ସୋର: ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ବଜାର ନିକଟରେ ଥିବା ଏକ ଦୋକାନରେ ରଡ ଓହ୍ଲାଯ‌ାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ଓ ଟ୍ରକ ହେଲ୍ପର ଗୁରୁତର ଆହତ ହୋଇଥିବାର ଖବର ମିଳିଛି। ଉଭୟେ  ପ୍ରଥମେ ସୋର ଏବଂ ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଛନ୍ତି।

Advertisment

ଏହି ଦୋକାନ ନିକଟରେ ଆଜି ପୂର୍ବାହ୍ନରେ ଏକ ଟ୍ରକ ରଡ ବୋଝେଇ କରି ଆସି ପହଞ୍ଚିବା ପରେ ପଥରପେଣ୍ଠ ଗ୍ରାମର କଟି ମଳିକ ଟ୍ରକ ଉପରେ ଚଢି ରଡ ଅନଲୋଡ୍ କରୁଥିଲେ। କିନ୍ତୁ ଅସାବଧାନତାବଶତଃ କଟି ଧରିଥିବା ରଡଟି ଉପରେ ଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ସେ ଓ ଗାଡ଼ିର ହେଲ୍ପର ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଉଭୟଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।