ଉଜ୍ଜ୍ବଳା ଯୋଜନାର ଅନ୍ଧାରୀ ଦିଗ:ବାଲେଶ୍ବର ଜିଲ୍ଲାରେ ଯୋଜନା ବାଟବଣା

ଅର୍ଥାଭାବରୁ ଗ୍ୟାସ୍‌ କିଣି ପାରୁ ନାହାନ୍ତି ହିତାଧିକାରୀ : ସଂଯୋଗ ପାଇବାକୁ ଦିଆଯାଇଛି ଟଙ୍କା

ବାଲେଶ୍ବର: ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା(ପିଏମ୍‌ୟୁୱାଇ)ର ସ୍ବଘୋଷିତ ସଫଳତାକୁ ନେଇ କେନ୍ଦ୍ରର ମୋଦି ସରକାର ଦେଶବ୍ୟାପୀ ବ୍ୟାପକ ପ୍ରଚାର କରୁଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏଭଳି ଏକ ଯୋଜନାକୁ ଓଡ଼ିଶାରେ ସଫଳତାର ସହ କାର୍ଯ୍ୟକାରୀ କରି ଲକ୍ଷ ଲକ୍ଷ ମହିଳାଙ୍କ ମୁହଁରେ ହସ ଫୁଟାଇଥିବା ଦାବି କରୁଛନ୍ତି। ମାତ୍ର ବାସ୍ତବ କ୍ଷେତ୍ରରେ ବାଲେଶ୍ବର ଜିଲ୍ଲାରେ ଏହି ମହତ୍ବାକାଂକ୍ଷୀ ଯୋଜନା ଏକପ୍ରକାର ବାଟବଣା ହୋଇଥିବାବେଳେ ଏହାର ଅନ୍ଧାରୀ ଦିଗ ସାମ୍ନାକୁ ଆସିଛି। ‘ସମ୍ବାଦ’ ପକ୍ଷରୁ କରାଯାଇଥିବା ସ୍ବତନ୍ତ୍ର ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଯୋଜନାରେ ସାମିଲ ହୋଇଥିବା ମହିଳା ହିିିତାଧିକାରୀ ଏହାର ସୁଫଳରୁ ବଞ୍ଚିତ ହେଉଛନ୍ତି। ଅର୍ଥାଭାବରୁ ଅଧିକାଂଶ ମହିଳା ଗ୍ୟାସ୍ ସିଲିଣ୍ଡର‌ ଫିଲିଂ କରି ପାରୁ ନ ଥିବାରୁ ଗ୍ୟାସ୍‌ ଚୁଲା ବଦଳରେ ପାରମ୍ପରିକ ଚୁଲିରେ ହିଁ ରୋଷେଇ କରିବାକୁ ବାଧ୍ୟ ହେଉଛନ୍ତି। ଏପରିକି ଗ୍ୟାସ୍‌ ସଂଯୋଗ ପାଇବାକୁ କିଛି ମହିଳାଙ୍କୁ ଅର୍ଥ ମଧ୍ୟ ଦେବାକୁ ପଡ଼ିଛି ‌େବାଲି ଅଭିଯୋଗ ହୋଇଛି।
ଦେଶ‌େର ଏଲ୍‌ପିଜିରୁ ବଞ୍ଚିତ ୧୦କୋଟି ପରିବାର ଜାଳେଣି ଭାବେ ସାରଣତଃ କାଠ, କୋଇଲା ଓ ଗୋବର ଘଷି ଉପରେ ନିର୍ଭର କରନ୍ତି। ଏହି ଅସୁରକ୍ଷିତ ଜାଳେଣିରୁ ବାହାରୁଥିବା ଧୂଆଁ ପ୍ରଦୂଷଣ କରିବାସହ ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟ ପ୍ରତି କ୍ଷତି ପହଞ୍ଚାଇଥାଏ। ଏଥିରୁ ସେମାନଙ୍କୁ ସୁରକ୍ଷା ଦେବାପାଇଁ ଉଜ୍ଜ୍ବଳା ଯୋଜନାରେ ବିପିଏଲ୍‌ ପରିବାରକୁ ରୋଷେଇ ପାଇଁ ସୁରକ୍ଷିତ ଜାଳେଣି ସ୍ବରୂପ ଏଲ୍‌ପିଜି ସିଲିଣ୍ଡର ଯୋଗାଇ ଦେବାସହ ୧୬ଶହ ଟଙ୍କାର ସହାୟତା ଘୋଷଣା କରିଥିଲେ କେନ୍ଦ୍ର ସରକାର। ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ମେ’ ୧ ତାରିଖରେ ଉତ୍ତରପ୍ରଦେଶ ବାଲିଆଠାରେ ଆନୁଷ୍ଠାନିକଭାବେ ଶୁଭାରମ୍ଭ କରିଥିଲେ। ଯୋଜନା ଆସନ୍ତା ୩ ବର୍ଷ ମଧ୍ୟରେ ୫ କୋଟି ପରିବାରକୁ ଏଲ୍‌ପିଜି ସଂଯୋଗ କରାଯିବାକୁ ଯୋଜନା କରାଯାଇଛି।
