ବସ୍ତା: ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବାଲିଆପାଳ -କମର୍ଦା ରାସ୍ତାର ଛୋଟକାନପୁର ନିକଟରୁ ବଜରଙ୍ଗ ଦଳ ଦ୍ବାରା ଦୁଇଟି ଗୋରୁ ବୋଝେଇ ପିକ ଅପ ଜବତ କରାଯାଇଛି। ସୂଚନା ଅନୁସାରେ ଗତ ରାତି ସାଢ଼େ ୨ଟା ବେଳେ ଦୁଇଟି ପିକ ଅପରେ୪୦ରୁ ଉର୍ଦ୍ଧ୍ବ ଗୋରୁ ବୋଝେଇ କରି ବାଲିଆପାଳ କମର୍ଦା ରାସ୍ତାରେ ଦ୍ରୁତଗତିରେ ଯାଉଥିବା ସମୟରେ ଛୋଟକାନପୁର ଛକ ନିକଟରେ ବଜରଙ୍ଗ ଦଳର କିଛି କର୍ମୀ ଗାଡ଼ିକୁ ଅଟକାଇବା ସହିତ ଗାଡ଼ିରୁ ସମସ୍ତ ଗୋରୁ ଛାଡିଦେଇଥିଲେ। ଏହା ଦେଖି ସ୍ଥାନୀୟ ଗ୍ରାମବାସୀମାନେ ଗୋରୁଗୁଡ଼ିକୁ ଉଦ୍ଧାର କରି ନେଇଯାଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ପିକ ଅପକୁ ଜବତ ସହିତ  ୫ଟି ଗୋରୁ ଉଦ୍ଧାର କରି ବାଲେଶ୍ବର ସ୍ଥିତ ଗୋଶାଳାକୁ ପଠାଇଛି।

Advertisment

ଉଭୟ ଗାଡ଼ିର ଡ୍ରାଇଭର ଫେରାର ହୋଇଥିବା ଜଣାପଡ଼ିଛି। ତେବେ ଉକ୍ତ ଗୋରୁ ଗାଡ଼ି ବସ୍ତା ଅଞ୍ଚଳର ହୋଇଥିବା ବେଳେ ଜଳେଶ୍ଵରରେ ଚେକିଂ କଡାକଡି ହେବାରୁ ବାଲିଆପାଳ ଦେଇ ପଶ୍ଚିମବଙ୍ଗକୁ ଚାଲାଣ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ଦଲାଲ। ମାତ୍ର ପୂର୍ବରୁ ବଜରଙ୍ଗୀ ଦଳ କର୍ମୀ ସୂଚନା ପାଇ ଏହି ଗାଡ଼ିକୁ ଅଟକାଇ ଥିଲେ।  ଉଭୟ ଗୋରୁ ଦଲାଲ ଏବଂ ବଜରଙ୍ଗ ଦଳ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଦୁଇଟି ଗୋରୁ ବୋଝେଇ ପିକଅପ ଭ୍ୟାନ ଭାଙ୍ଗି ଚୁରମାର ହୋଇଛି। ତେବେ ଏହି ଘଟଣାରେ କେଉଁମାନେ ସଂପୃକ୍ତ ଅଛନ୍ତି ତାହାର ତଦନ୍ତ ଚଳାଇଛି ପୁଲିସ।