ବାଲେଶ୍ୱର: ‘କାଳିକ’ରେ ଘୂର୍ଣ୍ଣିଝଡ, ଶୁନ୍ୟକୁ ଉଠାଇ କଚାଡି ଦେଲା ପିକଅପ-କ୍ୟାବିନ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବ୍ଲକ ରାଇବଣିଆ ଅଂଚଳର କାଳିକ ଗାଁରେ ମଙ୍ଗଳବାର ଅପରାହ୍ଣରେ ଘୂର୍ଣ୍ଣିଝଡ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ଘୂର୍ଣ୍ଣିଝଡ ଏତେ ଶକ୍ତିଶାଳୀ ଥିଲା ଯେ, ରାଇବଣିଆ ଫିଲିଙ୍ଗ ଷ୍ଟେସନ ନାମକ ପେଟ୍ରୋଲ ପମ୍ପର ଛପରକୁ ଉଡାଇ ନେଇଛି। ସେହିପରି ତେଲ ପକାଇବାକୁ ଆସିଥିବା ପିକ-ଅପ ଗାଡି ଓ ପମ୍ପ ପାଖରେ ଥିବା ପାନଦୋକାନ କ୍ୟାବିନକୁ ଶୁନ୍ୟକୁ ଉଡାଇ ନେଇ କଚାଡି ଦେଇଛି।

ଏହି ଘଟଣାରେ କ୍ୟାବିନ ଭିତରେ ଥିବା ମାଲିକଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ଘୂର୍ଣ୍ଣିଝଡ ଏହା ପରେ ଜନବସତି ଠାରୁ ଦୁରରେ ଅତିକ୍ରମ କରିଥିବାରୁ ବିଶେଷ କ୍ଷତି ହୋଇନଥିବା ଯୁବନେତା ସନ୍ତୋଷ ଓ ପ୍ରାକ୍ତନ ସରପଞ୍ଚ ଗଙ୍ଗାଧର ଦାସ ସୂଚନା ଦେଇଛନ୍ତି।

ପ୍ରତକ୍ଷ୍ୟଦର୍ଶୀଙ୍କ ଠାରୁ ପ୍ରକାଶ ଯେ ଆଜି କାଳିକ କୁଷ୍ଠାଶ୍ରମ ସନ୍ନିକଟ ଆକାଶରେ କଳା ମେଘ ଦେଖା ହେବା ସହ ସାମାନ୍ୟ ପବନ ବୋହିବା ଆରମ୍ଭ ହୋଇଥିଲା। ଏହାର ମାତ୍ର କେଇମିନିଟ ମଧ୍ୟରେ ଏହି ପବନ ଘୂର୍ଣ୍ଣିଝଡର ରୂପନେଲା। ଘୂର୍ଣ୍ଣିଝଡ ଏତେ ଶକ୍ତିଶାଳୀ ଥିଲା ଯେ କୁଷ୍ଠାଶ୍ରମ ଠାରୁ ମାତ୍ର ଅଳ୍ପ ଦୁରତାରେ ଥିବା ରାଇବଣିଆ ଫିଲିଙ୍ଗ ଷ୍ଟେସନର ଲୁହା ଛପରକୁ କିଛି ଦୂରକୁ ଉଡାଇ ନେଇଥିଲା। ସେଠାକୁ ତେଲ ପକାଇବାକୁ ଆସି ଥିବା ଏକ ଟାଟା ମେଜିକ ଗାଡି (ଓଆର ୦୫ ଏଡି-୫୧୮୮) କୁ ଉଠାଇନେବା ସହ ପୁଣି ତଳେ କଚାଡି ଦେଇଥିଲା।

ଗାଡିଟି ଭାଙ୍ଗିରୁଜି ଯାଇଥବା ବେଳେ ଗାଡିର ଚାଳକ କିନ୍ତୁ ସୌଭାଗ୍ୟ ବଶତଃ ସୁରକ୍ଷିତ ଅଛନ୍ତି। ସେହିପରି ପାଖରେ ଥିବା ଜଣେ ବାଇକ ଆରୋହୀ ବାଇକ ଛାଡି ପଳେଇ ଥିବା ବେଳେ ଟାଟା ମେଜିକ ଗାଡି ସେହି ବାଇକ ଉପରେ ପଡିବା ସହ ବାଇକ ଟି ମଧ୍ୟ ଚାପିହୋଇ ରହିଛି କ୍ଷତିଗ୍ରସ୍ତ ହୋଇଛି। ଅନ୍ୟ ତିନି ଚାରିଟି ବାଇକ ମଧ୍ୟ ତେଲ ପକାଇବାକୁ ଆସି ଥିବା ବେଳେ ଅନୁରୁପ ଭାବେ କ୍ଷତିଗ୍ରସ୍ତ ହୋଇଛି।

ଦୋକାନର ମାଲିକ ବିଜୟ ପ୍ରଧାନ ସେହି କ୍ୟାବିନ ଭିତରେ ଥିବା ବେଳେ ତାଙ୍କୁ ଘଟଣା ସ୍ଥଳ ରୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ। ତେବେ ବର୍ତ୍ତମାନ ତାଙ୍କ ଅବସ୍ଥା ଏବେ ସୁସ୍ଥ ରହିଛି। ଘୂର୍ଣ୍ଣିଝଡ ପରେ ଜନବସତି ଠାରୁ ସାମାନ୍ୟ ଦୁରରେ ପ୍ରବାହିତ ହୋଇଥିବାରୁ ବ୍ୟାପକ କ୍ଷୟକ୍ଷତି ହୋଇ ନ ଥିଲେ ବି ଗଛପତ୍ର ସବୁ ଭାଙ୍ଗି ଯାଇଥିବାର ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର