ବାଲେଶ୍ବର: ବାଲେଶ୍ୱର ବାଲିଆପାଳରେ ବାତ୍ୟା ୟାସ, ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଜିଲ୍ଲାର ବାଲିଆପାଳ ବ୍ଲକ କାଖଡାପାଳ ଅଂଚଳରେ ବାତ୍ୟାର ପ୍ରଭାବ ଅଧିକ ଅନୁଭୂତ ହୋଇଛି । ବାତ୍ୟା ଏହି ଆଖପାଖ ଅଂଚଳରେ ଲ୍ୟାଣ୍ଡଫଲ କରିବା ସମୟରେ ବ୍ୟାପକ କ୍ଷୟକ୍ଷତି କରିଛି । ହଠାତ ପାଣି ଆସିବାରୁ ଲୋକଙ୍କ ଘରେ ପାଣି ପଶିଯାଇଛି ।
ସେହିଭଳି ବାଲେଶ୍ୱର ନୀଳଗିରିରେ ମଧ୍ୟ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ତଳିଆ ଅଂଚଳରୁ ଲୋକଙ୍କୁ ଉଦ୍ଧାର କରି ବାତ୍ୟା ଆଶ୍ରୟସ୍ଥଳରେ ରଖିଥିଲା ଜିଲ୍ଲା ପ୍ରଶାସନ । ବାତ୍ୟା ଛାଡିଯିବା ପରେ ଆସି ଦେଖିଲା ବେଳକୁ ବାତ୍ୟା ପବନ ଓ ବର୍ଷା ପାଣି ସେମାନଙ୍କ ଘରକୁ ନଷ୍ଟ କରିବା ସହ ଘରେ ଥିବା ଖାଦ୍ୟ ସାମଗ୍ରୀ ନଷ୍ଟ କରିଦେଇଛି । ସେହିପରି ବାତ୍ୟା ଆଶ୍ରୟସ୍ଥଳରେ ଏମାନଙ୍କୁ କେବଳ ମୁଢି ଖାଇବାକୁ ଦିଆଯାଇଥିବା ଅଭିଯୋଗ ହୋଇଛି ।
ସେପଟେ, କେନ୍ଦୁଝର ସୀମାନ୍ତ ୪୯ ନମ୍ବର ଜାତୀୟ ରାଜପଥର ପାଟଣା ତୁରୁମୁଙ୍ଗାଠାରେ ବୈତରଣୀ ନଦୀ ପୋଲ ଉପରେ ୫ ଫୁଟ ଉଚ୍ଚରେ ପାଣି ଚାଲିଛି । ଫଳରେ ଗତକାଲି ରାତିରୁ ମୁମ୍ବାଇରୁ କୋଲକାତାକୁ ସଂଯୋଗ କରୁଥିବା ଏହି ରାସ୍ତାର ଉଭୟ ପାଶ୍ୱର୍ରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି । ବାତ୍ୟା ୟାସ୍ପ୍ର ଭାବରେ ପ୍ରବଳ ବର୍ଷା ଫଳରେ ନଦୀ ଗୁଡ଼ିକରେ ଜଳସ୍ତର ବଢିବାରେ ଲାଗିଛି । ଗତ ତିନି ଦିନ ହେଲା ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଥିଲା । ତଳିଆ ଅଂଚଳ ଗୁଡ଼ିକରେ ପାଣି ଜମି ରହିଛି । କେଉଁଠି ଯୋଗାଯୋଗ ବିଛିନ୍ନ ହୋଇଛି ତ ଆଉ କେଉଁଠି ଯାତାୟତ ଠପ୍ ହୋଇଯାଇଛି ।