ମିଳିଥିବା ତଥ୍ୟ ଅନୁଯାୟୀ ବାଲେଶ୍ବର ଜିଲ୍ଲା ପିଏମ୍‌ୟୁୱାଇରେ ବର୍ତ୍ତମାନ ସୁଦ୍ଧା ୧୩ ହଜାର ୨୨୬ ଏଲ୍‌ପିଜି ସଂଯୋଗ ବିପିଏଲ୍‌ ପରିବାରକୁ ଦିଆଯାଇଛି। ସେଥିମଧ୍ୟରୁ ବାହାନଗା ବ୍ଲକ୍‌ରେ ୮୨୦ଟି, ବାଲେଶ୍ବର ସଦର ବ୍ଲକ୍‌ରେ ୧୪୮୨, ବାଲିଆପାଳ ବ୍ଲକ୍‌ରେ ୧୩୪୭, ବସ୍ତା ବ୍ଲକ୍‌ରେ ୧୪୬୬, ଭୋଗରାଇ ବ୍ଲକ୍‌ରେ ୧୫୧୮, ଜଳେଶ୍ବର ବ୍ଲକ୍‌ରେ ୧୨୪୨, ଖଇରା ବ୍ଲକ୍‌ରେ ୧୭୩୫, ନୀଳଗିରି ବ୍ଲକ୍‌ରେ ୪୫୧, ଔପଦା ବ୍ଲକ୍‌ରେ ୭୬୬, ରେମୁଣା ବ୍ଲକ୍‌ରେ ୬୯୨, ସିମୁଳିଆ ବ୍ଲକ୍‌ରେ ୮୬୪ ଓ ସୋର ବ୍ଲକ୍‌ରେ ୮୪୩ଟି ବିପିଏଲ୍‌ ପରିବାରକୁ ଏଲ୍‌ପିଜି ସଂଯୋଗ ଦିଆଯାଇଛି। ତେବେ ବାସ୍ତବ କ୍ଷେତ୍ରରେ ଏହି ଯୋଜନାର କାର୍ଯ୍ୟକାରିତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଲ୍‌ପିଜି ଯୋଗାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ସାଧାରଣରେ ଅଭିଯୋଗ ହେଉଛି। ଏଲ୍‌ପିଜି ସଂଯୋଗ ଦିଆଯାଇଥିବା ବାଲେଶ୍ବର ସଦର ବ୍ଲକ୍‌ର କିଛି ମହିଳାମାନେ ପ୍ରକାଶ କରିଛନ୍ତି ଯେ ସେମାନଙ୍କୁ ସଂଯୋଗ ପାଇଁ ଦୁଇଶହରୁ ପାଞ୍ଚଶହ ପର୍ଯ୍ୟନ୍ତ ଟଙ୍କା ଦେବାକୁ ପଡ଼ିଛି। ସଂଯୋଗ ପାଇବା ପରେ ଏଥିରେ ପୁନର୍ବାର ଗ୍ୟାସ୍‌ ଭର୍ତ୍ତି କରିବା ପାଇଁ ସେମାନଙ୍କ ପାଖରେ ଅର୍ଥର ଅଭାବ ଥିବାରୁ ସେମାନେ ଆଉ ଗ୍ୟାସ୍‌ ବ୍ୟବହାର କରୁ ନାହାନ୍ତି। ସିଲିଣ୍ଡର ଓ ଚୁଲାକୁ ଘର କୋଣରେ ପକାଇ ରଖିଛନ୍ତି। ସ୍ଥଳବିଶେଷରେ ଏହି ଗ୍ୟାସ୍‌ ସିଲିଣ୍ଡର କଳାବଜାରରେ ମଧ୍ୟ ବିକ୍ରି ହେଉଥିବା ଅଭିଯୋଗ ହେଉଛି।
ପ୍ରକୃତ ସ୍ଥିତି ପରଖିବାକୁ ସମ୍ବାଦ ଟିମ୍‌ ସଦର ବ୍ଲକ୍‌ର ବର୍ଦ୍ଧନପୁର ଓ ଜୟଦେବକସପାପାହି ଗାଁରେ ପହଞ୍ଚିଥିଲା। ବର୍ଦ୍ଧନପୁର ମାଣସାହି ଗାଁର ଶ୍ରୀକାନ୍ତ ମଲ୍ଲିକଙ୍କ ସ୍ତ୍ରୀ ସେବତୀଙ୍କୁ ଗ୍ୟାସ୍‌ ସଂଯୋଗ ମିଳିଛି। ଟାଙ୍କିରେ ଗ୍ୟାସ୍‌ ଭରିବା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ, ତେଣୁ ସେହି କାଠ ଚୁଲିକୁ ଭରସା କରିଛନ୍ତି ସେବତୀ। ଗାଁର