ସାନପୁଅକୁ ମାରି ଘରେ ପୋତିବା ଘଟଣା: ୧୨ ଦିନ ପରେ ଘରୁ ଜବତ ହେଲା ମୃତଦେହ

ପିନ୍ଧିଥିବା ବଳାକୁ ଦେଖି ସ୍ୱାମୀଙ୍କୁ ଚିହ୍ନିଲେ ସ୍ତ୍ରୀ, ହତ୍ୟାକାରୀ ମା’ ଓ ବଡ଼ପୁଅ ଗିରଫ

ବାହାନଗା/ସୋର: ନିଶା ଖାଇ ଆସିଥିବାରୁ ମା’ ଓ ସାନପୁଅ ମଧ୍ୟରେ ବାକ୍‌ବିତଣ୍ଡାରୁ ଘଟିଗଲା ହତ୍ୟାକାଣ୍ଡ। ଆଖି ଆଗରେ ଏତେ ବଡ଼ ଘଟଣା ଘଟିଯିବ ବୋଲି ମା’ ଓ ବଡ଼ପୁଅ କେବେ ବି ଭାବିନଥିଲେ। ସାନପୁଅର ଜୀବନ ଚାଲିଯିବା ପରେ ମୃତଦେହକୁ ସେହି ଘର ଭିତରେ ପୋତିଦେଇ ଆଉ ଏକ ବଡ଼ ଅପରାଧ କରିବସିଲେ ଅଭିଯୁକ୍ତ ମା’ ଓ ବଡ଼ପୁଅ। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ୧୬ ନଂବର ଜାତୀୟ ରାଜପଥ ପାର୍ଶ୍ଵ ଇଚ୍ଛାପୁର ପୋଖରୀ ଆଡ଼ିରେ ୧୨ ଦିନ ତଳେ ଘଟିଥିବା ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡକୁ ନେଇ ଅଞ୍ଚଳବାସୀ ସ୍ତବ୍ଧ ହୋଇ ଯାଇଛନ୍ତି।

ଆଜି ମାଜିଷ୍ଟ୍ରେଟ୍‌ ତଥା ବାଲେଶ୍ୱର ସଦର ତହସିଲଦାର ଅନାମିକା ସିଂ, ସୋର ଥାନା ଆଇଆଇସି ମଧୁମିତା ମହାନ୍ତି, ଏସଆଇ ଶିରୀଷ ନାୟକ, ଏଏସ୍‌ଆଇ ପ୍ରତାପ କାଲୋ ଏବଂ ସାଇଣ୍ଟିଫିକ୍ ଟିମ୍‌ ଉପସ୍ଥିତିରେ ଘର ଭିତରେ ପୋତା ଯାଇଥିବା ମୃତଦେହ ଉଦ୍ଧାର କରାଯାଇଛି। ହତ୍ୟାକାଣ୍ଡକୁ ୧୨ ଦିନ ବିତିଯାଇଥିବାରୁ ମୃତଦେହ ଅର୍ଦ୍ଧଗଳିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମୃତକ ବଳରାମ ଜେନାଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ଥିବାବେଳେ ହାତରେ ପିନ୍ଧିଥିବା ବଳାକୁ ତାଙ୍କ ପତ୍ନୀ ଲକ୍ଷ୍ମୀ ମୁଦୁଲି ଚିହ୍ନଟ କରିବା ପରେ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଯାଇଛି। ମୃତ ବଳରାମଙ୍କ ସ୍ତ୍ରୀ ଲକ୍ଷ୍ମୀ ମୁଦୁଲିଙ୍କ ଲିଖିତ ଏତଲା କ୍ରମେ ସୋର ଥାନା କେସ୍ ନଂ ୭୭/୨୧ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ଗତକାଲିଠାରୁ ଅଟକ ଥିବା ମା ଶୁକୁରୀ ଓ ବଡଭାଇ ଜଗବନ୍ଧୁଙ୍କୁ ଆଜି ପୁଲିସ ଗିରଫ କରିଛି।

