ବାଲେଶ୍ୱର : ଓଡ଼ିଶା ବୁଲିବାକୁ ଆସିଥିବା ୨ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଭୋଗରାଇ: ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱର ସାହାବାଜିପୁର ରାସ୍ତାରେ ଥିବା ସୁଭଦ୍ରା ଗେଷ୍ଟ ହାଉସରେ ଦୁଇ ବଙ୍ଗୀୟ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ସେମାନଙ୍କୁ ଗଣଦୁଷ୍କର୍ମ କରାଯାଇଛି । ସେମାନେ ପ୍ରତିବାଦ କରିବାରୁ ସେମାନଙ୍କୁ ଜୀବନରୁ ମାରିଦେବାକୁ ଦୁବୃର୍ତ୍ତମାନେ ଧମକ ଦେଇଥିଲେ ବୋଲି ପୀଡିତା ଅଭିଯୋଗ କରିଛନ୍ତି ।

ମେରାଇନ୍ ଥାନା ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ୨ଜଣଙ୍କୁ ଉଦ୍ଧାର କରାଯାଇଛି । ପଶ୍ଚିମବଙ୍ଗ ହାଓଡାରୁ ପୀଡ଼ିତା ଯୁବତୀ ଦୁଇ ଜଣ ଦୀଘା ବୁଲିବାକୁ ଆସିଥିଲେ । ସେମାନେ ବସ୍ ଷ୍ଟାଣ୍ଡରେ ଛିଡା ହୋଇଥିବାବେଳେ ତିନି ଜଣ ଯୁବକ ଏକ ବାଇକରେ ଆସି ହୋଟେଲ କର୍ମଚାରୀର ପରିଚୟ ଦେଇ ସେମାନଙ୍କୁ ରହିବାର ବ୍ୟବସ୍ଥା କରାଇ ଦେବେ ବୋଲି କହି ସୁଭଦ୍ରା ଗେଷ୍ଟ ହାଉସକୁ ନେଇ ଆସିଥିଲେ । ସେଠାରେ ଦୁଇଜଣ ଯୁବତୀଙ୍କୁ ତିନିଜଣ ଯୁବକ ଗଣଦୁଷ୍କର୍ମ କରି ସେଠାରୁ ଫେରାର ହୋଇଯାଇଥିଲେ ।

ଦୁଷ୍କର୍ମ ପରେ ଗେଷ୍ଟ ହାଉସ ବାହାରେ ଯୁବତୀ କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରି ପୋଲିସରେ ଜିମା ଦେଇଥିଲେ । ପରେ ପୀଡ଼ିତା ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଘଟଣାଟି ପ୍ରଘଟ ହେବା ପରେ ହୋଟେଲର କର୍ମଚାରୀ ଓ ମ୍ୟାନେଜର ଫେରାର ହୋଇଯାଇଛନ୍ତି ।

ସମ୍ବନ୍ଧିତ ଖବର