ଅର୍ଚ୍ଚନା ମଲିକ, ଲକ୍ଷ୍ମୀ ମହାଳିକ ଓ ରେବତୀ ମଲିକଙ୍କର ବି ସମାନ ସ୍ଥିତି। ଘର ଚଳିବା ପାଇଁ ଟଙ୍କା ନାହିଁ, ଗ୍ୟାସ୍‌ କିଣିବା ପାଇଁ ଟଙ୍କା କେଉଁଠୁ ଆଣିବେ ବୋଲି ସେମାନେ ପ୍ରଶ୍ନ କରୁଛନ୍ତି। ସେହିଭଳି ଜୟଦେବକସବାପାହି ଗାଁର କାର୍ତ୍ତିକ କୁଇଲି କହିଛନ୍ତି ଯେ ଗ୍ୟାସ୍ ସଂଯୋଗ ପାଇଁ ସେ ଗ୍ୟାସ୍‌ଡିଲରଙ୍କୁ ପାଞ୍ଚଶହ ଟଙ୍କା ଦେଇଥିଲେ। ଏବେ ହାତ ପାଖରେ କାଠ ଓ ଅନ୍ୟାନ୍ୟ ଜାଳେଣି ମିଳୁଥିବାରୁ ସେ ଗ୍ୟାସ୍‌ କିଣାରେ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁ ନାହାନ୍ତି। ଗ୍ୟାସ୍‌ ବ୍ୟୟବହୁଳ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ସେହି ଗାଁର ଟୁନା କୁଇଲି କହିଛନ୍ତି ‌ଯେ ଗ୍ୟାସ୍‌ ସଂଯୋଗ ପାଇଁ ୱାର୍ଡ଼ ନେତାଙ୍କୁ ଦୁଇଶହ ଟଙ୍କା ଦେଇଥିଲେ। ଏବେ ଗ୍ୟାସ୍‌ ପୂରାଇବାକୁ ଟଙ୍କା ନାହିଁ। ତେଣୁ କେବଳ ଜରୁରୀବେଳେ ହିଁ ଗ୍ୟାସ୍‌ ବ୍ୟବହାର କରୁଛନ୍ତି। ଗାୟତ୍ରୀ କୁଇଲି କହିଛନ୍ତି ସଂଯୋଗ ପାଇଁ ଗ୍ୟାସ୍‌ ଡିଲରଙ୍କୁ ପାଞ୍ଚଶହ ଟଙ୍କା ଦେଇଥିଲେ। ଏଥିପାଇଁ ଡିଲର ତାଙ୍କୁ କୌଣସି ରସିଦ୍‌ ଦେଇ ନଥିଲେ। ଏବେ ତାଙ୍କ ପାଖରେ ଗ୍ୟାସ୍‌ ଭରିବା ପାଇଁ ଟଙ୍କା ନାହିଁ। ଗାଁର ରାଣୀବାଳା ବେରା ଗ୍ୟାସ୍‌ ବ୍ୟବହାର କରୁଛନ୍ତି। କିନ୍ତୁ ଉମାକାନ୍ତ ମଣ୍ଡଳ ଓ କମଳା ଗୁରୁ ଅର୍ଥାଭାବରୁ ଗ୍ୟାସ୍‌ ବ୍ୟବହାର କରୁ ନ ଥିବା ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ଗାଁର ବହୁ ବିପିଏଲ୍‌ ପରିବାର ଉଜ୍ଜ୍ବଳା ଯୋଜନାରେ ଏବେବି ଗ୍ୟାସ୍‌ ସଂଯୋଗ ପାଇବାରୁ ବଞ୍ଚିତ ଅଛନ୍ତି। ଗ୍ୟାସ୍‌ ସଂଯୋଗ ଦେବାରେ ପାତରଅନ୍ତର କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏହିସବୁ ସମସ୍ୟା ସଂପର୍କରେ ପ୍ରତିକ୍ରିୟା ଲାଗି କେନ୍ଦ୍ର ପେଟ୍ରୋଲିୟମ୍‌ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ୱେବ୍‌ ସାଇଟ୍‌ରେ ଥିବା ବାଲେଶ୍ବର ଜିଲ୍ଲା ନୋଡାଲ୍‌ ଅଫିସର ବ୍ରଜେଶ କୁମାରଙ୍କୁ ତାଙ୍କ ମୋବାଇଲ ନମ୍ବର ୯୪୩୭୪୯୭୬୬୭ରେ ଯୋଗାଯୋଗ କରାଯାଇଥିଲେହେଁ ଏ ନମ୍ବରଟି କାହାରିକୁ ଦିଆଯାଇନାହିଁ ବୋଲି ଉତ୍ତର ମିଳୁଛି।

ସମ୍ବନ୍ଧିତ ଖବର