ତାହାରପୁର ଗ୍ରାମର ବାଇଧର ଜେନାଙ୍କ ପରିବାର ବହୁ ବର୍ଷ ଧରି ଜାତୀୟ ରାଜପଥ ପାର୍ଶ୍ଵ ଇଚ୍ଛାପୁର ଗାଁ ପୋଖରୀ ଆଡ଼ିରେ ଚାଳିଘର କରି ରହୁଥିଲେ। ହତ୍ୟାକାଣ୍ଡର ଶିକାର ହୋଇଥିବା ବଳରାମ ଜେନା (୨୪) ବାଇଧରଙ୍କ ସାନପୁଅ। ସେ ଡ୍ରାଇଭର ଭାବେ କାମ କରି ନିଜ ପରିବାର ଭରଣପୋଷଣ କରୁଥିବା ବେଳେ ଅଧିକାଂଶ ସମୟରେ ନିଶାସେବନ କରୁଥିଲେ। ନିଶାପାଣି କରି ମାଡପିଟ୍‌ କରିବା ଯୋଗୁଁ ସ୍ତ୍ରୀ ଲକ୍ଷ୍ମୀ ଓ ଦେଢ଼ବର୍ଷର ଶିଶୁକନ୍ୟା ବହୁଦିନରୁ ବାପ ଘରେ ରହୁଛନ୍ତି। ଗତ ୧୨ ତାରିଖ ରାତି ପ୍ରାୟ ୧୧ଟା ବେଳକୁ ବଳରାମ ନିଶାଗ୍ରସ୍ତ ଅବସ୍ଥାରେ ଘରକୁ ଫେରିବା ପରେ କୌଣସି କଥାକୁ ନେଇ ମା’ ଓ ବଡ଼ଭାଇଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ବଚସା ଉଗ୍ରରୂପ ଧାରଣ କରିବାରୁ ମାଆ ଶୁକୁରୀ ଜେନା (୫୫) ଓ ବଡ଼ଭାଇ ଜଗବନ୍ଧୁ (୩୨) ମିଶି ବଳରାମଙ୍କୁ ଶାବଳରେ ଆକ୍ରମଣ କରିଥିଲେ। ଶାବଳ ମାଡ଼ରେ ବଳରାମଙ୍କର ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା। ସାନପୁଅର ମୃତ୍ୟୁ ହୋଇଯିବାରୁ ଲୋକେ ନଜାଣିବା ପାଇଁ ମା’ ଓ ବଡ଼ପୁଅ ଶୋଇବା ଘର ଭିତରେ ଗାତ ଖୋଳି ଲୁଣ ଦେଇ ମୃତଦେହକୁ ପୋତି ଦେଇଥିଲେ। ତେବେ ବଳରାମ ହଠାତ ନିଖୋଜ ହୋଇଥିଲେ ବି ଘଟଣା ସମ୍ପର୍କରେ କେହି ସାମାନ୍ୟତମ ଟେର ପାଇନଥିଲେ। ଘଟଣାର ୧୧ ଦିନ ପରେ ତ୍ରିବେଣୀରେ ସାନପୁଅର ପିଣ୍ଡଶ୍ରାଦ୍ଧ ସାରି ମା’ ଓ ବଡ଼ପୁଅ ଘରକୁ ଫେରିବା ପରେ କଥା ପଦାକୁ ଆସିଥିଲା। ଏ ସଂପର୍କରେ ସ୍ଥାନୀୟ ଲୋକେ ସୋର ଥାନାକୁ ସୂଚନା ଦେବା ପରେ ପୁଲିସ ଗତକାଲି ମା’ ଓ ବଡ଼ପୁଅକୁ ଥାନାକୁ ନେଇ ପଚରାଉଚରା କରିବାରୁ ଉଭୟ ସବୁ କଥା ମାନି ଯାଇଥିଲେ। ବଳରାମ ହତ୍ୟାକାଣ୍ଡର ଶିକାର ହୋଇ ମୃତ୍ୟୁବରଣ କରିବା ପରେ ସ୍ତ୍ରୀ ଲକ୍ଷ୍ମୀ ଓ ଦେଢ଼ବର୍ଷର ଶିଶୁକନ୍ୟା ବେସାହାରା ହୋଇ ଯାଇଛନ୍ତି।

ସମ୍ବନ୍ଧିତ ଖବର