କୁଲଡ଼ିହା ଅଭୟାରଣ୍ୟ ଗୁଳିକାଣ୍ଡ ଘଟଣା: ୩ ଅଭିଯୁକ୍ତ ଗିରଫ

ନୀଳଗିରି: କୁଲଡିହା ଅଭୟାରଣ୍ୟ ଗୁଳିକାଣ୍ଡ ଘଟଣାରେ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ରାଜ-ବରହମପୁର ଥାନା ପୁଲିସ ଗୁରୁବାର ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗତ ନଭେମ୍ବର ୧୦ରେ ବାଲିଚୁଆ ବିଟ୍‌ ହାଉସ ନିକଟରେ ହୋଇଥିବା ଗୁଳିକାଣ୍ଡରେ ପୁଲିସ ଜଟିଆକଟାର ଗାଁର ରୋହିଆ ସିଂହଙ୍କ ପୁଅ ଗୁରୁବା ସିଂହ(୨୮), ପଣ୍ଡା ସିଂହଙ୍କ ପୁଅ ବୀରମୋହନ ସିଂହ(୨୭) ଓ ଦେବ ସିଂହଙ୍କ ପୁଅ ବୁଦ୍ଧିରାମ ସିଂହ(୨୫)କୁ ଗିରଫ କରିଛି। ଏମାନଙ୍କ ନାମରେ ଭାରତୀୟ ଦଣ୍ଡ ସଂହିତା ଧାର ୩୦୭, ୩୪(ଆଇପିସି), ଆର୍ମ ଅଧିନିୟମ୨୫(୨୭)ରେ ୪୭/୧୭ରେ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ ଘଟଣା ଦିନ ବିଟ୍‌ ହାଉସ ପକ୍ଷରୁ ଅସ୍ଥାୟୀ ନିଯୁକ୍ତି ପାଇଥିବା ଚନ୍ଦନ ବାଗ(୩୦), ରାମଦନ ସିଂହ(୩୬) ଓ ରମା ସିଂହ(୩୨) ଡ୍ୟୁଟିରେ ଥିବା ବେଳେ ଏକ ବଡ଼ ଧରଣର ଶବ୍ଦ ଶୁଣିଥିଲେ। ସେମାନେ ଶିକାରୀଙ୍କୁ ଅନୁସରଣ କରିବା ସମୟରେ ଚନ୍ଦନ ୩ଟି ଗୁଳିର ଶିକାର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପରେ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଚନ୍ଦନ ଶିକାରୀମାନଙ୍କ ଠିକଣା ପୁଲିସକୁ କହିଥିଲେ।

ସମ୍ବନ୍ଧିତ ଖବର