ରୋଗୀମୃତ୍ୟୁକୁ ନେଇ ଜିଲ୍ଲା ହସ୍‌ପିଟାଲରେ ପୁଣି ଉତ୍ତେଜନା

-ଚିକିତ୍ସ‌‌ାରେ ଗୁରୁତର ଅବହେଳା ହୋଇଥିବା ଅଭିଯୋଗ O-ମୃତ୍ୟୁ ପରେ କଟକ ସ୍ଥାନାନ୍ତର କରିବାକୁ ଉଦ୍ୟମ କରୁଥିଲେ

-ହସପିଟାଲ ପରିସରରେ ପୁଲିସ ଫୋର୍ସ ମୁତୟନ
ବାଲେଶ୍ବର: ବାଲେଶ୍ବର ଜିଲ୍ଲା ହସ୍‌ପିଟାଲ ତଥା ଫକୀରମୋହନ ମେଡିକାଲ କଲେଜ ହସ୍‌ପିଟାଲ ପରିସର ରବିବାର ଅପରାହ୍ନରେ ପୁଣି ଅଶାନ୍ତ ହୋଇପଡ଼ିଛି। ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ଲୋକ ଉତ୍ତେଜନା ସୃଷ୍ଟି କରିଥିଲେ। ପରେ ହସ୍‌ପିଟାଲ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ‌ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିବା ଜଣାପଡ଼ିଛି।
ମିଳିଥିବା ଖବରରୁ ପ୍ରକାଶ, ଗତ ଶୁକ୍ରବାର ଦିନ ବାଲେଶ୍ବର ସହଦେବଖୁଣ୍ଟା ଥାନା ଅଧୀନ ଉତ୍ତମନଗର ଅଞ୍ଚଳର ବିଶ୍ବନାଥ ଶତପଥୀ(୫୯)ଙ୍କ ଦେହ ହଠାତ୍‌ ଅସୁସ୍ଥ ହେବାରୁ ପରିବାର ‌େଲାକେ ତାଙ୍କୁ ଜିଲ୍ଲା ହସ୍‌ପିଟାଲକୁ ନେଇଥିଲେ। ସେଠାରେ ତାଙ୍କୁ ମେଡିସିନ୍‌ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ହେଲେ ଦୁଇଦିନ ହେଲା ତାଙ୍କୁ ଠିକ୍‌ ଭାବେ ଚିକିତ୍ସା କରାଯାଉନଥିଲା। ଏମିତିକି ପ୍ରତିଦିନ ୱାର୍ଡକୁ ରୋଗୀ ଦେଖିବାକୁ ଆସୁଥିବା ଡାକ୍ତର କିମ୍ବା ନର୍ସ କେହି ବି ତାଙ୍କର କ’ଣ ଅସୁବିଧା ହୋଇଛି ସେ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଉନଥିଲେ। ତେବେ ଆଜି ସକାଳେ ଶ୍ରୀ ଶତପଥୀ ଯନ୍ତ୍ରଣାରେ ଛାଟିପିଟି ହେବାରୁ ଡ୍ୟୁଟିରେ ଥିବା ଡାକ୍ତର ତାଙ୍କର ‌ବ୍ରେନ୍‌ ସ୍କାନିଂ କରିବାକୁ ପ୍ରେସ୍‌କ୍ରିପ୍‌ସନ୍‌ରେ ଲେଖିଥିଲେ। ଆଉ ସେଠାରୁ ଆସିବା ପରେ ତାଙ୍କୁ ଶୋଇବା ଦରକାର କହି ସମ୍ପୃକ୍ତ ଡାକ୍ତର ନିଶା ଇଞ୍ଜେକ୍‌ସନ ଦେବା ପାଇଁ କହିଥିଲେ। ତାହା ନେବା ପରେ ଶ୍ରୀ ଶତପଥୀ ଆଉ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଠିନଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ତାଙ୍କ ପରିବାର ଲୋକ ଡାକ୍ତରଙ୍କୁ ଡାକିବାକୁ ଯିବାରୁ ପ୍ରାୟ ଅଧଘଣ୍ଟାଏ ପରେ ଜଣେ ନର୍ସ ଆସି ବିଶ୍ବନାଥଙ୍କୁ ମୁହଁରେ ଅକ୍ସିଜେନ୍‌ ଲଗାଇ ଏହା ଯେତେବେଳେ ବନ୍ଦ ହୋଇଯିବ ସେତେବେଳେ ତାଙ୍କୁ ଡାକିବେ ବୋଲି କହି ଚାଲିଯାଇଥିଲେ। ତେବେ ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ବିଶ୍ବନା‌ଥଙ୍କ ଶରୀର ସମ୍ପୂର୍ଣ୍ଣ ସ୍ଥିର ହୋଇଯାଇଥିବା ଦେଖି ଘରଲୋକ ଡାକ୍ତରଙ୍କୁ ଡାକିବାକୁ ଯିବାରୁ ସେ ମଧ୍ୟ କିଛି ବିଳମ୍ବରେ ଆସି ବିଶ୍ବନାଥଙ୍କ ଅବସ୍ଥା ଦେଖିବା ସହିତ କିଛି ନକହି ତାଙ୍କ ଅବସ୍ଥା ଗୁରୁତର ଅଛି, ତୁରନ୍ତ କଟକ ନେଇଯିବା ପାଇଁ ‌େରଫର ଅର୍ଡର କରିଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ବିଶ୍ବନାଥଙ୍କ ପରିବାର ଲୋକ ସମ୍ପୃକ୍ତ ଡାକ୍ତର ଓ ନର୍ସଙ୍କୁ ଘେରିଯାଇ ଜୋର୍‌ରେ ପାଟିତୁଣ୍ଡ କରିଥିଲେ। ଯଦି ରୋଗୀ ଏତେ ଗୁରୁତର ଥିଲା, ତାହେଲେ ଆରମ୍ଭରୁ କଟକ ରେଫର ନକରି ଶେଷ ମୁହୂର୍ତ୍ତରେ ପୁଣି ମରିଯିବା ପରେ ରେଫର କରି ନିଜ ମୁଣ୍ଡରୁ ଦୋଷ ଖସାଇଦେବାକୁ ସମ୍ପୃକ୍ତ ଡାକ୍ତର ଓ ନର୍ସ ଉଦ୍ୟମ କରିଥିବା ସେମାନେ ଅଭିଯୋଗ କରିଥିଲେ। ଫଳରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବରପାଇ ହସ୍‌ପିଟାଲ ଫାଣ୍ଡି ପୁଲିସ ସେଠା‌େର ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ସହ ସମ୍ପୃକ୍ତ ଡାକ୍ତର ଓ ନର୍ସଙ୍କୁ ‌ସେଠାରୁ ବାହାର କରିଥିବା ଜଣାଯାଇଛି। ଅନ୍ୟପକ୍ଷରେ ଆଜି ଜିଲ୍ଲା ହସ୍‌ପିଟାଲ ପରିସରରେ ଏତେ ବଡ଼ ଘଟଣା ଘଟିଥିବା ବେଳେ ସିଡିଏମ୍‌ଓ କିମ୍ବା ମେଡ଼ିକାଲ କଲେଜ ହସ୍‌ପିଟାଲ ସୁପରିନ୍‌ଟେଣ୍ଡେଟ୍‌ ଘଟଣାସ୍ଥଳରେ ପହଞ୍ଚିନଥିଲେ। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ‌ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର