ମଦ ବିରୋଧରେ ଲଢ଼ୁଛନ୍ତି ଦୁଇ ଭଉଣୀ

ଜଳେଶ୍ବର, (ସତ୍ୟବ୍ରତ ପ୍ରଧାନ): ଏମିତି ବି ନାରୀ ଅଛନ୍ତି, ଯିଏ ନିଜ ଘରୁ ପ୍ରତିବାଦର ସ୍ବର ଉଠାଉଛନ୍ତି। ପ୍ରତିବାଦ ମଦ ବିରୋଧରେ ଆଉ ନିର୍ଯାତନା ବିରୋଧରେ। ପ୍ରତିକୂଳ ପରିସ୍ଥିତିରେ ବି ସେ ନିଜକୁ ଦୁର୍ବଳ କରିନାହାନ୍ତି। ବରଂ ନିଜ ଭଉଣୀଙ୍କୁ ସାଙ୍ଗରେ ଧରି ମଦ ବିରୋଧରେ ବିଦ୍ରୋହ ପାଇଁ ସେନା ଯୋଗାଡ଼ୁଛନ୍ତି। ..ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଖୁଦିଆମାଝୀସାହି ପଞ୍ଚାୟତ ଚନ୍ଦନପୁର ଗାଁର ସ୍ବର୍ଗତ ସୁକୁମାର ସିଂଙ୍କ ଝିଅ ରୁଇବାରୀଙ୍କ କାହାଣୀ ଇଏ।

ସୂଚନା ଅନୁସାରେ; ୨୫ ବର୍ଷ ତଳେ ପଶ୍ମିମବଙ୍ଗ ମେଦିନୀପୁରର ବଳରାମ ସିଂଙ୍କୁ ବିବାହ କରିଥିଲେ ରୁଇବାରୀ। ବାହାଘରର ଦିନ କେଇଟା ମଧ୍ୟରେ ମଦ ପିଇ ନିଶାସକ୍ତ ଅବସ୍ଥାରେ ସ୍ବାମୀ ନିର୍ଯାତନା ଦେବା ଆରମ୍ଭ କଲେ। ରୁଇବାରୀ ନଡ଼ରି ପ୍ରତିବାଦର ସ୍ବର ଉଠାଇଲେ। ମଦ ପାଇଁ ଜୀବନ ତାଙ୍କ ଦୁର୍ବିସହ ହେବାରୁ ସେ ସେଇ ମଦ ବିରୋଧରେ ନିଜ ଘରୁ ହିଁ ସଂଗ୍ରାମ ଘୋଷଣା କରିଥିଲେ। ହେଲେ ସ୍ବାମୀଙ୍କ ନିର୍ଯାତନା ଅସହ୍ୟ ହେବାରେ ଲାଗିଲା। ଏମିତି କି ବଳରାମ ଦ୍ବିତୀୟ ବିବାହ କରିପକାଇଲେ। ଏପରି ସମୟରେ ନିରାଶ ରୁଇବାରୀ କିଛି ନଭାବି ସବୁଦିନ ପାଇଁ ବାପ ଘରକୁ ଚାଲିଆସିଲେ। ତେବେ ରୁଇବାରୀ ଭାବିଥିଲେ ବାପଘରେ ଯେନତେନ ପ୍ରକାର ଜିଇଁଯିବେ। ବାପଘର ଅଞ୍ଚଳରେ ବି ସେ ମଦ ପାଇଁ ନିଇତି ନିର୍ଯାତନାର ଶିକାର ହେଉଥିବା ମହିଳାଙ୍କୁ ଭେଟିଲେ। ଫଳରେ ସେ ନିଜେ ନିଜ ପାଇଁ ନୁହେଁ ବରଂ ଅନ୍ୟ ପାଇଁ ଜିଇଁବା ଶିଖିଗଲେ। ତାଙ୍କ ମନରେ ପ୍ରଶମିତ ହୋଇଆସୁଥିବା ଆନ୍ଦୋଳନର ଶିଖା ପୁଣି ହୁତହୁତ ହୋଇ ଜଳିଉଠିଲା। ରୁଇବାରୀ ନିଜ ସାନଭଉଣୀ ଶାନ୍ତିଲତାଙ୍କୁ ସହ ମିଶି ମଦ ବିରୋଧରେ ଜୋରଦାର ସଂଗ୍ରାମ ଘୋଷଣା କରିଦେଲେ। ନିଜ ଗାଁ ସହ ଆଖପାଖ ଗାଁକୁ ସାଇକେଲ୍‌ରେ ଯାଇ ମହିଳାଙ୍କୁ ମଦ ବିରୋଧରେ ସଚେତନ କରିଲେ। ଏମିତି ବି ହେଲା; ସେମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ମଦ ବେପାର କରି ମୁନାଫା ନେଉଥିବା ବ୍ୟବସାୟୀ ଓ ପ୍ରଭାବଶାଳୀଙ୍କ ଆକ୍ରୋଶର ବିକାର ହେବାକୁ ପଡ଼ିଲା। ମଦ ମାଫିଆ ଓ ସମର୍ଥକମାନେ ‌ଘରେ ପଶି ଦୁଇଭଉଣୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ସ‌ହ ଧାନ ଚାଉଳ, ମୋବାଇଲ୍‌, ସାଇକେଲ୍‌ ତଥା ଅନ୍ୟ ସାମଗ୍ରୀ ଲୁଟି ନେଲେ। ଫଳରେ ସରକାରଙ୍କଠାରୁ ଇନ୍ଦିରା ଆବାସ ଯୋଜନାରେ ପାଇଥିବା ନିଜ ଘରେ ତାଲା ପକାଇ ସେମାନେ ଏବେ ନିକଟସ୍ଥ ଜଣେ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି।

..ତଥାପି ଡରି ନାହାନ୍ତି ଏହି ଦୁଇ ଭଉଣୀ। ମଦ ଓ ମଦ ମାଫିଆଙ୍କ ବିରୋଧ ସେମାନେ ମହାମେଳି କରୁଛନ୍ତି। ବିଶ୍ବାସ ଅଛି, ସେମାନଙ୍କ ଅଞ୍ଚଳରେ ଦିନେ ନା ଦିନେ ମଦ ବନ୍ଦ ହେବ ଆଉ ଏକ ସୁସ୍ଥ ସମାଜର ଅଭ୍ୟୁଦୟ ଘଟିବ।

ସମ୍ବନ୍ଧିତ ଖବର