ନାବାଳିକା ଛାତ୍ରୀ ଗଣଦୁଷ୍କର୍ମ ଘଟଣା : ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ବାଲେଶ୍ୱର : ଠିକ୍ ଦୁଇ ବର୍ଷ ତଳେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଞ୍ଚଳର ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଆଜି ଏହି ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ବିଚାର କରି ବାଲେଶ୍ବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ତଥା ପୋକ୍‌ସୋର ସ୍ବତନ୍ତ୍ର ଅଦାଲତର ବିଚାରପତି ଅଜନ୍ତା ଷଡ଼ଙ୍ଗୀ ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ, ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଭିଯୁକ୍ତମାନେ ୩ ମାସ ଅଧିକ ସଶ୍ରମ କାରାଦଣ୍ଡ ଭୋଗିବେ ବୋଲି ଶୁଣାଣିରେ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୬ ଜାନୁଆରି ୧ ତାରିଖ‌ ସଂଧ୍ୟା ୭ଟାରେ ଜଳେଶ୍ବର ଥାନା ଅଞ୍ଚଳରେ ଜଣେ ଛାତ୍ରୀ ପରୀ(୧୪)(ଛଦ୍ମନାମ)ଙ୍କୁ ତାଙ୍କ ଗାଁର ଧୂଳିଆ ଓରଫ ସନାତନ ମଣ୍ଡଳ(୨୪) ତା’ର ଜଣେ ସାଥୀ ବିକ୍ରମ ମାଝୀ(୧୮) ଦୁଷ୍କର୍ମ କରିଥିଲେ। ପୁଲିସ ଥାନା କେସ୍‌ ନଂ ୨୬/୨୦୧୬ରେ ଆଇପିସିର ଦଫା ୩୭୬(୨)(ଆଇ), ୩୭୬(ଡି), ୫୦୬ ଓ ପୋକ୍‌ସୋ ଆଇନର ୨୦୧୨ର ଦଫା୬ରେ ମାମାଲା ରୁଜୁକରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

୧୮ ଜଣ ସାକ୍ଷୀଙ୍କ ବୟାନ ଓ ୨୩ଟି ଦଲିଲକୁ ଭିତ୍ତି କରି ସ୍ବତନ୍ତ୍ର ଅଦାଲତର ବିଚାରପତି ଅଜନ୍ତା ଷଡ଼ଙ୍ଗୀ ଅଭିଯୁକ୍ତ ଧୂଳିଆ ଓରଫ ସନାତନ ମଣ୍ଡଳ(୨୪) ଓ ବିକ୍ରମ ମାଝୀ(୧୮)ଙ୍କୁ ପୋକ୍‌ସୋ ଆଇନର ଧାରା ୪୨ ଅନୁସାରେ ଉପରୋକ୍ତ ଦଣ୍ଡବିଧାନ କରିଛନ୍ତି।

ସମ୍ବନ୍ଧିତ ଖବର