ବ୍ରାଉନ୍‌ ସୁଗର କାରବାର ସନ୍ଦେହରେ ପୁରୀର ୨ ଯୁବକ ଅଟକ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଏବେ ବ୍ରାଉନ ସୁଗର କାରବାରର ପେଣ୍ଠସ୍ଥଳୀ ପାଲଟିଛି। ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତରେ ଥିବା ଏହି ଅଞ୍ଚଳରେ ବ୍ରାଉନସୁଗର ରାକେଟ୍‌ ସକ୍ରିୟ ହୋଇଛି। କିଛିଦିନ ପୂର୍ବରୁ ଏହି ଅଞ୍ଚଳରୁ ବ୍ରାଉନସୁଗର ରାକେଟ୍‌ ଠାବ କରାଯାଇଥିବା ବେଳେ ଆଜି ଏଠାକୁ ବ୍ରାଉନ୍‌ସୁଗର ନେବାକୁ ଆସିଥିବା ସନ୍ଦେହ କରି ପୁରୀ ଅଞ୍ଚଳର ଦୁଇ ଯୁବକକୁ ପୁଲିସ ଅଟକ ରଖିଛି। ତେବେ ସେମାନଙ୍କଠାରୁ ପ୍ରକୃତରେ ବ୍ରାଉନ୍‌ ସୁଗର ମିଳିଛି କି ନାହିଁ, ସେମାନେ କାହା ପାଖକୁ ବ୍ରାଉନ୍‌ ସୁଗର ନେବାକୁ ଆସିଥିଲେ ଏବଂ କେଉଁ ଗ୍ୟାଙ୍ଗ୍‌ ସହିତ ଏମାନଙ୍କର ସଂପୃକ୍ତି ରହିଛି ତାହା ଜଣାପଡ଼ିନାହିଁ। ତେବେ ତଦନ୍ତରେ ବାଧା ଉପୁଜିବାର ଆଶଙ୍କା କରି ଏହି ଦୁଇ ଯୁବକଙ୍କ ପରିଚୟ ଦେବାକୁ ପୁଲିସ ମନା କରିଦେଇଛି। ଏହି କାରବାର ପଛରେ ଜଳେଶ୍ୱରର ମାଷ୍ଟର ମାଇଣ୍ଡ କିଏ ତାହା ଜାଣିବା ପାଇଁ ପୁୁଲିସ ତନାଘନା ଆରମ୍ଭ କରିଛି। ଏଥିସହ ଅଟକ ଯୁବକଙ୍କୁ ପୁଲିସ ଜେରା କରୁଛି। ବ୍ରାଉନ ସୁଗର କାରବାର ସନ୍ଦେହରେ ପୁଲିସ ଉକ୍ତ ୨ ଯୁବକଙ୍କୁ ଅଟକ ରଖିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଥିବା ବେଳେ ଖବର ଲେଖାହେବା ପର୍ଯ୍ୟନ୍ତ ଏ ନେଇ ପୁଲିସ କିଛି ସ୍ପଷ୍ଟ ସୂଚନା ଦେଇନାହିଁ।

ସମ୍ବନ୍ଧିତ ଖବର