ନୀଳଗିରି: ଖରାଦିନ ପୂର୍ବରୁ ଗ୍ରାମରେ ଥିବା ନଳକୂଅ ଅଚଳ ହୋଇପଡ଼ିଛି। ବସୁଧା ଯୋଜନାରେ ଲୋକଙ୍କ ଘରକୁ ପାଇପ୍‌ ଯାଇଥିଲେ ବି ସେଥିରେ ପାଣି ଆସିନାହିଁ। ଫଳରେ ଗ୍ରାମର ୫ ଶହରୁ ଊର୍ଦ୍ଧ୍ବ ଲୋକ ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ଗାଁଠୁ କିଛି ଦୂରରେ ଥିବା ଚୁଆପାଣି ଏବଂ ନଈ ପାଣିକୁ ପିଇ ଶୋଷ ମେଣ୍ଟାଉଛନ୍ତି ଗାଁ ଲୋକେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୀଳଗିରି ବ୍ଲକ୍‌ ମହିଷାପଟ୍ଟା ପଞ୍ଚାୟତ ଜାମ୍ବଣି ଗ୍ରାମରେ।

Advertisment

ଗାଁରେ ନାଁ ଅଛି ଗମନାଗମନ ପାଇଁ ସୁବିଧା ନାଁ ପିଇବା ପାଇଁ ପାନୀୟ ଜଳର ବ୍ୟବସ୍ଥା। ପୁରୁଷ ପୁରୁଷ ଧରି ଆଦିବାସୀ ସମ୍ପ୍ରଦାୟର ଲୋକେ ଏଠାରେ ରହୁଥିବା‌ ବେଳେ ଏନେଇ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀ କେହି ତାଙ୍କ ଦୁଃଖ ଶୁଣୁନାହାନ୍ତି। ଖରାଦିନ ହେଲେ ନଳକୂପ ଓ ଚୁଆ ଶୁଖିଯିବାର ଭୟ ଘାରୁଥିବା ବେଳେ ବର୍ଷା ଦିନ ଆସିଲେ କାଦୁଅ ପଚ୍‌ପଚ୍‌ ରାସ୍ତା ପାଇଁ ଏମାନେ ଘରୁ ବାହାରି ପାରନ୍ତି ନାହିଁ। ରାତି ପାହିଲେ ପାଣିମୁନ୍ଦେ ପାଇଁ ଗାଁର ଛୁଆଠୁ ବଡ଼ ପର୍ଯ୍ୟନ୍ତ ସଭିଏଁ ପାଣି ଟୋପେ ପାଇଁ ମାଇଲିଏ ଦୂରରେ ଥିବା ଚୁଆକୁ ଧାଇଁଥା’ନ୍ତି। ବାଲ୍‌ତି, ଗରା, ବେଲା, ନୋଟା ଓ ଭାର ସାହାଯ୍ୟରେ ପାଣି ଆଣିବା ପାଇଁ ଲମ୍ବା ଧାଡ଼ି ଲଗାଇ ସମସ୍ତେ ଛୁଟିଥା’ନ୍ତି ୩ କିମି ଦୂରରେ ଥିବା ଚୁଆ ଓ ଘାଘରା ନଈକୁ। ଖରାଦିନରେ ଚୁଆପାଣି ଶୁଖିଗଲେ ମଧ୍ୟ ଯେଉଁଠାରେ ଗୋରୁଗାଈ ପାଣି ପିଅନ୍ତି ସେହି ପାଣିକୁ ଗାଁ ଲୋକେ ମଧ୍ୟ ନେଇଯା’ନ୍ତି। ବସୁଧା ଯୋଜନାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ହୋଇଥିବା ପ୍ରକଳ୍ପ ସ୍ଥାନରେ ଆଣ୍ଠୁଏ ଉଚ୍ଚର ଘାସ। ପ୍ରକଳ୍ପ ଘରଟି ଭୂତକୋଠୀ ପାଲଟିଛି। ଗ୍ରାମର ପ୍ରତି ଘରକୁ ପାଇପ୍‌ ଯାଇଥିଲେ ମଧ୍ୟ ଷ୍ଟାଣ୍ଡ ପୋଷ୍ଟ୍‌ ହୋଇନଥିବାରୁ ପାଣି ବାହାରୁନାହିଁ। ପମ୍ପ ଚାଳନା ଦାୟିତ୍ବରେ ଥିବା ଡ୍ରାଇଭର ଜଣକ ଇଚ୍ଛାହେଲେ ପମ୍ପ ଚଲାନ୍ତି ନହେଲେ ନାହିଁ। ଚାଲିଲେ ମଧ୍ୟ ପାଇପ୍‌ରୁ କେବଳ ଗୋଳିଆ ପାଣି ବାହାରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଯାହାକୁ ପିଇ ବହୁ ଗ୍ରାମବାସୀ ରୋଗରେ ପୀଡ଼ିତ ହୋଇଛନ୍ତି। ଗାଁ’ରେ ଥିବା ଦୁଇଟି ନଳକୂପ ମଧ୍ୟରୁ ଗୋଟିଏ ସମ୍ପୂର୍ଣ୍ଣ ଅଚଳ ହୋଇଥିବା ବେଳେ ଅନ୍ୟଟିରୁ ପାଣି ନେବାକୁ ଲୋକଙ୍କ ଲମ୍ବା ଲାଇନ୍‌। ଏନେଇ ବାରମ୍ବାର ସରପଞ୍ଚ ଓ ଉପରିସ୍ଥ ଅଧିକାରୀଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ସେମାନଙ୍କ ସମସ୍ୟାର ସମାଧାନ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଅବସ୍ଥା ସମ୍ପର୍କ‌ରେ ସରପଞ୍ଚ ରବୀନ୍ଦ୍ର ସିଂ’ଙ୍କୁ ପଚାରିବାରୁ ପାହାଡ଼ ଅଞ୍ଚଳ ହୋଇଥିବାରୁ ପାଣିର ସ୍ତର ବହୁତ ତଳେ ଅଛି। ‌ତେଣୁ ଖରାଦିନେ ସେମାନଙ୍କୁ ଟ୍ୟାଙ୍କର୍‌ ଯୋଗେ ପାଣି ଯୋଗାଇ ଦିଆଯାଏ ବୋଲି କହିଛନ୍ତି। ଅଚଳ ହୋଇଥିବା ନଳକୂପକୁ ସଜାଡ଼ିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି ଏବଂ ଖୁବ୍‌ଶୀଘ୍ର ଏହାର ମରାମତି କରାଯିବ ବୋଲି ସରପଞ୍ଚ ଶ୍ରୀ ସିଂ କହିଛନ୍ତି। ନୀଳଗିରି ବିଡିଓ ରାହୁଲ ମଣ୍ଡଳଙ୍କୁ ପଚାରିବାରୁ ତୁରନ୍ତ ତଦନ୍ତ କରାଯାଇ ଲୋକଙ୍କୁ ପାଣି ଦେବାର ବ୍ୟବସ୍ଥା କରାଯିବା ସହିତ କାର୍ଯ୍ୟରେ ଅବହେଳା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।