ରୂପସା/ଗାନ୍ଧୀଛକ : ସୁତୁଲି ଚୋରି ଘଟଣାକୁ କେନ୍ଦ୍ର କରି ରୂପସା ଝୋଟ କାରଖାନାରେ ମଙ୍ଗଳବାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ୪ ଜଣ ଶ୍ରମିକ ଆହତ ହୋଇ ରୂପସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ ପୁଲିସ ଜଣେ ଶ୍ରମିକ ବିଶ୍ବନାଥ ରଣାଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ ଜଣ ଫେରାର ହୋଇ ଯାଇଛନ୍ତି। ଏ ନେଇ କେସ୍ ନଂ ୯୮/୨୦ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି ।

Advertisment

କାରଖାନାର ଜେନେରାଲ ମ୍ୟାନେଜର ହୃଷୀକେଶ ରାଉତଙ୍କ ଅଭିଯୋଗ ମୁତାବକ, ଦୀପାବଳି ପାଇଁ ରବିବାର ଛୁଟି ଓ ସୋମବାର ସପ୍ତାହନ୍ତ ଛୁଟି ଥିଲା। ରବିବାର ରାତିରେ ଶ୍ରମିକ ବିଶ୍ବନାଥ ରଣା, ହରେକୃଷ୍ଣ ସାହୁ ଓ ହରେନ୍ଦ୍ର ପରିଡା ୪ଟି ବସ୍ତାରେ ସୁତୁଲି ଭର୍ତ୍ତି କରି କାରଖାନା ପଛପଟ ଗେଟ୍ ଦେଇ ବାହାରକୁ ନେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ କାରଖାନା ସମ୍ମୁଖ ରେଳ ଫାଟକ ନିକଟରେ ସ୍ଥାନୀୟ ବ୍ୟବସାୟୀ ଶିବବ୍ରତ ବିଶ୍ବାଳ, କାରଖାନା ଶ୍ରମିକ ସଂଘର ପୂର୍ବତନ ସଂପାଦକ ଦୀପକ ପଣ୍ଡା, ରଘୁନାଥ ସାହୁ, ରଜନୀକାନ୍ତ ବିଶ୍ବାଳ, ସୁଦାମ ଦାସ ପ୍ରମୁଖ ଚୋରି ସୁତୁଲି ସହ ଅଭିଯୁକ୍ତମାନଙ୍କୁ କାବୁ କରିଥିଲେ। ଏ ନେଇ ଶ୍ରମିକ ସଂଘର ସାଧାରଣ ସଂପାଦକ ଅନାଦି ପ୍ରଧାନଙ୍କୁ ମୋବାଇଲ ଯୋଗେ ଅବଗତ କରାଯିବା ପରେ ସେ ସୋମବାର ଦିନ କଥା ବୁଝିବେ ବୋଲି କହିଥିଲେ। ମାତ୍ର ସୋମବାର ଦିନ କୌଣସି ସମାଧାନ ହୋଇନଥିଲା। ମଙ୍ଗଳବାର କାରଖାନା ଖୋଲିବା ପରେ ଏ’ ସିଫ୍ଟରେ ପ୍ରାୟ ୩ ଶହ ଶ୍ରମିକ କାର୍ଯ୍ୟ କରୁଥିବାବେଳେ ଅଭିଯୁକ୍ତ ୨ ଜଣ କାମରେ ଯୋଗ ଦେବାରୁ ଉତ୍ତେଜନା ଦେଖାଦେଇଥିଲା। ଏହାକୁ ନେଇ ଉଭୟ ଶ୍ରମିକ ଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ବାକ୍‌ବିତଣ୍ଡା ହେବା ଫଳରେ କାରଖାନା ଦେଢ ଘଣ୍ଟା ଧରି ବନ୍ଦ ରହିଥିଲା। ଏ ସଂକ୍ରାନ୍ତରେ କାରଖାନାର ଜେନେରାଲ ମ୍ୟାନେଜର ହୃଷୀକେଶ ରାଉତ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏଏସ୍‌ଆଇ ନରହରି ମହାଳିକ ଘଟଣାସ୍ଥଳରେ ପହଞ୍ଚି ଦୁଇପକ୍ଷଙ୍କୁ ବୁଝାସୁଝା କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ବିଶ୍ବନାଥ ମହାରଣାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜବତ ଚୋରି ସାମଗ୍ରୀକୁ କର୍ତ୍ତୃପକ୍ଷଙ୍କ ଜିମାରେ ରଖାଯାଇଛି। ତେବେ ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡଙ୍କ ସହ ସୁଲାସୁତୁରା କରି ଅଭିଯୁକ୍ତମାନେ ଚୋରି କରିଥିବା ଶ୍ରମିକମାନେ ଅଭିଯୋଗ କରିଥିବା ବେଳେ ସଂଘର ସାଧାରଣ ସଂପାଦକ ଅନାଦି ପ୍ରଧାନ ନିଜ ପଦରୁ ଇସ୍ତଫା ଦେଇଥିବା ଜଣାପଡିଛି।