ବାଲେଶ୍ୱର/ବାଲିଆପାଳ: ବାଲେଶ୍ୱର ଜିଲ୍ଲାର ବାଲିଆପାଳରେ ଶନିବାର ସକାଳୁ ସାମ୍ବାଦିକଙ୍କୁ ହୋଇଥିବା ଆକ୍ରମଣ ଘଟଣାରେ ପୁଲିସ ଅପରାହ୍ନରେ ଦୁଇଜଣ ଅଭିଯୁକ୍ତଙ୍କୁ ଏକ ଧାନ ବିଲରୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ପୁଲିସ ବାଲେଶ୍ୱର ଥାନା ଅନ୍ତର୍ଗତ ତାମୁକୁଣ୍ଡା ଗାଁର ଓସକାନ୍ତ ସାହୁ ଓ ତା’ର ସହଯୋଗୀ ବାଲେଶ୍ୱର ସହରର ଟିକି ଦାସ ନାଁରେ ଜଣେ ଗୁଣ୍ଡାକୁ ଗିରଫ କରିଛି।
ନଦୀ କୂଳରେ ବାଇକ ରଖି ଆର ପାରିକୁ ଫେରାର
ପୁଲିସ କହିଛି, ଆକ୍ରମଣ ପରେ ଉଭୟ ଅଭିଯୁକ୍ତ ବାଇକ (ପଲସର) ଯୋଗେ ଫେରାର ହୋଇ ଯାଇଥିଲେ। ସେମାନେ ସୁବର୍ଣ୍ଣରେଖା କୂଳର ନିଦ୍ଦିଷ୍ଟ ସ୍ଥାନରେ ବାଇକ ଲୁଚାଇ ଦେଇ ଏକ ଭୁଟଭୁଟି ଡଙ୍ଗା ସାହାଯ୍ୟରେ ନଦୀ ପାର ଭୋଗରାଇ ଥାନା ଅନ୍ତର୍ଗତ ଭୂଷଣ୍ଡେଶ୍ୱର ଅଞ୍ଚଳର ଏକ ଧାନ ବିଲରେ ପହଞ୍ଚି ଥିଲେ। ଧାନ ବିଲରେ ଲୁଚି ଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ସୂଚନା ପାଇ ପୁଲିସକୁ ସୂଚନା ଦେଇଥିଲେ।
ଆକ୍ରମଣର କାରଣ
ଅଭିଯୁକ୍ତ ଓସକାନ୍ତ ସାହୁଙ୍କ ବାପା ଓ ସାମ୍ବାଦିକଙ୍କ ମଧ୍ୟରେ କିଛି ମାସ ହେବ ଶତ୍ରୁତା ଥିଲା। ଶତ୍ରୁତା ଓ ଯୁକ୍ତିତର୍କର କାରଣ ଥିଲା ବ୍ୟବସାୟ। ଓସକାନ୍ତର ବାପା ଛତୁଆ ବ୍ୟବସାୟ କରନ୍ତି। ଏ ବାବଦରେ ସାମ୍ବାଦିକ ପୂର୍ବରୁ କିଛି ଖବର ପ୍ରକାଶ କରିଥିଲେ, ଯାହାଦ୍ୱାରା ଏମାନଙ୍କ ମଧ୍ୟରେ ଯୁକ୍ତିତର୍କ, ବିବାଦ ଓ ଶତ୍ରୁତା ଲାଗି ରହିଥିଲା।
ଆଜି ସକାଳୁ ଏକ ଆଞ୍ଚଳିକ ଖବରକାଗଜର ସ୍ଥାନୀୟ ପ୍ରତିନିଧି ରାଧାକାନ୍ତ ସାହୁ ବ୍ଲକ ଛକକୁ ପେପର ଆଣିବାକୁ ଯାଇଥିବା ବେଳେ ତିନି ଜଣ ଦୁର୍ବୃତ୍ତ ଏକ ଲାଲରଙ୍ଗର ପଲସରରେ ଆସି ତେଲେଙ୍ଗା କଟୁରି, ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲେ। ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଆହତ ପରେ ରାଧାକାନ୍ତକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସ୍ଥାନୀୟ ଲୋକଙ୍କ ସହାୟତାରେ ୨ ଅଭିଯୁକ୍ତ ଗିରଫ
ସାମ୍ବାଦିକଙ୍କୁ ଆକ୍ରମଣ ପରେ ପୁଲିସ ସୂଚନା ପାଇଁ ଯଥାଶୀଘ୍ର ପହଞ୍ଚି ଥିଲା ଓ ଛାନଭିନ ଆରମ୍ଭ କରି ଦେଇଥିଲା। ଅଭିଯୁକ୍ତମାନେ ଧାନ ବିଲରେ ଲୁଚି ରହିଥିବା ସୂଚନା ମିଳିବା ପରେ ପୁଲିସ ସ୍ଥାନୀୟ ଯୁବକଙ୍କ ସହିତ ଏକ ପାଓ୍ଵାରବୋଟରେ ନଦୀର ଆର ପଟକୁ ଯାଇ ୨ଜଣଙ୍କୁ ଗିରଫ କରିଛି। ପୁଲିସ ଘଟଣା ସଂପର୍କରେ ଅଧିକ ପଚରା ଉଚରା କରୁଛି।
ଆକ୍ରମଣକୁ ତୀବ୍ର ନିନ୍ଦା
ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଏପରି ମରଣାନ୍ତକ ଆକ୍ରମଣକୁ ବାଲେଶ୍ୱର ଜିଲ୍ଲା ସାମ୍ବାଦିକ ସମୂହଙ୍କ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ଆସାମୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଏ ନେଇ ଆଜି ଜିଲ୍ଲା ସାମ୍ବାଦିକ ଭବନରେ ବରିଷ୍ଠ ସାମ୍ବାଦିକ ରଞ୍ଜନ କୁମାର ବାଗଙ୍କ ନେତୃତ୍ୱରେ ଏକ ବୈଠକରେ ଆଲୋଚନା ହୋଇଛି। ଆକ୍ରମଣକାରୀଙ୍କ ଉପରେ ପୁଲିସ, ପ୍ରଶାସନ ଓ ରାଜ୍ୟ ସରକାର ଯଦି ଉଚିତ କାର୍ଯ୍ୟାନୁଷ୍ଠାନ ନନିଅନ୍ତି ତା’ ହେଲେ ଆଗାମୀ ଦିନରେ ସାମ୍ବାଦିକମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/baliapal.jpg)