ବାଲେଶ୍ୱର: ସୁବର୍ଣ୍ଣରେଖାରେ ବୁଡି ୨ ବାଳକ ନିଖୋଜ

ଜଳେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମା ଦିନ ଅର୍ଥାତ ଶୁକ୍ରବାର ସକାଳୁ ସୁବର୍ଣ୍ଣରେଖା ନଦୀରେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବେଲିଦାରୁଗୁଢ଼ି ଘାଟରେ ଅଘଟଣ ଘଟିଛି। ମିଳିଥିବା ସୂଚନା ଅନୁସାର ଡଙ୍ଗାରୁ କଏନ ଟଙ୍କା ଗୋଟାଇବାକୁ ଯାଇ ୨ ଜଣ ପଞ୍ଚମ ଶ୍ରେଣୀର ଛାତ୍ର ପାଣିରେ ବୁଡି ଯାଇଥିବା ସନ୍ଦେହ କରାଯାଉଛି।

ମିଳିଥିବା ସୂଚନା ଅନୁସାରେ ସୁବର୍ଣ୍ଣରେଖା ନଦୀ ଘାଟରେ ଆଜି ସକାଳୁ ଡଙ୍ଗା ଭସାଣୀ ହୋଇଥିଲା। ଗୋବର୍ଦ୍ଧନପୁର ଗାଁର ପ୍ରାଥମିକ ବିଦ୍ୟାଳୟର ଛାତ୍ର ସୁମନ ସିଂ ଏବଂ ପଙ୍କଜ ନାଥ ସୁବର୍ଣ୍ଣରେଖା ନଦୀ ପାର ହୋଇ ବେଲିଦାରୁଗୁଢ଼ି ଘାଟକୁ ଯାଇଥିଲେ। ସେମାନେ ନଦୀଘାଟରେ ଆଜି ସକାଳୁ ଡଙ୍ଗାରୁ କଏନ ଟଙ୍କା ସଂଗ୍ରହ କରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ।

ଦୁଇ ଜଣ ପିଲା ବହୁ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଏଣେତେଣେ ଖୋଜାଖୋଜି କରି ମଧ୍ୟ ପାଇ ନଥିଲେ। ଶେଷରେ ସେମାନେ ବେଲିଦାରୁଗୁଢ଼ି ଘାଟରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକେ ପୂର୍ବାହ୍ନ ୮ଟାରେ ନଦୀଘାଟରେ ୨ ହଳ ଛୋଟ ପିଲାଙ୍କ ଚପଲ ପଡିଥିବାର ଦେଖିଥିଲେ। ଅଗ୍ନିଶମ ବିଭାଗକୁ ସୂଚନା ମିଳିବାରୁ, ବିଭାଗୀୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜିବା କାମ ଆରମ୍ଭ କରିଛନ୍ତି। ଅନ୍ୟପଟରେ ଗାଁଲେକେ ୨ ଜଣ ପିଲାଙ୍କୁ ଖୋଜିପା ପାଇଁ ଓଡ୍ରାଫ ଟିମକୁ ଡକାଯାଉ ବୋଲି ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର