ଅଭିଯୁକ୍ତର ଘର ପୋଡ଼ିଦେଲେ
ଶବରଖି ରାସ୍ତା ଅବରୋଧ, ପୁଲିସ ମୁତୟନ

ଜଳେଶ୍ୱର/ଭୋଗରାଇ କମର୍ଦ୍ଦା : ଜମିରେ ପାଣି ମଡ଼ାକୁ କେନ୍ଦ୍ର କରି ଆଜି ସକାଳେ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ହରିଣକୁଲି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଦୁଇ ଭାଇଙ୍କୁ ଜଣେ ଯୁବକ ଭୁଜାଲିରେ ନିର୍ମମ ଭାବେ ହାଣି ହତ୍ୟା କରିଛି। ମୃତକ ଦୁହେଁ ହେଲେ ସେହି ଗାଁର ପୀତାମ୍ବର ଗିରିଙ୍କ ପୁଅ ମଧୁସୂଦନ (୩୮) ଓ ନାରାୟଣ (୩୩)। ହତ୍ୟାକାଣ୍ଡ ପରେ ଗାଁରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତ ଦୁର୍ଗାଶଙ୍କର ଦାସ (୫୦)ଙ୍କୁ ମାଡ଼ିବସି ନିସ୍ତୁକ ଛେଚିଛନ୍ତି। ତାଙ୍କ ଘରକୁ ନିଅାଁ ଲଗାଇ ଦେଇଥିଲେ।

Advertisment

ଅନ୍ୟପକ୍ଷରେ ହତ୍ୟାକାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ମୃତକ ଦୁଇ ଭାଇଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ପରିବାର ଓ ଗାଁଲୋକେ କମର୍ଦ୍ଦା ନିକଟରେ ଶବ ରଖି ରାସ୍ତା ଅବରୋଧ କରିିଥିଲେ।

ଖବରରୁ ପ୍ରକାଶ ଯେ, ହରିଣକୁଲି ଗାଁର ଏକ ଘରୋଇ ମିନି ଏଲ୍‌ଆଇ ପଏଣ୍ଟରୁ କାହା ଚାଷ ଜମିକୁ ପ୍ରଥମେ ପାଣି ମଡ଼ାଯିବ, ସେନେଇ ଦୁର୍ଗାଶଙ୍କର ଜଣେ ଚାଷୀଙ୍କୁ ଗାଳିଗୁଲଜ କରିଥିଲେ। ସେଠାରେ ଉପସ୍ଥିତ ମଧୁସୂଦନ ଓ ନାରାୟଣ ଏହାକୁ ବିରୋଧ କରିବାରୁ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୁର୍ଗାଶଙ୍କର ଏକ ଭୁଜାଲି କାଢ଼ି ମଧୁସୂଦନଙ୍କୁ ବାରମ୍ବାର ଭୁଷିଥିଲା। ବିରୋଧ କରିବାକୁ ଯାଇ ନାରାୟଣ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ବାଟରେ ମଧୁସୂଦନଙ୍କ ମୃତ୍ୟୁ ଘଟିଥିଲା। କମର୍ଦ୍ଦା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ନାରାୟଣଙ୍କ ମୃତ୍ୟୁ ହୋଇଥିଲା।

publive-image

ଏହି ଖବର ଗାଁରେ ପହଞ୍ଚିବା ମାତ୍ରେ ଲୋକେ ତାତି ଉଠିଥିଲେ। କିଛି ମହିଳା ଦୁର୍ଗାଶଙ୍କରଙ୍କ ଘରକୁ ଯାଇ ତାଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ। ଉତ୍ତ୍ୟକ୍ତ ଲୋକେ ତାଙ୍କ ଏକ ରୋଷେଇ ଘରକୁ ନିଅାଁ ଲଗାଇ ଦେଇଥିଲେ। ଦୁର୍ଗାଶଙ୍କରଙ୍କ ଘରେ ୬/୭ ବର୍ଷ ଧରି ରହୁଥିିବା ଜଣେ ଅଚିିହ୍ନା ମହିଳାଙ୍କୁ ସେମାନେ ଖୁଣ୍ଟରେ ବାନ୍ଧି ପ୍ରବଳ ମାଡ଼ ମାରିଥିଲେ। ଖବର ପାଇ କମର୍ଦ୍ଦା ପୁଲିସ ପହଞ୍ଚି ଅଭିଯୁକ୍ତ ଦୁର୍ଗାଶଙ୍କରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲେଶ୍ୱର ଡାକ୍ତରଖାନାକୁ ପଠାଇଛି। ମହିଳାଙ୍କୁ ଲୋକେ ପୁଲିସକୁ ହସ୍ତାନ୍ତର କରିଛନ୍ତି।