ଆଜି ଜୟନ୍ତୀ; ନେତାଜୀଙ୍କ ସ୍ମୃତିରକ୍ଷା ପାଇଁ ପଦକ୍ଷେପ କେବେ?

ବାଲେଶ୍ବର: ପ୍ରଶାସନିକ ଉଦାସୀନତା ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବ କାରଣରୁ ବାଲେଶ୍ବରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତିଚିହ୍ନ ଲିଭିଯିବାକୁ ବସିଛି। ସହରର ଗୋପାଳଗାଁ, ମଣ୍ଡଳବଜାର ଏବଂ ଷ୍ଟେସନଛକ ଏବେବି ତାଙ୍କ ବାଲେଶ୍ବର ଆଗମନର ସ୍ମୃତି ବଖାଣୁଛି। ୧୯୩୯ ମସିହାରେ ଜାତୀୟ କଂଗ୍ରେସରୁ ଇସ୍ତଫା ଦେଇଥିବା ନେତାଜୀ ଗଢ଼ିଥିଲେ ଅଲ୍‌ଇଣ୍ଡିଆ ଫରୱାର୍ଡ ବ୍ଲକ। ତାଙ୍କ ବିଚାରକୁ ସମର୍ଥନ କରୁଥିବା କଂଗ୍ରେସ ନେତାଙ୍କୁ ଏକାଠି କରିବା ପାଇଁ ନେତାଜୀ ଦେଶବ୍ୟାପୀ ଅଭିଯାନ ଚଳାଇଥିଲେ। ବାଲେଶ୍ବର ସହରକୁ ମଧ୍ୟ ତାଙ୍କର ଆଗମନ ହୋଇଥିଲା। ନେତାଜୀଙ୍କ ସହ ନମିଶିବାକୁ ସଂଗଠନ ପକ୍ଷରୁ ଏଠାକାର ନେତାମାନଙ୍କୁ ହ୍ବିପ୍‌ ଜାରି କରାଯାଇଥିଲା। ବାଲେଶ୍ବର ମ୍ୟୁନିସିପାଲିଟିର ନଗରପାଳ ତଥା ଆଗଧାଡ଼ିର କଂଗ୍ରେସ ନେତା ଥିଲେ ପ୍ରିୟନାଥ ସରକାର। ଏହାଛଡ଼ା ନେତାଜୀଙ୍କ ସହ ମଧ୍ୟ ତାଙ୍କର ସମ୍ପର୍କ ବେଶ୍‌ ନିବିଡ଼ ଥିଲା। ପ୍ରିୟନାଥଙ୍କ ବାସଭବନ ଥିଲା ସ୍ବାଧୀନତା ସଂଗ୍ରାମୀଙ୍କ ଏକାଠି ହେବାର ସ୍ଥାନ। ବ୍ରିଟିସ ସରକାର ବିରୋଧରେ ସେଠା‌େର ଗୁପ୍ତବୈଠକ ଏବଂ ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରାଯାଉଥିଲା।


