ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ସୋର,: ସୋର ୟୁଏନ୍ କଲେଜଛକ ନିବାସୀ ଜଣେ ବ୍ଲକ ଗ୍ରାଣ୍ଟ ଅଧ୍ୟାପକଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଥିବା ଅଭିଯୋଗରେ ଏହି ଚଢ଼ଉ ସକାଳ ଠାରୁ ସଂଧ୍ୟା ଯାଏଁ ହୋଇଥିଲା। ତଳନଗର ଜୁନିଅର କଲେଜର ପ୍ରାଣୀ ବିଜ୍ଞାନ ଅଧ୍ୟାପକ ରାମଚନ୍ଦ୍ର ଉପାଧ୍ୟାୟ କଲେଜ ଛକରେ ନିଜଘରେ ରହୁଥିବା ବେଳେ ତାଙ୍କ ଘରେ ଛାତ୍ରୀମାନଙ୍କ ମେସ୍ ଚାଲୁଥିଲା। ଏହି ଚଢ଼ଉ ତାଙ୍କର ବାହାନଗା ବ୍ଲକ ଅଧୀନ ଅସିମିଳା ଗ୍ରାମସ୍ଥ ପୈତୃକ ଘର ସହ ବେତଡା ଅଂଚଳରେ ଥିବା ଶ୍ବଶୁର ଘରେ ହୋଇଥିଲା। ତାଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨ କୋଟିରୁ ଊର୍ଦ୍ଧ୍ବ ଥିବା ଅସମର୍ଥିତ ସୂତ୍ରରୁ ଜଣା ପଡ଼ିଥିବା ବେଳେ ପ୍ରକୃତ ଆକଳନ ସରିନଥିବା ଜଣାପଡ଼ିଛି। ଶ୍ରୀ ଉପାଧ୍ୟାୟ କେତେ ପରିମାଣର ଆୟ ଉପରେ ଆୟକର ପୈଠ କରିଛନ୍ତି ତଥା ଏହି ସମ୍ପତ୍ତିରେ କେତେ ଟଙ୍କାର ଋଣ କରିଛନ୍ତି ସେସବୁ ତଥ୍ୟ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ ଥିବା କହିଛନ୍ତି ଚଢ଼ଉରେ ସାମିଲ ଥିବା ଅଧିକାରୀ। ଅଧିକ ପଚରାଉଚରା ପାଇଁ ଶ୍ରୀ ଉପାଧ୍ୟାୟଙ୍କୁ ବାଲେଶ୍ବର ନିଆଯାଇଥିବା ଜଣାପଡ଼ିଛି। ଏହି ଚଢ଼ଉରେ ବାଲେଶ୍ବର ଭିଜିଲାନ୍ସ ଡିଏସ୍‌ପି ସନ୍ତୋଷ ସାମନ୍ତରାୟ, ବାରିପଦା ଡିଏସ୍‌ପି ଶରତ କୁମାର ମହାପାତ୍ର, ଇନ୍‌ସପେକ୍ଟର ଅନିରୁଦ୍ଧ ନାୟକ, ସବିତା ବେହେରା ଓ ମାନସୀ ଜେନା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର