ବାଲେଶ୍ୱର/ଜଳେଶ୍ବର/ରୁପ୍ସା/ବାହାର୍ଦା/ଗାନ୍ଧିଛକ: ଶନିବାର ବିଳମ୍ବିତ ରାତିରେ ୬୦ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଲ୍ଟୋ କାର(ଓଡି-୦୨ଏଏନ୍-୪୦୯୯)ରେ ଦୁଇଟି ପରିବାରର ୭ ଜଣ ଲୋକ ଘରକୁ ଫେରୁଥିବା ବେଳେ ବାଲେଶ୍ବର ଜିଲ୍ଲାର ବସ୍ତା ବ୍ଲକର କୁଣ୍ଡୁପୁର ଛକ ଠାରେ ଠିଆ ହୋଇଥିବା ଏକ ପଥର ବୋଝେଇ ଡମ୍ପର୍କୁ ଧକ୍କା ଦେଇଥିଲେ। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ପ୍ରତାପ ଚନ୍ଦ୍ର କାମିଳା(୩୦) କଳ୍ପନା କାମିଳା(୨୩), ତପନ ରଣା(୩୫), ଶୁଭିରଂଜନ ପରିଡ଼ା(୩୫)। ଆହତମାନେ ହେଲେ ପାର୍ବତୀ ପରିଡ଼ା(୩୦) , ସାଗର ପରିଡ଼ା(୧୩) ଓ ଭାଗ୍ୟଶ୍ରୀ କାମିଳା(୩)। ଆହତମାନଙ୍କୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ଜଳେଶ୍ବର ଥାନା ଅଧୀନ ପାଇକସିଦା ଗ୍ରାମର ପ୍ରତାପ ଚନ୍ଦ୍ର କାମିଳା(୩୦)ଙ୍କ ସହ ତାଙ୍କ ପତ୍ନୀ କଳ୍ପନା(୨୩), ଝିଅ ଭାଗ୍ୟଶ୍ରୀ(୩), ଖଗଡ଼ାପାଳ ଗ୍ରାମର ଭିଣୋଇ ତପନ ରଣା(୩୫), ବନ୍ଧୁ ଶୁଭିରଂଜନ ପରିଡ଼ା(୩୫), ବନ୍ଧୁପତ୍ନୀ ପାର୍ବତୀ(୩୦) ଓ ପୁଅ ସାଗର(୧୩) ଗତ ଶୁକ୍ରବାର ଦିନ ଏକ ଅଲ୍ଟୋ କାର୍ରେ ପୁରୀ ଶ୍ରୀଜଗନ୍ନାଥ ଦର୍ଶନ କରିବାକୁ ଯାଇଥିଲେ। ଗତକାଲି ସେଠାରୁ ଦର୍ଶନ ସାରି ସେମାନେ ଘରକୁ ଫେରିବା ବାଟରେ ରାତି ପ୍ରାୟ ସାଢ଼େ ୧୨ଟା ବେଳେ ୬୦ ନମ୍ବର ଜାତୀୟ ରାଜପଥର ବସ୍ତାସ୍ଥିତ କୁଣ୍ଡୁପୁର ଛକଠାରେ ଅଚଳ ହୋଇ ରାସ୍ତା ପାର୍ଶ୍ବରେ ଠିଆ ହୋଇଥିବା ଏକ ପଥର ବୋଝେଇ ଡମ୍ପରକୁ ଧକ୍କା ଦେଇଥିଲେ। କାର୍ଟିକୁ ପ୍ରତାପଙ୍କ ଭିଣୋଇ ତପନ ଚଳାଉଥିବା ବେଳେ ଘଟଣାସ୍ଥଳରେ ଅନ୍ୟ ତିନିଜଣଙ୍କ ସହ ତାଙ୍କର ବି ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ସେଠାରେ ତୁରନ୍ତ ବସ୍ତା ଥାନା ପୁଲିସ ଓ ଦମକଳ ବାହିନୀ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବସ୍ତା ସିଏଚ୍ସିକୁ ପଠାଇଥିଲେ। ପରେ ଗୁରୁତର ଆହତ ହୋଇଥିବା ସୂର୍ଯ୍ୟ ପରିଡ଼ାଙ୍କ ପତ୍ନୀ ପାର୍ବତୀ, ତାଙ୍କ ପୁଅ ସାଗର ଓ ପ୍ରତାପଙ୍କ ଝିଅ ଭାଗ୍ୟଶ୍ରୀଙ୍କୁ ବାଲେଶ୍ବର ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବସ୍ତା ପୁଲିସ ଦୁଇଟି ଗାଡ଼ିକୁ ଅଟକ ରଖିଛି। ଏଭଳି ଦୁଃଖଦ ଖବର ଆଜି ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି।
ତୀର୍ଥଯାତ୍ରା ହେଲା ଶେଷଯାତ୍ରା ପୁରୀରୁ ଫେରିବା ବାଟରେ ଦୁର୍ଘଟଣା; ୪ ମୃତ, ୩ ଗୁରୁତର
/sambad/media/post_attachments/wp-content/uploads/2019/04/bls-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)