ବାଲେଶ୍ବର: ଦକ୍ଷିଣ-ପୂର୍ବ ରେଳବାଇର ବାଲେଶ୍ବରସ୍ଥିତ ନିଧିପଣ୍ଡାଠାରେ ବୁଧବାର ପ୍ରବଳ ବର୍ଷା ଯୋଗୁଁ ରେଳଧାରଣା ଧସି ଯାଇଥିଲା। ଦୀର୍ଘ ୩୦ ଘଣ୍ଟା ପରେ ରେଳ ବିଭାଗ ପକ୍ଷରୁ ଏହାର ମରାମତି କାର୍ଯ୍ୟ ଶେଷ କରାଯାଇ ରେଳ ଚଳାଚଳ ସ୍ବାଭାବିକ କରାଯାଇଥିଲେ ହେଁ ଗତ ୩ ଦିନ ହେଲା ଏହି ରୁଟ୍‌ରେ ଗୋଟିଏ ବି ଲୋକାଲ ପାସେଞ୍ଜର ଗଡ଼ୁନଥିବା ଜଣାପଡ଼ିଛି। ଫଳରେ ସାଧାରଣ ଯାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।
ସୂଚନା ଥାଉକି ପ୍ରତିଦିନ ବାଲେଶ୍ବର ​ଷ୍ଟେସନ ଦେଇ ବାଘାଯତୀନ ଏକ୍ସପ୍ରେସ୍‌ (ଅପ୍‌/ଡାଉନ) ଓ ଯାଜପୁର ଲୋକାଲ ଟ୍ରେନ୍‌(ଅପ୍‌/ଡାଉନ) ଡାଉନ୍‌ ଚଳାଚଳ କରିଥାଏ ଏବଂ ଜଳେଶ୍ବର-ପୁରୀ ପାସେଞ୍ଜର, ଖଡ଼ଗପୁର-ଖୋର୍ଦ୍ଧା ପାସେଞ୍ଜର, ଏବଂ ଖଡ଼ଗପୁର-ଭଦ୍ରକ ମେମୁ ଉଭୟ ଅପ୍‌ ଓ ଡାଉନ ରୁଟ୍‌ରେ ଚଳାଚଳ କରିଥାଏ। ହେଲେ ୩ ଦିନ ହେଲା ଏହି ଟ୍ରେନ୍‌ଗୁଡ଼ିକ କୌଣସି କାରଣରୁ ବାତିଲ କରାଯାଇଥିବା ବେଳେ ଯାତ୍ରୀମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ସାଧାରଣ ଯାତ୍ରୀ କମ୍‌ ଭଡ଼ାରେ ଏହି ଟ୍ରେନ୍‌ଗୁଡ଼ିକ ଉପରେ ନିର୍ଭର କରୁଥିବା ବେଳେ ରେଳ ବିଭାଗ ଅକା​ରଣେ ଲୋକାଲ ପାସେଞ୍ଜରଗୁଡ଼ିକୁ ବାତିଲ କରି କେବଳ ଏକ୍ସପ୍ରେସ୍‌ ଓ ମାଲବାହୀ ଟ୍ରେନ୍‌ ଗଡ଼ାଇବାକୁ ନେଇ ଅସନ୍ତୋଷ ଦେଖାଦେଇଛି।
ଏନେଇ ବାଲେଶ୍ବର ଷ୍ଟେସନ ମ୍ୟାନେଜର ଏସ୍‌ ପ୍ରଧାନଙ୍କୁ ପଚାରିବାରୁ ଲୋକାଲ ପାସେଞ୍ଜର ଟ୍ରେନ୍‌ଗୁଡ଼ିକ ବାତିଲ କରାଯାଇଥିବା ଅଭିଯୋଗକୁ ସେ ସ୍ବୀକାର କରିଛନ୍ତି। ଏଥିସହ ସେ କହିଛନ୍ତି ଯାତ୍ରୀମାନଙ୍କ ଅସୁବିଧାକୁ ଦୂର କରିବା ପାଇଁ ମଧ୍ୟାହ୍ନ ୧୨ଟା ୪୫ରେ ଅପ୍‌ ରୁଟ୍‌ରେ ବାଲେଶ୍ବର ଆସୁଥିବା ଧଉଳି ଏକ୍ସପ୍ରେସ୍‌ ଏବଂ ପୂର୍ବାହ୍ନରେ ୧୧ଟାରେ ଡାଉନ୍‌ ରୁଟ୍‌ରେ ବାଲେଶ୍ବର ଦେଇ ଯାଉଥିବା ଇଷ୍ଟକୋଷ୍ଟ ଏକ୍ସପ୍ରେସ୍‌କୁ ପ୍ରତି ଷ୍ଟେସନ୍‌ରେ ରହିବାର ବ୍ୟବସ୍ଥା କରାଯାଇଛି। ତେବେ ଏନେଇ ମଧ୍ୟ ରେଳ ବିଭାଗ ପୂର୍ବରୁ କିଛି ସୂଚନା ଦେଇନାହିଁ କି ସକାଳେ ଯାତାୟତ କରୁଥିବା ଯାତ୍ରୀମାନେ ଏହି ସମୟରେ ଯାତାୟତ କଲେ କିଛି ସୁଫଳ ପାଇପାରୁନଥିବା ଅଭିଯୋଗ କରିଛନ୍ତି। ତେଣୁ ମନମୁଖି ଭାବେ ଚାଲିଥିବା ଟ୍ରେନ୍‌ ଚଳାଚଳ ସମସ୍ୟାକୁ ତୁରନ୍ତ ସମାଧାନ କରା ନଗଲେ ଜିଲ୍ଲାର ଜନସାଧାରଣ ତଥା ବିଭିନ୍ନ ସଂଗଠନ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।