ନେତାଜୀ ବାଲେଶ୍ବର ଆସୁଥିବା ପ୍ରିୟନାଥଙ୍କୁ ଜଣାଇଥିଲେ ମଧ୍ୟ ସେ ସଂଗଠନର ହ୍ବିପ୍‌ ମାନି ସେ କିମ୍ବା ଅନ୍ୟ କଂଗ୍ରେସ ନେତାମାନେ ଦେଖା କରିବାକୁ ଗଲେନାହିଁ। ନେତାଜୀ ବାଲେଶ୍ବରରେ ପହଞ୍ଚି ଏ ଖବର ପାଇବା ପରେ ସିଧା ପ୍ରିୟନାଥଙ୍କ ବାସଭବନକୁ ଆସିଥିଲେ ଏବଂ ‘କଂଗ୍ରେସ୍‌ରୁ ବାହାରି ଯାଇଛି ବୋଲି କଣ ଅଛୁଆଁ ‌ହୋଇଯାଇଛି’ ବୋଲି ପ୍ରିୟନାଥଙ୍କୁ ପଚାରିଥିଲେ। ଏମିତି ଦୀର୍ଘସମୟ ଧରିି ପରସ୍ପରଙ୍କ ମଧ୍ୟ କଥାବାର୍ତ୍ତା ପରେ ସେ କଂଗ୍ରେସ ଛାଡ଼ିବାର କାରଣ ତାଙ୍କ ସଭାକୁ ଆସିଲେ କହିବେ ବୋଲି କହି ନେତାଜୀ ସେଠାରୁ ଚାଲିଆସିଲେ। ଏହାପରେ ସହରର ଟାଉନହଲ ଏବଂ ଷ୍ଟେସନଛକରେ ନେତାଜୀଙ୍କ ସଭା ବିପୁଳ ଜନସମାଗମରେ ଭରି ଯାଇଥିଲା। ସଂଗଠନର ଅସହଯୋଗ ଯୋଗୁ ନେତାଜୀ ଷ୍ଟେସନଛକରେ ଥିବା ଡାକବଙ୍ଗଳାରେ ବିଶ୍ରାମ ନେଇଥିଲେ। ଡ. ହରେକୃଷ୍ଣ ମହାତାବ, ଅବୁଲ କଲାମ୍‌ ଆଜାଦ, ଦେବେନ୍ଦ୍ରନାଥ ଗିରି, ପଣ୍ଡିତ ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, ଯଦୁମଣି ମଙ୍ଗରାଜ ପ୍ରମୁଖ ନେତାଜୀଙ୍କୁ ସ୍ବାଗତ କରିିବାକୁ ଆସିଥିବା ବେଳେ ପ୍ୟାରୀ‌ମୋହନ ଦାସ, ଦୁର୍ଗା ଦାସ ଓ ଚାରୁଚନ୍ଦ୍ର ରାୟଙ୍କ ଭଳି କଂଗ୍ରେସର ଯୁୁବକର୍ମୀମାନେ ମଧ୍ୟ ନେତାଜୀଙ୍କୁ ଭେଟି ସମର୍ଥନ ‌ଜଣାଇଥିଲେ।


ନେତାଜୀ ରାତ୍ରିଯାପନ କରିଥିବା ସେହି ଐତିହାସିକ ଡାକବଙ୍ଗଳା ଏବେ ସରକାରୀ କାର୍ଯ୍ୟାଳୟରେ ପରିଣତ ହୋଇଛି। ‌ସେପଟେ ସହରର ମଣ୍ଡଳବଜାରରେ ଥିବା ବହୁବର୍ଷର ପୁରୁଣା ‘ଦାସ ଷ୍ଟୁଡିଓ’ ନେତାଜୀଙ୍କ ସ୍ମୃତି ବଖାଣୁଥିବା ଥିବା ବେଳେ ସରକାରୀ ସ୍ତରରେ ସେସବୁର ରକ୍ଷଣାବେକ୍ଷଣ ଦିଗରେ କେବେ କୌଣସି ତତ୍ପରତା ଦେଖାଯାଇନାହିଁ। ସୁତରା‌ଂ ନେତାଜୀଙ୍କ ଭଳି ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ପଦଚିହ୍ନ କେବେ ବାଲେଶ୍ବର ମାଟିରେ ପଡ଼ିଥିଲା ବର୍ତ୍ତମାନ କିମ୍ବା ଆଗାମୀ ପିଢ଼ି ସେସବୁ ଜାଣିବା ପାଇଁ ଆଉ ସୁଯୋଗ ପାଇପାରିବେ ନାହିଁ। ସେପଟେ ନେତାଜୀ ସ୍ମୃତି କମିଟି ନାମରେ ବାଲେଶ୍ବରରେ ଏକ ଅନୁୁଷ୍ଠାନ ରହିଥିଲେ ମଧ୍ୟ କର୍ମକର୍ତ୍ତାଙ୍କ ତରଫରୁ କେବେବି ନେତାଜୀଙ୍କ ସ୍ମୃତିରକ୍ଷା ନେଇ କେବେ ଶାଣିତ ସ୍ବର ଉଠିନାହିଁ। ଏ ଦିଗରେ ବାଲେଶ୍ବର ଜିଲ୍ଲା ପ୍ରଶାସନ, ବାଲେଶ୍ବରର ଲୋକ ପ୍ରତିନିଧି ଏବଂ ସଚେତନ ନାଗରିକ ଚିନ୍ତା କରିବାର ସମୟ ଆସିଛି।

ସମ୍ବନ୍ଧିତ ଖବର