରି ସମୟରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍‌ରେ ସ୍ଥାନୀୟ ଗ୍ରାମବାସୀ ବାଇଚଢ଼େଇ ବଂଶ ବୃଦ୍ଧି ଦିଗରେ ପ୍ରଶଂସନୀୟ କାମ କରୁଛନ୍ତି।
ସମସ୍ତଙ୍କର ପ୍ରିୟ ପକ୍ଷୀ ହେଉଛି ବାଇଚଢ଼େଇ। ଲୋକଙ୍କ ଘର ଛପରରେ ଏବଂ ବାଡ଼ିବଗିଚାରେ ଥିବା ଗଛରେ ଏମାନେ ବସା ବାନ୍ଧି ରହନ୍ତି। ବାଇଚଢ଼େଇଙ୍କ କିଚିରିମିଚିରି ଶବ୍ଦ ପକ୍ଷୀପ୍ରେମୀଙ୍କୁ ଆନମନା କରିପକାଏ। ପରିବେଶର ସନ୍ତୁଳନ ରକ୍ଷା ଦିଗରେ ଏମାନଙ୍କ ପ୍ରମୁଖ ଭୂମିକା ରହିଛି। ହେଲେ ​ଏବେ ଦେଖାଯାଉଛି; ପ୍ରତିକୂଳ କାରଣ ପାଇଁ ବାଇଚଢ଼େଇ ବଂଶ କମିବାରେ ଲାଗିଛନ୍ତି। ସ୍ଥିତି ଏମିତି ହୋଇଛି ଯେ ସେମାନଙ୍କୁ ଆଉ ଦେଖିବାକୁ ବି ମିଳୁନି। ଯାହାଫଳରେ ପରିବେଶ ସନ୍ତୁଳନ ବିଗିଡ଼ିଯାଉଛି। ଯାହାକୁ ନେଇ ପରିବେଶବିତ୍ ତଥା ପକ୍ଷୀପ୍ରେମୀ ଚିନ୍ତାବ୍ୟକ୍ତ କରିଛନ୍ତି। ତେବେ ଏପରି ସମୟରେ ଆଶ୍ବସ୍ତ ହେବା ପରି ଏକ ଖବର ଆସିଛି। ଜଳେଶ୍ବର ବ୍ଲକ୍‌ ଅଧୀନ ଓଲମରା ପଞ୍ଚାୟତ ରାଜନଗର ଗ୍ରାମରେ ଏବେ ବାଇଚଢ଼େଇ ବଂଶ ବଢ଼ିବାରେ ଲାଗିଛି।
୮ ବର୍ଷ ତଳେ ପ୍ରାୟ ୧୦ଟି ବାଇଚଢ଼େଇ ଜଳେଶ୍ବର ବ୍ଲକ୍‌ ଅଧୀନ ଗୋପାଳପୁର ଗ୍ରାମର ଅଶ୍ବିନୀ ଦାସଙ୍କ ବାଡ଼ିରେ ଥିବା ତାଳ ଗଛରେ ବସା ବାନ୍ଧି ରହିବା ଆରମ୍ଭ କରିଥିଲେ। ସେମାନଙ୍କ ସୁରକ୍ଷା ତଥା ବସା ନିର୍ମାଣ ଦିଗରେ ଶ୍ରୀ ଦାସ ସାହଯ୍ୟ କରୁଥିଲେ। ତେବେ କିଛି ମାସ ପରେ ବାଇଚଢ଼େଇମାନେ ସେମାନଙ୍କ ଠିକଣା ବଦଳାଇଥିଲେ। ସେମାନେ ଅଶ୍ବିନୀ ଦାସଙ୍କ ଘରଠାରୁ କିଛି ଦୂର ଗ୍ରାମର ସୁଧାଂଶୁ ଶେଖର ଦାସଙ୍କ ବାଡ଼ିରେ ଥିବା ଏକ ତାଳଗଛରେ ଯାଇ ବସା ବାନ୍ଧିଲେ। ଏବେ ଦୁଇବର୍ଷ ହେଲା ସେମାନେ ରାଜନଗର ଗ୍ରାମର ଧନଞ୍ଜୟ ସାହୁଙ୍କ ବାଡ଼ିରେ ଥିବା ଏକ ତାଳଗଛରେ ବସା ବାନ୍ଧି ରହୁଛନ୍ତି। ଏହି ତାଳଗଛରେ ବାଇଚଢ଼େଇ ବସା ସଂଖ୍ୟା ୬୦ ପାଖାପାଖି ଥିବା ବେଳେ ବାଇଚଢ଼େଇ ୧୨୦ରୁ ଅଧିକ ହେଲାଣି। ଏଠାରେ ବାଇଚଢ଼େଇ ବଂଶ ବୃଦ୍ଧିର କାରଣ ସ୍ଥାନୀୟ ଗ୍ରାମବାସୀଙ୍କ ଉଦ୍ୟମ। ସେମାନେ ବାଇଚଢ଼େଇଙ୍କ ସୁରକ୍ଷା ଦିଗରେ କାମ କରୁଛନ୍ତି। ପବନ କିମ୍ବା ବର୍ଷାରେ ବାଇଚଢ଼େଇ ବସା ଭାଙ୍ଗିଗଲେ କିମ୍ବା ବସାରୁ ଛୁଆ ଖସିପଡ଼ିଲେ ଧନଞ୍ଜୟଙ୍କ ସହ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରନ୍ତି।
ତେବେ ସମୟ ଆସିଛି ପରିବେଶ କିପରି ସନ୍ତୁଳିତ ରହିବ, ସେନେଇ ଚିନ୍ତା କରିବାର। କାରଣ ଜୀବଚକ୍ର ଶୃଙ୍ଖଳିତ ହେଲେ ଜୀବଜଗତ ସୁରକ୍ଷିତ ଓ ସମୃଦ୍ଧ ହେବ। କେବଳ ବାଇଚଢ଼େଇ ବଂଶ ବୃଦ୍ଧି ନୁହେଁ, ଲୋପ ପାଇଯାଉଥିବା ଅନ୍ୟ ପଶୁପକ୍ଷୀମାନଙ୍କର ସୁରକ୍ଷା ନେଇ ମଧ୍ୟ ଲୋକଙ୍କୁ କାମ କରିବାକୁ ପଡ଼ିବ ବୋଲି ବିଶିଷ୍ଟ ସାରସ୍ୱତ ସାଧକ ବିପିନ ବିହାରୀ ବିଶ୍ବାଳ ମତ ରଖିଛନ୍ତି।