ସୋର: ସାଧାରଣ ନିର୍ବାଚନକୁ ଆହୁରି ୫ ମାସରୁ ଅଧିକ ସମୟ ବାକି ଅଛି। ହେଲେ ଏବେଠୁ ବାଲେଶ୍ବର ଜିଲ୍ଲା ସୋର ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଦେଖାଦେଲାଣି। ଗତ ନିର୍ବାଚନରେ ଯେଉଁମାନେ ପର୍ଶୁରାମ ଧଡ଼ାଙ୍କୁ ବିଧାୟକ ଭାବେ ଜିତାଇବା ପାଇଁ ମଙ୍ଗୁଆଳ ସାଜିଥିଲେ, ସେମାନଙ୍କ ମଧ୍ୟରୁ ଅନେକ ତାଙ୍କୁ ଏବେ ବିରୋଧ କରୁଛନ୍ତି। ପର୍ଶୁରାମ ହଟାଅ, ସୋର ବଞ୍ଚାଅ ନାରା ଦେଇ ବିଭିନ୍ନ ସ୍ଥାନରେ ବିଧାୟକଙ୍କ ଗୋଷ୍ଠୀଙ୍କୁ ଚେକ୍ ଦେବା ପାଇଁ ଉଦ୍ୟମ ଚଳାଇଛନ୍ତି। ଉଭୟ ପକ୍ଷରୁ ଶକ୍ତି ପ୍ରଦର୍ଶନ ପାଇଁ ପୃଥକ୍ ପୃଥକ୍ ସ୍ଥାନରେ ସମାନ୍ତରାଳ ସମାବେଶ, କର୍ମୀ ବୈଠକ ମଧ୍ୟ ଆୟୋଜନ କରାଯାଉଥିବା ଦେଖିବାକୁ ମିଳୁଛି।
ବିଧାୟକ ଶ୍ରୀ ଧଡ଼ାଙ୍କ ନେତୃତ୍ବରେ ଗତ ୮ ତାରିଖ ଦିନ ବାହାନଗା ବ୍ଲକ୍ ଓ ୧୧ ତାରିଖରେ ସୋର ଅଞ୍ଚଳରେ ଜନସମ୍ପର୍କ ପଦଯାତ୍ରା ହୋଇଥିଲା। ଏହାର ଦୁଇଦିନ ପରେ ୧୩ ତାରିଖରେ ଅସନ୍ତୁଷ୍ଟ ବିଜେଡି ଗୋଷ୍ଠୀର ଆଗଧାଡ଼ିର ନେତା ଓ କର୍ମୀ କେନ୍ଦୁଝର ଘଟଗାଁସ୍ଥିତ ମା’ ତାରିଣୀ ମନ୍ଦିରକୁ ଯାଇ ଶ୍ରୀ ଧଡ଼ାଙ୍କ ବଦଳରେ ଦଳର ଜଣେ ଦକ୍ଷ ନେତାଙ୍କୁ ବିଧାୟକ ଭାବେ ଜିତାଇବା ପାଇଁ ଶପଥ ନେଇଥିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଏହି ଚର୍ଚ୍ଚା ନ ଥମୁଣୁ ଆଜି ବିରୋଧୀ ଗୋଷ୍ଠୀ ଜନସମ୍ପର୍କ କାର୍ଯ୍ୟକ୍ରମ କରି ବିଧାୟକ ଶ୍ରୀ ଧଡ଼ାଙ୍କ ନେତୃତ୍ବକୁ ଖୋଲା ବିରୋଧ କରିଛନ୍ତି।
ବିଜେଡି ଯୁବନେତା ଶିବାନୀ ଶଙ୍କର ରାୟଙ୍କ ନେତୃତ୍ୱରେ ବାହାନାଗାରୁ ବିଶାଳ ବାଇକ୍ ଶୋଭାଯାତ୍ରା ବାହାରି ଗୋପାଳପୁର, ଅଞ୍ଜି, ଅନନ୍ତପୁର, ସୋର ଦେଇ ମହୁମୁହାଣ ପଞ୍ଚାୟତସ୍ଥିତ ମା’ କଲ୍ୟାଣ ମଣ୍ଡପ ନିକଟ ପଡ଼ିଆରେ ପହଞ୍ଚିଥିଲା। ସେଠାରେ ବିଜେଡି ଜିଲ୍ଲା ଉପସଭାପତି ଅଶୋକ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ଯୁବନେତା ଶ୍ରୀ ରାୟଙ୍କ ସହ ମଧୁସୂଦନ ଶିଅଳ, ସୁଶାନ୍ତ ପଣ୍ଡା, ଶରତ ରାଜ, ଅନାଦି ଚାରଣ ସାମଲ, ଅଶ୍ୱିନୀ ମହାପାତ୍ର, ବେଣୁଧର ଜେନା, ଗଜେନ୍ଦ୍ର ନାୟକ, ବିଜୟ ସାହୁ, ଜିଲ୍ଲା ପରିଷଦ ସଦସ୍ୟା ରେବତୀ ନାୟକ, ନୀଳାମ୍ବର ମହାଳିକ, ଶଙ୍କର୍ଷଣ ବାରିକ, ପ୍ରଫୁଲ୍ଲ ରାଉତ, ଅଖିଳରାମ ଜେନା, ଦୁର୍ଗାବତୀ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ବିଷୟରେ ଉଦ୍ବୋଧନ ଦେବା ସହ ବିଧାୟକ ଶ୍ରୀ ଧଡ଼ାଙ୍କ ବିରୋଧରେ ବିଷୋଦଗାର କରିଥିଲେ। ଏଥର ବିଧାୟକ ଶ୍ରୀ ଧଡ଼ାଙ୍କ ବଦଳରେ ଜଣେ ଯୁବନେତାଙ୍କୁ ଟିକଟ୍ ଦେବା ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ମଧ୍ୟ ଜଣାଇଥିଲେ।
ଅନ୍ୟପକ୍ଷରେ ବିଧାୟକ ଶ୍ରୀ ଧଡ଼ାଙ୍କ ନେତୃତ୍ବରେ ଆଜି ଏକ ବିଶାଳ ବାଇକ୍ ଶୋଭାଯାତ୍ରା ସହ ସଜାନପୁର ପଞ୍ଚାୟତସ୍ଥିତ ମା’ ଖେଢ଼େଇଙ୍କ ମନ୍ଦିରରେ ଦୀପଦାନ କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ବିଧାୟକଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ତାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ।